spot_img
Home Blog Page 1235

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ: ବିଜେଡି ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ରଣନୀତି, ରାଜ୍ୟ ସ୍ଵାର୍ଥ ଦାବି କରିବ ବିଜେଡି

ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ପରେ ତତ୍ପର ବିଜେଡ଼ି। ଦଳର ୭ ଜଣ ସାଂସଦଙ୍କ ଶୀତ ଅଧିବେଶନରେ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବାବେଳେ ବଜେଟ ଅଧିବେଶନ ପାଇଁ ସାଂସଦମାନେ ସଜବାଜ ଆରମ୍ଭ କରିଛନ୍ତି। ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଲଢେଇ ହେବ ବୋଲି କହିଛି ବିଜେଡି। ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ସଂଶୋଧନ ଭଳି ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ସାଂସଦମାନେ ତୟାର। ଖୁବଶୀଘ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ସଂସଦୀୟ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି ।

୭ ସାଂସଦ, ଶାଣିତ ସ୍ବର। ରାଜ୍ୟ ସ୍ବାର୍ଥ ପାଇଁ ସଂସଦରେ ଆରପାର ହେବ ଲଢ଼େଇ। ବଜେଟ ଅଧିବେଶନ ଘୋଷଣା ପରେ ସଜବାଜ ବିଜେଡି। ସଂସଦୀୟ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି। ରାଜ୍ୟସଭାରେ ଶୀତ ଅଧିବେଶନରେ ଲୋକଙ୍କ ସ୍ବରକୁ ଶାଣିତ କରିଥିଲା ବିଜେଡ଼ି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦଳର ୭ ସାଂସଦ ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହକ ପାଇଁ ତାରକା, ଅଣତାରକା ପ୍ରଶ୍ନ ଜରିଆରେ ଓଡ଼ିଶାର ଦାବିକୁ ଉପସ୍ଥାପନ କରିଥିଲେ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, କୋଷ୍ଟାଲ ହାଇୱେ, ପୋଲାଭରମ ପ୍ରକଳ୍ପ, କୋଇଲା ରୟାଲଟି ସଂଶୋଧନ, ବରିଷ୍ଠ ନାଗରିକ କଲ୍ୟାଣ, କୋଇଲା ଖନନ, ଓଡ଼ିଶାରେ MSME, ଅଏଲ ରିଫାଇନାରି ଦୁର୍ଘଟଣା, ସମ୍ବିଧାନର ଅଷ୍ଟମ ଅନୁଛେଦରେ ହୋ, ମୁଣ୍ଡାରି, ଭୂମିଜ, କୁଇ, କୋଶଲୀ ଏବଂ ସଉରା ଭାଷାକୁ ସାମିଲ, ମହିଳାଙ୍କ ପାଇଁ ସ୍ଵୟଂଶାସିତ ସଂସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ, ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଓଡ଼ିଶାକୁ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ ପରି ଗୋଟିଏ ପରେ ଗୋଟିଏ ବଡ଼ ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଏସବୁ ଦାବି ସହ ବିଜେଡି ସଂସଦୀୟ ବୈଠକରେ ଯେଉଁ ରଣନୀତି ପ୍ରସ୍ତୁତ କରାଯିବ ତାହାକୁ ଗୃହରେ ଉଠାଯିବ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ।

ଶୀତ ଅଧିବେଶନ ପରି ବଜେଟ ଅଧିବେଶନରେ ମଧ୍ୟ ବିଜେଡ଼ି ଓଡ଼ିଶାବାସୀଙ୍କ ସ୍ବର ସାଜିବ। ଓଡ଼ିଶାର ଦୀର୍ଘଦିନର ଦାବି କେନ୍ଦ୍ର ଶୁଣୁନଥିବାରୁ ପୁଣିଥରେ ରାଜ୍ୟସଭାରେ ମୁଖ୍ୟ ପ୍ରସଙ୍ଗ ଉଠାଇ ସାଂସଦମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ। ଗୃହରେ ସମସ୍ତ କାର୍ଯ୍ୟସୂଚୀରେ ସାମିଲ ହୋଇ ଓଡ଼ିଶାର ସ୍ବରକୁ ଶାଣିତ କରାଯିବ ବୋଲି ସାଂସଦ ମାନେ କହିଛନ୍ତି । ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ବଜେଟରେ କଣ ରହିବ ତାହାକୁ ନେଇ ଆରମ୍ଭ ଚର୍ଚ୍ଚା।

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର: ପୋକରା ଭାତକୁ ପାଣିଆ ସୋୟାବିନ ତରକାରୀ, ଅବଗତ କଲେ ଶୁଣୁନାହାନ୍ତି ଅଧିକାରୀ

ଖୋର୍ଦ୍ଧା: ପିଲାଙ୍କ ଖାଦ୍ୟରେ ପୋକ ସାଲୁବାଲୁ । ପାଣିଆ ତରକାରୀକୁ ପୋକଡ଼ା ଚାଉଳ । ଯାହାକୁ ନେଇ ଜଟଣୀ କେଦାର ନାଥ ରାୟ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଅସନ୍ତୋଷ । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ଯୋଜନା । ହେଲେ ଏବେ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି ଅଭିଭାବକ । ସେପଟେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବାକଥା, ଯେତିକି ଟଙ୍କା ଆସୁଛି ସେତିକିରେ ରନ୍ଧା ଯାଉଛି ଖାଦ୍ୟ ।

ଟିକିଏ ଭଲ କରି ଦେଖନ୍ତୁ ଏହି ଭାତକୁ । ଧଳା ଭାତ ଭିତରେ କଳା ପୋକ ସାଲୁବାଲୁ । ତରକାରୀ ନୁହେଁ ତ ହଳଦୀଆ ପାଣିରେ ଭାସୁଛି କିଛି ସୋୟାବିନ ଓ ଆଳୁ । ଏହାକୁ ଖାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ସ୍କୁଲମୁହାଁ କରିବା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ମଧ୍ୟାହ୍ନ ଭୋଜନ ଯୋଜନା । ହେଲେ ଏବେ ଏହା ସତେଯେମିତି ପ୍ରହସନ ପାଲଟିଛି । ସ୍କୁଲରେ ବାଧ୍ୟ ହୋଇ ପିଲାଏ ଏହାକୁ ଖାଉଛନ୍ତି । ଇଏ ହେଉଛି ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱର୍ଡରେ ଥିବା କେଦାରନାଥ ରାୟ ପ୍ରଥମିକ ବିଦ୍ୟାଳୟର ଦୃଶ୍ୟ । ଯେଉଁଠି ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢନ୍ତି । ହେଲେ ପୁଷ୍ଟିକର ଖାଦ୍ୟ ବଦଳରେ ପିଲାଙ୍କୁ କିପରି ଖାଦ୍ୟ ଯୋଗାଇ ଦିଆଯାଉଛି ଏହା ଆପଣଙ୍କ ସାମ୍ନାରେ । ଖରାପ ଖାଦ୍ୟ ଦିଆଯାଉଥିବା ପିଲାମାନେ କହିଛନ୍ତି ।

ଏପରି ଦୃଶ୍ୟ ଦେଖିବା ପରେ ଅଭିଭାବକ ସ୍କୁଲକୁ ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଭିଯୋଗ କରିଥିଲେ । ତେବେ ସେ ଏହାକୁ ନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି । ତାଙ୍କର କହିବା କଥା, ସେ ଉପର ଅଧିକାରୀଙ୍କୁ ଏନେଇ ଅବଗତ କରିଛନ୍ତି କିନ୍ତୁ ସେ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ସେପଟେ ଅପରିଷ୍କାର ପରିବେଶରେ ରୋଷେଇ ଚାଲିଥିବାରୁ ଏହାକୁ ସଫେଇ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଅଭିଭାବକ । ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ, ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଥିଲେ ମଧ୍ୟ କୌଣସି ଅଧିକାରୀ ପଦକ୍ଷେପ ନେଉ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

କୁଆଡ଼େ ଗଲା ଡବଲ ଇଞ୍ଜିନ ସରକାରଙ୍କ ପ୍ରତିଶ୍ରୁତି: ସରକାର ବଦଳିବା ପରେ ରାଜ୍ୟରେ ମିଳୁନି କାମ, ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ

ଧର୍ମଗଡ଼: ଥମିବାର ନାଁ ନେଉନି ଦାଦନ ଯାତ୍ରା। କଳାହାଣ୍ଡିର ବିଭିନ୍ନ ସ୍ଥାନରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଭିଟା ମାଟି ଛାଡି ନିୟମିତ ଭାବେ ଏବେ ରାଜ୍ୟ ବାହାର ମୁହାଁ ଲୋକେ। ନିର୍ବାଚନ ସମୟରେ ଦାଦନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ସରକାର। ଏବେ ସେ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ଅଞ୍ଚଳବାସୀଙ୍କ ଅଭିଯୋଗ ।

ପଶ୍ଚିମ ଓଡ଼ିଶାର ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ । ସରକାର ବଦଳିବା ପରେ ଅଞ୍ଚଳରେ କାମ ମିଳୁ ନଥିବାରୁ ଦାଦାନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ଅନେକ ଲୋକ। କିଛି ଲୋକ ଇଟା ଭାଟିରେ କାମ କରୁଥିବା ବେଳେ ଆଉ କେଉଁଠି ଘର କବାଟ ବନ୍ଦ କରି ରାଜ୍ୟ ବାହାରେ କାମ କରୁଛନ୍ତି । ବିଶେଷ କରି ଧର୍ମଗଡ ବ୍ଲକର କୋତମେର, ଟିପିଗୁଡ଼ା, ରଏନ୍ ଗୁଡା, ବୋକ୍ରାସିଲ ଓ ଦଣ୍ଡ ପାଟ ଅଞ୍ଚଳର ବେହେରା, ଗୋତୋମୁଣ୍ଡା ଖଳିଗଡ, ଧଅଁରପୁର, ଗୋଲାମୁଣ୍ଡା ବ୍ଲକର ଖଲିଆ ପାଲି, ନକଟିକାନି, ସୁକୁନି ମୁଣ୍ଡା ଓ ଜୟପାଟଣା ଅଞ୍ଚଳରୁ ଅନେକ ଦାଦନ ଏବେ ପେଟ ପାଟଣା ପାଇଁ ରାଜ୍ୟ ବାହାରେ ଅଛନ୍ତି l

ଗୋଟେ ପେଟେ ସରକାରଙ୍କ ଶ୍ରମ ବିଭାଗର ସଚେତନ ଅଭାବ। ଅନ୍ୟପଟେ ଦାଦନ ଚାଲାଣ ସରକାରଙ୍କ ଅନେକ ଯୋଜନାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି  । ଅଞ୍ଚଳରେ କିଛି ଫ୍ୟାକ୍ଟ୍ରି ତିଆରି ହେଲେ କିମ୍ବା କାମ ମିଳିପାରିଲେ ଲୋକ ଆଉ ରାଜ୍ୟ ବାହାରକୁ ଯାଆନ୍ତେନି ବୋଲି କହିଛନ୍ତି। ଦାଦାନ ଖଟିବାକୁ ଯାଇ ଅନେକ ଲୋକ ପ୍ରାଣ ହରାଉଥିବା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ ଦାଦନ ସମସ୍ୟା ଦୂର କରିବାର ଡେଙ୍ଗୁରା ଦେଇଥିଲା, କିନ୍ତୁ ବାସ୍ତବ ଚିତ୍ର ଓଲଟା।… ଧର୍ମଗଡରୁ ବାଳକୃଷ୍ଣ ନାଏକଙ୍କ ରିପୋର୍ଟ ନନ୍ଦିଘୋଷ ଟିଭି l…

AAP ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ: ପଥରମାଡ଼ ହୋଇଥିବା ନେଇ ଅଭିଯୋଗ ଆଣିଲା ପାର୍ଟି

ନୂଆଦିଲ୍ଲୀ: AAP ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ। କେଜରିୱାଲଙ୍କୁ ପଥର ମାଡ଼ ହୋଇଥିବା ଅଭିଯୋଗ କରିଛି ଦଳ। ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ। ପରବେଶ ବର୍ମାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଆପ୍। କେଜିରୱାଲଙ୍କ ଗାଡି ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ। ଦିଲ୍ଲୀରେ ଏକ ଅଭିଯାନ ରାଲିରେ ଅରବିନ୍ଦ କେଜ୍ରିୱାଲଙ୍କ କାରରେ ପଥର ମାଡ ହୋଇଛି। ଏହି ଆକ୍ରମଣକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆପ୍। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତେଜନା ବଢୁଥିବା ବେଳେ କେଜ୍ରିୱାଲଙ୍କୁ ଭୟଭୀତ କରିବା ପାଇଁ ବିଜେପି ପ୍ରାର୍ଥୀ ପରଭେଶ ଭର୍ମାଙ୍କ ସମର୍ଥକଙ୍କ ଏହି ଆକ୍ରମଣ କରିଥିବା AAP ଦାବି କରିଛି । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ କାର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଅଭିଯୋଗ ଉପରେ ଭାରତୀୟ ଜନତା ପାର୍ଟି ଜବାବ ଦେଇ କହିଛି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏହା ଏକ ଷଡଯନ୍ତ୍ର ।

ପୁଅର ଦୁଇଟି ଯାକ କିଡନୀ ଅକାମୀ: ପୁଅର ଜୀବନ ବଞ୍ଚାଇବାକୁ ମା’ର ଆକୁଳ ନିବେଦନ

ନିମାପଡ଼ା: ଯନ୍ତ୍ରଣାରେ କଲବଲ ହେଉଛି ଘରର ଏକ ମାତ୍ର ରୋଜଗାରିଆ ପୁଅ। ମେଡିକାଲ ବେଡ଼ରେ ନିସ୍ତେଜ୍ ଅବସ୍ଥାରେ ଜୀବନ ମରଣ ସହ ସଙ୍ଘର୍ଷ ଜାରି ରହିଛି। ପୁଅର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରୁଛି ମା। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ରାକେଶ କୁମାର ସାହୁ। ହଠାତ୍ ରାକେଶଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ବାପା ମା ତାକୁ ନେଇ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସା ପରେ ଜଣାପଡ଼ିଲା ରାକେଶର ଦୁଇଟି ଜାକ କିଡନୀ ନଷ୍ଟ ହୋଇଯାଇଛି। ମେଡିସିନ ଦ୍ଵାରା ରାକେଶ ସୁସ୍ଥ ହେବା ମୁସ୍କିଲ। ବଞ୍ଚିବା ପାଇଁ କିଡିନି ପ୍ରତିରୋପଣର ଆବଶ୍ୟକତା ରହିଛି।

ପୁଅର ଚିକିତ୍ସା ପାଇଁ ନିଜ ଭିଟା ମାଟିରେ ଥିବା ଘର, ବାଡ଼ି ବିକି ସାରିବା ପରେ ଏବେ ଏକ ଭଡ଼ା ଘରେ ବିତୁଛି ଜୀବନ। ପରିବାର ଚଳାଇବା ପାଇଁ ରାକେଶଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଏକ କ୍ୟାଣ୍ଟିନରେ କାମ କରୁଛନ୍ତି। ପେଟକୁ ଯାହିତାହି ଦାନା ଗଣ୍ଡିଏ ଯୋଗାଡ ହୋଇପାରୁଛି। ପୁଅର ଜୀବନ ବଞ୍ଚାଇବା ପାଇଁ ବନ୍ଧୁ, ବାନ୍ଧବ ଓ ସମ୍ପର୍କୀୟଙ୍କ ନିକଟରେ ନେହୁରା ହେଉଛନ୍ତି ପରିବାର। ରୋଗୀଣା ପୁଅର ଚିକିତ୍ସା ପାଇଁ ଆର୍ଥୀକ ସହାୟତା ଯୋଗାଇଦେବାକୁ ପରିବାର ନିବେଦନ କରିଛନ୍ତି। ଯଦି ଦେହି ସହୃଦୟ ବ୍ୟକ୍ତି ଚାହିଁବେ ରାକେଶଙ୍କୁ ଆର୍ଥିକ ସହାୟତା ଯୋଗାଇପାରିବେ।

ଗାଁକୁ ନାହିଁ ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲାନ୍ସ: ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି

ସାଲେପୁର: ଟିକେ ଭଲ କରି ଦେଖନ୍ତୁ ଏହି ଗାଁକୁ। ଚାରିପଟେ ବିଲ ଗହିର ମଝିରେ ଦୂରରୁ ଦିଶୁଥିବା ଏହି ଗାଁ କଟକ ସାଲେପୁରର ସୌରି ଗାଁ। ୧୦ ରୁ ୧୨ଟି ପରିବାରର ୫୦ ରୁ ୬୦ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବର୍ଷ ବର୍ଷ ଧରି ଜୀବନକୁ ବାଜି ଲଗାଇ ଏଇ ରାସ୍ତାରେ ଲୋକେ ଯାତାୟାତ କରିଥାନ୍ତି। ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା ବି କଷ୍ଟ ହୋଇପଡ଼ିଛି। ଜରୁରୀକାଳୀନ ସେବା ପାଇଁ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ  ।

ସୌରୀ ଗାଁର ଲୋକମାନେ ରାସ୍ତା ଖଣ୍ଡିକ ପାଇଁ କେତେ କାହାକୁ ଅନୁରୋଧ କଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ରାଜନେତା ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ବଡ ବଡ ଅଫିସର ଯାଏଁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। କିନ୍ତୁ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ଗୁରୁତ୍ଵ ଦେଇ ଗାଁକୁ ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଲୋକେ।

୪୨୦ ଯୋଡ଼ି ହଂସିତା-ଅନିଲଙ୍କ ଖୋଲୁଛି ଠକର ପେଡ଼ି: ନକଲି ଆଧାର ଓ ପ୍ୟାନ କାର୍ଡ ଦେଇ କରିଥିଲେ ପାସପୋର୍ଟ

ଭୁବନେଶ୍ବର: ୪୨୦ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜାଲ ଦସ୍ତାବିଜ ଦେଇ ପ୍ରସ୍ତୁତ କରିଥିଲେ ପାସପୋର୍ଟ। ଇନଫୋସିଟି ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ। ହିଂସିତା ଅଭିଲିପ୍ସା ନିଜର ପ୍ରକୃତ ନାମ ବିଷ୍ଣୁପ୍ରିଯା ଚାନ୍ଦ ପରିବର୍ତ୍ତନ କରି ଫେକ୍ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିତା ଅଭିଲିପ୍ସା। ପ୍ଲାଷ୍ଟିକ ସର୍ଜରୀ କରି ନିଜର ରୂପକୁ ପରିବର୍ତ୍ତନ କରିଥିଲେ। ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ। ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋର୍ଟ ଆବେଦନ ଖାରଜ ହେଇଥିଲା।

ପରେ ୨୦୨୨ରେ କଲିକତା ଯାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ସେଥିରେ ସ୍ବାମୀ ଅନୀଲ ମହାନ୍ତି ଦର୍ଶାଇ ଥିଲେ। ନକଲି ଆଧାର କାର୍ଡ ଆସିବା ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ହଂସିତା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ସହଜରେ ପାସପୋର୍ଟ ମିଳିଯାଇଥିଲା। ହଂସିତା ବିଦେଶ ଯାତ୍ରା କରିଥିଲେ। ଠକେଇ ମାମଲାରେ ପୋଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଏହି ଫେକ ଡକ୍ୟୁମେଣ୍ଟରେ ପ୍ରସ୍ତୁତ ପାସପୋର୍ଟ। ଯାହାକୁ ନେଇ ଇନଫୋସିଟି ପୋଲିସ ନିଜଆଡୁ ଥାନାରେ ମାମଲା ରୁଜୁ କରିଛି। କିଏ ଏଥିରେ ସହଯୋଗ କରିଥିବା ଅଧିକ ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।

ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ୭ କୋଟି ଟଙ୍କାର ମାରିଜୁଆନା

ଭୁବେନଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇଛି ମାରିଜୁଆନା । ଜବତ ମାରିଜୁଆନାର ମୂଲ୍ୟ ୭ କୋଟି ଟଙ୍କା । ବ୍ୟାଙ୍କକରୁ ଆସୁଥିଲା ମାରିଜୁଆନା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଟିମ । ପୂର୍ବରୁ ପ୍ରାୟ ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ଆସୁଥିଲା ଏହି ଦାମୀ ନିଶା । ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।

ନୂଆ ମୋଡ଼ ନେଲା ବରଗଡ଼ ଅପହରଣ ଓ ଦୁଷ୍କର୍ମ ମାମଲା: ସାମ୍ନାକୁ ଆସିଲା ଏକ ଭାଇରାଲ ଅଡ଼ିଓ କ୍ଲିପ୍ 

ବରଗଡ଼: ବରଗଡ଼ ଅପହରଣ ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ମୋଡ଼ । ଏବେ ଏକ ଅଡିଓ କ୍ଲିପ ଭାଇରାଲ ହେଉଛି। କୁହାଯାଉଛି, ସେହି ଅଡିଓ କ୍ଲିପଟି ବରଗଡ଼ ମାମଲା ସହିତ ସଂପୃକ୍ତ। ଏହି ଅଡିଓ କ୍ଲିପରେ ଶୁଣାଯାଉଛି ଯେ, ଜଣେ ବ୍ୟକ୍ତି ପୀଡ଼ିତାଙ୍କ ପରିବାରକୁ ଫୋନ୍ କରିଛନ୍ତି। ପୀଡ଼ିତା ଜଣକ କେଉଁଠି ପଡ଼ିଛନ୍ତି, ତାର ଠିକଣା କହୁଛନ୍ତି। ବରଗଡ଼ ନିକଟରେ ଥିବା ବରାହଗୋଡ଼ା-ନୁନିଆ ଜାମପାଲି ରାସ୍ତାରେ ଥିବା ଜଙ୍ଗଲରେ ପୀଡ଼ିତା ପଡ଼ିଥିବା ସେହି ବ୍ୟକ୍ତି ଜଣକ କହୁଛନ୍ତି। ଧାନ ମିଲ ନିକଟରେ ରାସ୍ତାରୁ ଟିକେ ଭିତରକୁ ଯାଇ ଖୋଜାଖୋଜି କରିବାକୁ ସେହି ଯୁବକ ଜଣକ କହୁଛନ୍ତି। ତାଙ୍କ କଥାରୁ ଜଣାପଡୁଛି ଏହା ସନ୍ଧ୍ୟା ପୂର୍ବର ଘଟଣା। ସେହି ବ୍ୟକ୍ତି ଜଣକ କହୁଛନ୍ତି, ତୁରନ୍ତ ୧୦-୧୫ ଜଣ ଲୋକ ଧରି ଘଟଣାସ୍ଥଳକୁ ଆସନ୍ତୁ। ପୀଡ଼଼ିତାଙ୍କ ବହୁତ ରକ୍ତସ୍ରାବ ହୋଇଛି। ଯଦି ଜୀବନ ରକ୍ଷା କରିବାର ଅଛି, ଜଲଦି ଆସନ୍ତୁ। ପୀଡ଼ିତାଙ୍କୁ ଡାକ୍ତରଖାନା ନେବେ। ରାତି ହେବା ଆଗରୁ ତୁରନ୍ତ ଆସନ୍ତୁ। ଲାଇଟ ଧରି ଆସିବାକୁ ବି ସେ କହୁଛନ୍ତି। ସେହି ବ୍ୟକ୍ତି ଜଣକ କହୁଛନ୍ତି, ସେଠାରେ ଜଣେ ଦୁଇ ଜଣ ଥିଲେ। ପାଟିତୁଣ୍ଡ ଶୁଣି ମୁଁ ସେଠାକୁ ଯାଇଥିଲି। ମତେ ଦେଖି ସେମାନେ ପଳାଇ ଯାଇଥିଲେ ବୋଲି ଫୋନରେ କହୁଛନ୍ତି ବ୍ୟକ୍ତି ଜଣକ। ତାଙ୍କ ପାଖରେ ଥିବା ଫୋନକୁ ଫିଙ୍ଗି ଦେବାକୁ ସେ ବାରମ୍ଵାର କହୁଛନ୍ତି। ରାସ୍ତା କଡ଼ରେ ନ ଖୋଜି ଟିକେ ଭିତରକୁ ଯାଇ ଖୋଜାଖୋଜି କରିବାକୁ କହୁଛନ୍ତି ବ୍ୟକ୍ତି ଜଣକ। ଯେଉଁ ଫୋନରେ ସେ କଲ୍ କରିଥିଲେ, ସେହି ଫୋନକୁ ଫିଙ୍ଗି ଦେବାକୁ କହୁଛନ୍ତି। ବାରମ୍ଵାର ସେ ଏହି କଥା କହୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି ପୀଡ଼ିତାଙ୍କ ପରିବାରକୁ କଲ୍ କରିଥିବା ଏହି ବ୍ୟକ୍ତି ଜଣକ କିଏ। ସେ କେମିତି ପୀଡ଼ିତାଙ୍କ ସଂପର୍କରେ ଜାଣିଲା। ଲାଗୁଛି, ତାହା ନିଜର ଫୋନ୍ ନୁହେଁ। ତେବେ କାହାର ଫୋନରୁ ସେ କଲ୍ କରିଥିଲା। ସେହି ଫୋନଟି ଏବେ କେଉଁଠି ଏପରି ବହୁତ ପ୍ରଶ୍ନ ଉଠୁଛି। ଫୋନ କରିଥିବା ବ୍ୟକ୍ତି ସଂପର୍କରେ ପୋଲିସକୁ ପୀଡ଼ିତାଙ୍କ ପରିବାର ଜଣାଇଥିଲେ କି ? ଯଦି ଜଣାଇଥିଲେ ପୋଲିସ ସେହି ବ୍ୟକ୍ତିକୁ ଠାବ କରାଗଲାଣି କି । ଏସବୁ ପ୍ରଶ୍ନର ଉତ୍ତର ମିଳିଲେ, ବରଗଡ଼ ଅପହରଣ ଓ ଦୁଷ୍କର୍ମ ଉପରୁ ପରଦା ହଟିବାର ସମ୍ଭାବନା ଅଛି। ପୀଡ଼ିତା ଜଣକ ଏବେ ବି ଭିମସାରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ତାଙ୍କ ପରିବାରକୁ ଭେଟିଥିଲା ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇଜିଙ୍କୁ ମଧ୍ଯ ଭେଟିବାକୁ ଯାଇଥିଲା । କିନ୍ତୁ ଦେଖା ଦେଇନଥିଲେ ଆଇଜି। ।

ଡାଲମିଆ ଦୁର୍ଘଟଣା: ୩୬ ଘଣ୍ଟା ପରେ ମିଳିଲା ୩ ଶ୍ରମିକଙ୍କ ମୃତଦେହ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀରେ କୋଇଲା ହପର ଭୁଶୁଡ଼ିବା ଘଟଣା। ୩୬ ଘଣ୍ଟା ପରେ ମିଳିଲା ସମସ୍ତ ୩ ଶ୍ରମିକଙ୍କ ମୃତଦେହ। ତିନି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଉରକେଲା ପଠାଯାଇଛି । ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଦଶରଥ ପାତ୍ରଙ୍କ ପରିବାର ସଦସ୍ୟଙ୍କୁ କାରଖାନା ପକ୍ଷରୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ୧୦ ଲକ୍ଷ ଟଙ୍କା ଇନସ୍ୟୁରାନ୍ସ ଅର୍ଥ ସହ ମୃତକ ଶ୍ରମିକଙ୍କ ପତ୍ନୀଙ୍କୁ କାରଖାନାରେ ଚାକିରି ପ୍ରଦାନ କରାଯିବ। ମୃତକଙ୍କ ଦୁଇଟି ଛୁଆକୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ କାରଖାନା କର୍ତ୍ତୃପକ୍ଷ ବହନ କରିବେ। ଏଥିରେ ପରିବାର ଲୋକ ରାଜି ହେବାରୁ ଦଶରଥ ପାତ୍ରଙ୍କ ମୃତଦେହ ବ୍ୟବଛେଦ ପାଇଁ ରାଉରକେଲା ପଠାଯାଇଛି। ସେପଟେ ସୁଶାନ୍ତ ରାଉତଙ୍କ ପରିବାର ସଦସ୍ୟଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ ଏବଂ ଦୁଇ ପୁଅଙ୍କୁ ଚାକିରି ପାଇଁ ପ୍ରତିଶ୍ରୁତି ମିଳିଛି । ଗତ ଗୁରୁବାର ଦିନ ସିମେଣ୍ଟ କମ୍ପାନୀକୁ କୋଇଲା ଯୋଗାଉଥିବା ହପର ଭୁଶୁଡ଼ି ପଡ଼ିବାରୁ କୋଇଲା ତଳେ ଶ୍ରମିକ ଚାପି ହୋଇ ରହିଥିଲେ।