ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଧରାପଡ଼ିଲା ଆକ୍ରମଣକାରୀ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ। ଥାନେରୁ ବିଜୟ ଦାସକୁ ଗିରଫ କରିଛି ମୁମ୍ବାଇ ପୋଲିସ। ହିରାନନ୍ଦାନୀ ବସ୍ତିରେ ନାଁ ବଦଳାଇ ଲୁଚି ରହିଥିଲା। ଆଜି ଅଭିଯୁକ୍ତ ବିଜୟକୁ କୋର୍ଟରେ ହାଜର କରିବ ପୋଲିସ। ବିଜୟର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ସୈଫଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି। ଘଟଣାର ୭୨ ଘଣ୍ଟା ପରେ ୩୫ ଜଣିଆ ଟିମ୍ ବିଜୟକୁ ଗିରଫ କରିବାରେ ସଫଳ ହୋଇଛି। ଗତ ଗୁରୁବାର ଦିନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଫ୍ଲାଟରେ ହମଲା ହୋଇଥିଲା। ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅପରେସନ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି।
ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି
ନୂଆଦିଲ୍ଲୀ : ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ। ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି। ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ ସିକ୍ଯୁରିଟି କ୍ଯାବିନେଟର ମଞ୍ଜୁରୀ ମିଲିଥିଲା। ବୁଝାମଣା ମୁତାବକ ଆଜିଠାରୁ ଏହି ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି। ହମାସ କବଳରେ ଥିବା ପଣବନ୍ଦୀମାନେ ମୁକ୍ତି ପାଇବାର ଆଶା ଉଜ୍ଜୀବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ଯଦି ଏହି ଅସ୍ତ୍ରବିରତି ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଇରାନ, ଲେବାନନ, ୟେମେନ, ଇରାକ ମଧ୍ଯରେ ଦେଖାଦେଇଆସିଥିବା ଉତ୍ତେଜନା ପ୍ରଶମିତ ହେବା ଆଶା ରହିଛି । ପ୍ରସ୍ତାବ ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ । ସେମାନଙ୍କ ମଧ୍ଯରେ ଅଛନ୍ତି ମହିଳା, ଶିଶୁ ଓ ୫୦ ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି । ପ୍ରତିବଦଳରେ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟରେ ୧୯ ବର୍ଷରୁ କମ ବୟସର ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବ । ଇସ୍ରାଏଲ କବ୍ଜାରେ ଥିବା ୯୯୦ରୁ ୧୬୫୦ ପାଲେଷ୍ଟିନୀୟଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଇସ୍ରାଏଲ ମୁକ୍ତି ଦେବା ସମ୍ଭାବନା ରହିଛି । ଇସ୍ରାଏଲ ପକ୍ଷରୁ କୁହାଯାଉଛି ଗାଜାରେ ବର୍ତ୍ତମାନ ୯୮ ଜଣ ଇସ୍ରାଏଲୀ ପଣବନ୍ଦୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୩ ଜଣଙ୍କୁ ହମାସ ଖଲାସ କରିବା ସମ୍ଭାବନା ରହିଛି ସେମାନଙ୍କ ନାମ ଜାରି କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ଯରେ କେତେ ଜଣ ଜୀବିତ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଆମେରିକାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ଏହି ଅସ୍ତ୍ରବିରତି ଗୁରୁତ୍ବ ବହନ କରିଛି।
ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ
ଢେଙ୍କାନାଳ: ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ । ଗିରଫ ପରେ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ୍ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଶୁକ୍ରବାର ରାତି ଘଟିଥିଲା ଘଟଣା । ଘରେ ଏକା ଥିବାବେଳେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ମାମଲାରେ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି । ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳାଜଣକ ଏକ ଭଡ଼ାଘରେ ଏକା ରହୁଥିଲେ । ନିକଟରେ ଏକ ସ ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ ଜିଲା ଅଂଚଳର ହୃଷିକେଶ ସାହୁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସିନ ରିକ୍ରିଏସନ କରି ବ୍ୟବହୃତ ଛୁରୀକୁ ଜବତ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ ।
ମୋ ବସ ଧକ୍କାରେ ନାବାଳିକା ଗୁରୁତର: ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବିରିବନ୍ଧ ରାସ୍ତାରେ ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ । ଦୁର୍ଘଟଣାରେ ବିରିବନ୍ଧ ଗ୍ରାମର ନାବାଳିକା ଆଦ୍ୟାଶା ଗୁରୁତର । ଟିଉସନ ପାଇଁ ସାଇକେଲରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ମୋ ବସ । ଫଳରେ ସାଇକେଲ ସହ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ ଆଦ୍ୟାଶା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିସିଆର ଭ୍ୟାନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଉତ୍ୟକ୍ତ ଲୋକେ ମୋ ବସକୁ ଅଟକ ରଖିଛନ୍ତି । ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଓ ଅଣ ତାଲିମ ପ୍ରାପ୍ତ ଡ୍ରାଇଭର ନିଯୁକ୍ତି ପାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଆହତ ଆଦ୍ୟାଶାଙ୍କ ବାପା । ତେବେ ବସର ବ୍ରେକ ନଧରିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି ଡ୍ରାଇଭର କହିଛନ୍ତି । ପୋଲିସ ପହଞ୍ଚି ବୁଝାସୁଝା କଲେ ମଧ୍ୟ କୃଟ କର୍ତ୍ତୃପକ୍ଷ ଆସିବା ନେଇ ଜିଦ ରେ ଅଟଳ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦୁର୍ଘଟଣାର ଶିକାର ଆଦ୍ୟାଶାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।
ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା ୨୧ ତାରିଖରେ ବନ୍ଦ ଡାକରା
ବରଗଡ଼: ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା ୨୧ ତାରିଖରେ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ବିଜେଡି ସହ ବିଭିନ୍ନ ଦଳର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ମାମଲାକୁ ଦୀର୍ଘ ୬ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ ନକରିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଅଗ୍ରଗାମୀ ଯୁବକ ସଂଘ ଠାରେ କଂଗ୍ରେସ, ବିଜେଡ଼ି, ଆମ୍ ଆଦମୀ ପାର୍ଟି ପ୍ରମୁଖ ଦଳ ସାଙ୍ଗକୁ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଙ୍କୁ ନେଇ ଏକ ସାମୁହିକ ବୈଠକ ଡକାଯାଇ ବନ୍ଦ ଡାକରାର ନିଷ୍ପତି ନିଆଯାଇଛି। ତେବେ ଆସନ୍ତା ମଙ୍ଗଳବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେବଳ ଜରୁରୀ ସେବା ଜାରି ରହିବ । ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଠାରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବିଚ କର୍ମଚାରୀଙ୍କୁ ମିଳୁନି ଦରମା: ଦାବି କଲେ ଛଟେଇ ହେଉଥିବା ଅଭିଯୋଗ
ପୁରୀ: ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ସୃଷ୍ଟି କରିଛି ଉଦାହରଣ । ଏଥିପାଇଁ ଡେନମାର୍କ ଫାଉଣ୍ଡେସନ୍ ଫର ଏନ୍ଭାରମେଣ୍ଟାଲ୍ ଏଜୁକେସନ୍ ପକ୍ଷରୁ ପୁନର୍ବାର ସ୍ୱର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଅହମଦାବାଦରେ ଏକ ସ୍ବତନ୍ତ୍ର ଚୟନ କାର୍ଯ୍ୟକ୍ରମରେ ଜୁରିମାନେ ମାନ୍ୟତା ପତାକା ପ୍ରଦାନ କରିଛନ୍ତି । ୮୭୦ ମିଟର ବେଳାଭୂମିର ପର୍ଯ୍ୟାୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି l ପରିବେଶ ଅନୁକୂଳ ଜଳକ୍ରୀଡ଼ା ପାଇଁ ଯୋଜନା କରାଯାଉଛି l ଏଥିପାଇଁ ପୁରୀ ସହରବାସୀ ଓ ବିଚ୍ କର୍ମଚାରୀଙ୍କୁ ଶ୍ରେୟ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ବ୍ଲୁଫ୍ଲାଗ ରେ କାମ କରୁଥିବା କର୍ମଚାରୀଙ୍କୁ କିନ୍ତୁ ମିଳିନି ଦରମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବେଳାଭୂମି କର୍ମଚାରୀ ସଙ୍ଘ ।
ଗତ ସରକାର ସମୟରେ ବିଚରେ କାମ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ବର୍ଦ୍ଧିତ ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ । ଏପରିକି ଗତ ୨ ମାସର ରେଗୁଲାର ଦରମା ମଧ୍ୟ ମିଳି ନଥିବା କହିଛନ୍ତି କର୍ମଚାରୀ । ପ୍ରତିବାଦରେ ବେଳାଭୂମି କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ୟୁଟେକ ସର୍ଭିସ, ଏସଏସ ସର୍ଭିସ ଏଜେନ୍ସି ଦ୍ୱାରା ବିଚକ୍ଲିନ, ଗାର୍ଡେନ, ଇଲେକ୍ଟ୍ରିସିଆନ, ସିକ୍ୟୁରିଟି, ଟିକେଟ କାଉଣ୍ଟର, ଫାଷ୍ଟଏଡ ଆଟେଡାଣ୍ଟ ପଦବୀରେ ପ୍ରାୟ ୬୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଦୁଇଟି ଏଜେନ୍ସି ସରକାରଙ୍କ ଘୋଷିତ ବର୍ଦ୍ଧିତ ମଜୁରୀ ଦେଉନାହାନ୍ତି । ବର୍ଗୀକରଣ ଆଧାରରେ ମଧ୍ୟ ମିଳୁନି ଦରମା । ଇପିଏଫ ଟଙ୍କା ଦାଖଲ କରାନଯାଇ ହେରଫେର କରାଯାଉଥିବା ଅଭିଯୋଗ ହୋଇଛି । ମାଗିଲେ ବିନା ନୋଟିସରେ ଛଟେଇ କରାଯାଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସେପଟେ କର୍ମଚାରୀଙ୍କ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ବ୍ଲୁଫ୍ଲାଗ ବିଚ କାମ କରୁଥିବା କର୍ମଚାରୀଙ୍କୁ ଦରମା ମିଳୁ ନଥିଲେ ବି ସେମାନେ କେବା କାମରେ ଅବହେଳା କରି ନଥିବା କହିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ମଣ୍ଡି: ଧାନ ବିକ୍ରି କରି ନପାରି ହଟହଟା ଚାଷୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ହଟହଟା ଚାଷୀ, ବେଫିକର ପ୍ରଶାସନ । ଫାଇଦା ଉଠାଇ ଆନ୍ଧ୍ର ଚାଲାଣ କରୁଛନ୍ତି ଦଲାଲ । ଜିଲ୍ଲାରେ ପ୍ରାଥମିକ ପର୍ଯ୍ଯୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୧ ଲକ୍ଷ ୪୬ ହଜାର ୫୦୪ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ପାଇଁ ୧୦ ଦିନ ବିଳମ୍ବରେ ଜାନୁଆରୀ ୩ରୁ ଖୋଲିଲା ମଣ୍ଡି । ୧୩ ତାରିଖ ମଧ୍ୟରେ ୧୦ ଦିନ ଭିତରେ ମାତ୍ର ୬୮ହଜାର ୧୬୪ ଟ୍ଵିଣ୍ଟାଲ୍ ଧାନ ଉଠିଥିବା ଜଣା ପଡ଼ିଛି । ଜିଲ୍ଲାର ମାତ୍ର ୧୩ଶହ ୩୭ ଜଣ ଚାଷୀ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଦଲାଲ । ଓଡ଼ିଶାରୁ କମ ଦରରେ ଧାନକିଣି ଟ୍ରକରେ ଆନ୍ଧ୍ର ବୋହି ନେଉଛନ୍ତି । ଅଦିନିଆ ବର୍ଷା ଯୋଗୁ ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଧାନ ନଷ୍ଟ ହୋଇଛି । ବର୍ଷା ଦାଉରୁ ଯେଉଁମାନେ କଷ୍ଟେମଷ୍ଟେ ବଞ୍ଚାଇ ରଖିଛନ୍ତି ସେମାନେ କିପରି ବିକ୍ରି କରିବେ ସେନେଇ ଚିନ୍ତାରେ ।
ଗତ ଖରିଫରେ ମିଳିଥିବା ଟାର୍ଗେଟରୁ ମାସେ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ଧାନ କ୍ରୟ ହୋଇ ସାରିଥିଲା । କିନ୍ତୁ ଚଳିତବର୍ଷ ଧାନକ୍ରୟ ପ୍ରକ୍ରିୟା ସମ୍ପୂର୍ଣ ଧିମା ଚାଲିଛି । ଦିଗପହଣ୍ଡି ବ୍ଲକକୁ ସର୍ବାଧିକ ୨୪୦ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ପାତ୍ରପୁର ବ୍ଲକକୁ ୧୭୦ ଓ ଚିକିଟି ବ୍ଲକକୁ ୧୨୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଅନ୍ୟ ବ୍ଲକରେ ଚାଷୀଙ୍କ ସଂଖ୍ୟା ୩ ଅଙ୍କ ଛୁଇଁନାହିଁ । ଧରାକୋଟ ବ୍ଲକକୁ ସର୍ବନିମ୍ନ ୧୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଜିଲ୍ଲାରେ ୨୦୨୪-୨୫ ଖରିଫରେ ମୋଟ ୪ ଲକ୍ଷ ୫ ହଜାର ୭୫୦ ହେକ୍ଟର୍ ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୧ଲକ୍ଷ ୭୮ହଜାର ୯ଶହ ହେକ୍ଟର୍ ଜମିରେ ଧାନ ଓ ୧ ଲକ୍ଷ ୨୬ହଜାର ୮୫୦ ହେକ୍ଟର୍ ଜମିରେ ଅଣଧାନ ଫସଲ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲାରେ ୩୬୫ଟି ସମବାୟ ସମିତି ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୧୭ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଧାନକ୍ରୟ କରିବେ ବୋଲି ନିଷ୍ପତ୍ତ ହୋଇଥିଲା । ଏଭଳି ମୋଟ ୪୮୩ଟି ଧାନକ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରି କରିବେ ବୋଲି ଚୂଡ଼ାନ୍ତ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଉପର ଚିକ୍କଣ, ଭିତର ଫମ୍ପା: ରାଜ୍ୟ ବିଜେପିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ, ପଦ୍ମ ଦଳରେ ବଢ଼ୁଛି ଅଡ଼ୁଆ
ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି। ହେଲେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ଡ଼େଡ଼ଲାଇନ ସରିବା ପରେ ବି ଚୂଡ଼ାନ୍ତ ହୋଇପାରୁନି ତାଲିକା। ଜିଲ୍ଲାସ୍ତରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ତୁଟୁନଥିବାରୁ ଜିଲ୍ଲା ସଭାପତିଙ୍କ ନାମରେ ମୋହର ବାଜିପାରୁନି। ଜାନୁଆରୀ ୫ ସୁଦ୍ଧା ମଣ୍ଡଳ ସଭାପତି, ୧୦ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ସୁଦ୍ଧା ରାଜ୍ୟ ସଭାପତି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଫେଲ୍ ମାରିଛି ଡ଼େଡ଼ଲାଇନ୍। ସଭାପତି ପଦ ଲାଗି ବି ଜାରି ରହିଛି ସସପେନ୍ସ ।
କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ? କିଏ ସମ୍ଭାଳିବେ ଜିଲ୍ଲା ଦାୟିତ୍ବ? ସରକାରୀ ଦଳ ହିସାବରେ ସାଙ୍ଗଠନିକ ମୁଖ୍ୟଙ୍କ ଗୁରୁତ୍ବ ବଢିଥିବାରୁ ପଦପଦବୀ ପାଇଁ ଚାଲିଛି ଅଙ୍କକଷା। ବ୍ଲକ, ଜିଲ୍ଲା ସ୍ତରରେ ବିବାଦ ତୁଟୁନଥିବାରୁ ଫେଲ୍ ମାରୁଛି ଡେଡଲାଇନ୍। ଚୁଡ଼ାନ୍ତ ହୋଇପାରୁନି ଜିଲ୍ଲା ସଭାପତିଙ୍କ ତାଲିକା। ତୃଣମୂଳ ସ୍ତରରେ ପୁରୁଣା ଓ ନୂଆ ବିଜେପି ମଧ୍ୟରେ ଚାଲିଛି ଟଣାଓଟରା। ପୁରୁଣା ବିଜେପିରୁ ମଣ୍ଡଳ ସଭାପତି କରିବାକୁ ଦଳ ମନସ୍ଥ କରିଥିବା ବେଳେ ବୟସ କଟକଣା ସାଜିଛି ବାଧକ। ବିଭିନ୍ନ କଟକଣା ଯୋଗୁଁ ମଣ୍ଡଳ ସଭାପତି ପାଇଁ ପ୍ରଥମ ପ୍ରସ୍ତାବ କାଟ ଖାଉଛି। ଜାନୁଆରୀ ୫ ତାରିଖ ସୁଦ୍ଧା ମଣ୍ଡଳ ସଭାପତି, ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି କନ୍ଦଳ ଯୋଗୁଁ ହୋଇପାରୁନି ନିଷ୍ପତ୍ତି। ମଣ୍ଡଳ ସଭାପତି କାମ ସରିଛି ଏବଂ ଜିଲ୍ଲା ସଭାପତି ପ୍ରକ୍ରିୟା ଚାଲିଛି ବୋଲି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ କହିଛନ୍ତି।
ନୂଆ ଓ ପୁରୁଣା ବିଜେପି ସହ ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ଜିଲ୍ଲା ସଭାପତି ପଦ ନିଜ କବଜାରେ ରଖିବାକୁ ଚାହୁଁଛନ୍ତି। ରାଜ୍ୟ ବିଜେପିରେ ୩୬ଟି ସାଙ୍ଗଠନିକ ଜିଲ୍ଲା ଥିବା ବେଳେ ୧୦ରୁ ଅଧିକ ଜିଲ୍ଲାରେ ଅଡ଼ୁଆ ଛିଡ଼ୁନଥିବାରୁ ଚୁଡ଼ାନ୍ତ ତାଲିକା ବିଳମ୍ବିତ ହେଉଛି। ଜିଲ୍ଲା ସଭାପତି ପରେ ରାଜ୍ୟ ସଭାପତି ସ୍ଥିର କରାଯିବ। ବିଜେପି କ୍ଷମତାକୁ ଆସିଥିବାରୁ ଏବର ସଭାପତି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ଦାୟିତ୍ବ ସମ୍ଭାଳିବେ ନା ନୂଆ ମୁହଁ ସାମନାକୁ ଆସିବେ, ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ହେଲେ ବିଜେପିରେ ସଭାପତି ରେସରେ କେହି ନଥାନ୍ତି ବୋଲି ମନମୋହନ କହିଛନ୍ତି। ଏପରିକି ପରୋକ୍ଷରେ ଦଳର ସାଙ୍ଗଠନିକ ପ୍ରକ୍ରିୟା ବାବଦରେ ଗଣମାଧ୍ୟମ ମୁଣ୍ଡ ନ ଖେଳାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟିରେ ୬ବର୍ଷରେ ଥରେ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ପ୍ରତି ୩ବର୍ଷରେ ଥରେ ବୁଥ ସ୍ତରରୁ ରାଷ୍ଟ୍ରୀୟ ସଭାପତି ପଦବୀ ଯାଏଁ ନିର୍ବାଚନ ହୋଇଥାଏ। ଓଡ଼ିଶାରେ ବିଜେପି କ୍ଷମତାରେ ଥିବାରୁ ସାଙ୍ଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।
୬ ମାସ ହେଲା ଚାଉଳ ପାଇନାହାନ୍ତି ରାଜ୍ୟବାସୀ: ଭୂତ ରାସନ କାର୍ଡ ମନ୍ତବ୍ୟ ପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ବର: ମାଣ୍ଡିପଙ୍କା ଆମ୍ଵ ଟାକୁଆ ମୃତ୍ୟୁ ଘଟଣାରୁ କିଛି ଶିଖିଲେନି ସରକାର। ରାସନ କାର୍ଡରେ ଅନେକ ଭୂତ କାର୍ଡ କହି ଏବେ ବି ଲୋକଙ୍କୁ ଭୂତାଉଛନ୍ତି। ୬ ମାସ ହେବ ସରକାର ଇକେଓ୍ବାଇସି ଆଳ ଦେଖାଇ ଚାଉଳ ଦେଉ ନାହାନ୍ତି। ରାଜ୍ୟ ବାହାରେ ଥିବା ଲୋକମାନେ ଇକେୱାଇସି କରିନାହାନ୍ତି । ଯାହାକୁ ଭୂତ କାର୍ଡ଼ ବୋଲି ସରକାର ଆଖ୍ୟା ଦେବା ଉଚିତ ନୁହେଁ ବୋଲି ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ କହିଛନ୍ତି । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 41 ଲକ୍ଷ ଏବେବି ଆବେଦନ କରିନାହାନ୍ତି । EKYC ସରିବା ଯାଏ ସ୍ପଷ୍ଟ ହେବ କେତେ ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି।
୩ ମାସ ରାସନ ନ ଦେବାରୁ କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ନିରୀହ ଆଦିବାସୀଙ୍କ ଜୀବନ ଗଲା । ରାସନ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଯୋଗାଣ ବିଭାଗର ପୋଲ୍ ଖୋଲିଛନ୍ତି ବିରୋଧୀ । ବିଜେଡିର ଅଭିଯୋଗ- ଭୂତ କାର୍ଡ କହି ଲୋକଙ୍କୁ ଭୂତାଉଛନ୍ତି ରାଜ୍ୟ ସରକାର । ସାରଦା ଜେନା ଯୁକ୍ତି ବାଢିଛନ୍ତି ରାସନ୍ କାର୍ଡ, ଆଧାର କାର୍ଡ ସହିତ ସଂଯୋଗ ହୋଇଛି । ଭାରତ ସରକାର ଆଧାର କାର୍ଡକୁ ସୀକୃତି ଦେଇଛନ୍ତି । ଆଧାର କାର୍ଡ ମିଛ କି ? ଯଦି ଆଧାର କାର୍ଡ ରାସନ୍ ସହ ସଂଯୋଗ ହୋଇଛି, ତେବେ ଭୂତ କାର୍ଡ ଆସିଲା କେଉଁଠି। ଇକେୱାଇସି ଆଳ ଦେଖାଇ ୬ ମାସ ହେଲା ରାଜ୍ୟ ସରକାର ଗରିବ ଲୋକଙ୍କୁ ରାସନ ଦେଉ ନାହାନ୍ତି । ବାହାର ରାଜ୍ୟରେ ଥିବା ଲୋକେ ଇକେୱାଇସି କରିନାହାନ୍ତି । ଯଦି ସେମାନେ ଇକେୱାଇସି ପାଇଁ ଆସିବେ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହି ହିତାଧିକାରୀଙ୍କୁ ଭୂତ କହି ଭୂତାଉଛନ୍ତି ମନ୍ତ୍ରୀ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି, ବାରମ୍ବାର ମିଛ କହୁଛନ୍ତି ଯୋଗାଣ ମନ୍ତ୍ରୀ। ଭୂତ ରାସନ କାର୍ଡ ଆଳରେ ହିତାଧିକାରୀଙ୍କୁ ଚାଉଳ ନ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ସରକାର। ଆଳୁ, ଧାନ ପରେ ରାସନ ନେଇ ଯୋଗାଣ ମନ୍ତ୍ରୀ କଣ କହୁଛନ୍ତି ନିଜେ ବୁଝି ପାରୁ ନାହାନ୍ତି। ବାହାରେ ଥିବା ହିତାଧିକାରୀ ଇକେୱାଇସି କରି ନାହାନ୍ତି । ସେମାନଙ୍କୁ ଭୂତ ବୋଲି କହିବା ଠିକ୍ ନୁହେଁ।
ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ପ୍ରାୟ 41 ଲକ୍ଷ ଲୋକ ଏବେ ବି ଆବେଦନ କରିନାହାନ୍ତି । ଇକେୱାଇସି ସରିବା ପରେ ସ୍ପଷ୍ଟ ହେବ କେତେ ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି। କିନ୍ତୁ ଭୂତ ହିତାଧିକାରୀ ଅଛନ୍ତି। ଯୋଗ୍ୟ ହିତାଧିକାରୀ ଆଦୌ କଟିବେ ନାହିଁ। EKYC ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ଆମ ପାଖକୁ ତଥ୍ୟ ଆସିଛି ପ୍ରାୟ 4 ଲକ୍ଷ ହିତାଧିକାରୀ ଏମିତି ଅଛନ୍ତି ଯେଉଁମାନେ କି ଆୟକର ଦେଉଛନ୍ତି। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରକୃତ ସତ୍ୟ ବାହାର କରିବେ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ ବିଜେପି ୱାନ ନେସନ୍ ୱାନ ରାସନ କଥା କହୁଛି । ତେବେ ବାହାର ରାଜ୍ୟରେ ଥିବା ଲୋକ EKYC କରିନଥିବାରୁ ସେମାନଙ୍କୁ ଭୂତ ହିତାଧିକାରୀ ଠିକ ନୁହେଁ ବୋଲି କଂଗ୍ରେସ କହିଛି। ରାସନ କାର୍ଡର ଇକେୱାଇସି କଣ୍ଟରେ ସାଧାରଣ ଲୋକେ ଯେମିତି ହଇରାଣ ନ ହୁଅନ୍ତି କି ଯୋଗ୍ୟ ହିତାଧିକାରୀ ଭୂତ କାର୍ଡ ରାଜନୀତିରେ ଯେମିତି ବଳି ନ ପଡ଼ନ୍ତି, ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ ।
ବିଜେପିକୁ ଝଟକା ଦେଲା ନବୀନଙ୍କ ଗୋଟି ଚାଳନା: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ହିଞ୍ଜିଳି ନିର୍ବାଚନମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜେଡି ସାଂଗଠନିକ ପ୍ରକ୍ରିୟା । ଗଞ୍ଜାମ ଜିଲ୍ଲାରେ ବିଜେପିକୁ ଝଟକା ଦେଇଛି ନବୀନଙ୍କ ଗୋଟି ଚାଳନା । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡ଼ା ପଞ୍ଚାୟତର ଅନେକ ପଞ୍ଚାୟତ ପ୍ରତିନିଧି ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଗତ ୭ ମାସରୁ ଲୋକଙ୍କ ସ୍ବାର୍ଥରେ ବିଜେପି କାମ କରୁନଥିବା ଅଭିଯୋଗ କରି ସେମାନେ ବିଜେଡିରେ ମିଶିଥିବା ନେଇ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ବିଜେଡି ସଂଗଠନକୁ ସୁଦୃଢ କରିବା ଦିଗରେ ସେମାନେ କାମ କରିବେ ।
(ଭିଓ୧) ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପୁଣି ମିଳିଲା ସ୍ବୀକୃତି । ନବୀନଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀର ପଞ୍ଚାୟତ ପ୍ରତିନିଧିମାନେ ବିଜେପି ଛାଡ଼ି ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ବିଜେଡିରେ ମିଶିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି । ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଓ ପଞ୍ଚାୟତ ପ୍ରତିନିଧି ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ପ୍ରଥମେ ସେମାନେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେପିର ଜନବିରୋଧୀ କାର୍ଯ୍ୟକ୍ରମ ସପଂର୍କରେ ଅବଗତ କରିଥିଲେ । ଏହା ପରେ ସେମାନେ ଶଙ୍ଖ ଭବନରେ ଯାଇ ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ବାଗତ କରିଥିଲେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା, ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ହିଞ୍ଜିଳିରୁ ଆରମ୍ଭ ହୋଇଛି ବିଜେଡିର ସାଂଗଠନିକ ପ୍ରକ୍ରିୟା । ଯେଉଁଠି ପୁଣି ଥରେ ନବୀନଙ୍କ ନେତୃତ୍ବ ଓ ବିକାଶ ଉପରେ ଭରସା କରି ବିଜେଡିକୁ ବାଛିଛନ୍ତି ବିଜେପି ନେତା । ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ । ଯେଉଁଠାରୁ ସେ ଲଗାତାର ୬ ଥର ବିଧାୟକ ଭାବେ ଜିତିଛନ୍ତି । ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଆଶୀର୍ବାଦ ବର୍ଷା କରି ବିଧାୟକ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ବିଜେପି କୌଣସି କାମ କରୁ ନଥିବା ଅଭିଯୋଗ କରି ନବୀନଙ୍କ ଜନସେବାର ଧାରାକୁ ବାଛିଛନ୍ତି ବିଜେଡିରେ ମିଶିଥିବା ନେତା ।
(ଭିଓ୨) ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଧ । ଓଡ଼ିଶାର ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଭରସା ଅତୁଟ ରଖିଛନ୍ତି ରାଜ୍ୟବାସୀ । ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ଭରସା ରହିଛି ।
ବାଇଟ୍: ଦେବୀ ମିଶ୍ର, ଅଧ୍ୟକ୍ଷ, ବିଜେଡି ସମନ୍ବୟ କମିଟି
ବାଇଟ୍: ସଞ୍ଜୟ ଦାସ ବର୍ମା, ଆବାହକ, ବିଜେଡି କାର୍ଯ୍ୟକ୍ରମ ରୂପାନ୍ତର କମିଟି
(ଫାଭିଓ) ୨୦୨୭ରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେ ଠାରୁ ହିଁ ସଂଗଠନ ସଜାଡ଼ିବାରେ ସବୁ ଦଳ ଲାଗି ପଡ଼ିଲେଣି । ତେବେ ଯେଉଁ ପରି ଭାବେ ଗଞ୍ଜାମରୁ ବିଜେଡି ପଞ୍ଚାୟତ ଦଖଲ କରି ସଂଗଠନ ସଦୃଢ କରିବା ଆରମ୍ଭ କରିଛି, ତାହା ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ବ ଉପରେ ପୁଣି ଥରେ ମୋହର ବାଜିଥିବା ଚର୍ଚ୍ଚା ଜୋର ଧରିଛି ।…..ଭୁବନେଶ୍ବରରୁ କ୍ୟାମେରାପର୍ସନ ଦୀନଭଞ୍ଜନଙ୍କ ସହ ପ୍ରିୟ ପ୍ରୀତମ ମହାନ୍ତିଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି ।

