spot_img
Home Blog Page 1115

କଣାସ ଅଞ୍ଚଳରେ ଝାଡ଼ାବାନ୍ତି ନେଲା ଆଉ ଏକ ଜୀବନ

ପୁରୀ: ପୁରୀ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ନେଲା ଆଉ ଏକ ଜୀବନ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ମୃତକ ହେଲେ ଜାଗୁଳେଇ ପଦରର ଜହ୍ନି ବେହେରା। ଝାଡ଼ାବାନ୍ତି ହେବାରୁ ଗତକାଲି ପୁରୀରୁ ଭୁବନେଶ୍ୱରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସେପଟେ ଜାଗୁଳାଇ ପଦରରୁ ଆହୁରି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କଣାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଦୟା ନଦୀର ପାଣି ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। ପ୍ରାୟ ୨୦ ଦିନ ହେଲାଣି ଏହି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି। କୁହାଯାଉଛି ବିଭିନ୍ନ ଗାଁର ଦୁଇ ଶହର ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ପ୍ରଶାସନ ପକ୍ଷରୁ ସ୍ଵୀକାର କରାଯାଇଥିଲା, କୋଲି ବ୍ୟାକଟେରିଆ ନମୁନାରୁ ମିଳିଥିଲା। ୨୦ ଦିନରୁ ଅଧିକ ହେଲାଣି ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ବିଶେଷ କରି ଦୟା ଓ ଅନ୍ୟାନ୍ୟ ନଦୀର ପାଣି ବ୍ୟବହାର କରୁଥିବା ଗାଁର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଏହି ସବୁ ନଦୀର ପାଣି ବହୁତ ପ୍ରଦୂଷିତ ହୋଇଥିବାରୁ ଝାଡ଼ାବନ୍ତି ବ୍ୟାପୁଛି । ପୁଣି ନୂଆ ରୋଗୀ ଚିହ୍ନଟ ହେବା ଦ୍ଵାରା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଛି। ରାଜ୍ୟ ସରକାର ପୁରାପୁରି ଭାବେ କଣାସ ଅଞ୍ଚଳରେ ଝାଡ଼ାବାନ୍ତିକୁ ରୋକି ପାରି ନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଲାଣି।

ମହାନଦୀ ଶୁଖାଇବାକୁ ଛତିଶଗଡ଼ ସରକାରଙ୍କ ବଡ଼ ପ୍ଲାନ, ସମସ୍ତ ଗେଟ ବନ୍ଦ କରିଦେଲା ଛତିଶଗଡ଼ ସରକାର

ଭୁବନେଶ୍ୱର: ଓଡ଼ିଶାର ଜୀବନ ରେଖା ମହାନଦୀକୁ ଶୁଖାଇବାକୁ ଛତିଶଗଡ଼ ସରକାରଙ୍କ ବଡ଼ ପ୍ଲାନ୍ । ମହାନଦୀ ଜଳ ବିବାଦ ଟ୍ରିବୁନଲରେ ଆଲୋଚନା ପରେ ବି ସମସ୍ତ ଗେଟ ବନ୍ଦ କରିଦେଲା ଛତିଶଗଡ଼ ସରକାର । ପୂର୍ବରୁ ଶିବରୀ ନାରାୟଣ ଵ୍ୟାରେଜ ସହ ଉପର ମୁଣ୍ଡର ଅନେକ ବ୍ୟାରେଜ ବନ୍ଦ କରିଦେଇଥିବା ବେଳେ କିଛିଦିନ ହେଲା କଲମା ବ୍ୟାରେଜର ସମସ୍ତ ୬୬ ଗେଟ ବନ୍ଦ କରିଦେଲା ଛତିଶଗଡ଼ ସରକାର। ଏହାସହ ବେଆଇନ ଭାବେ ୨୦ଟି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛି ଛତିଶଗଡ। କେତେକ ପ୍ରକଳ୍ପ ଶେଷ ହୋଇଥିବା ବେଳେ ଆଉ କେତେକ ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଆଧାରରେ ୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ କରାଯାଉଥିବା ବେଳେ ଚୁପ ବସିଛନ୍ତି ରାଜ୍ୟ ସରକାର । ଯାହାଫଳରେ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୩୭୮ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । କଲମା ବ୍ୟାରେଜ ବନ୍ଦ ଯୋଗୁଁ ରାଜ୍ୟରେ ଜଳର ଉତ୍କଟ ସମସ୍ୟା ଦେଖାଗଲାଣି । ଖରାଦିନ ପୂର୍ବରୁ ମହାନଦୀର ଏପରି ସ୍ଥିତି ଆଗାମୀ ଦିନର ଚିତ୍ରକୁ ସ୍ପଷ୍ଟ କରିଦେଇଛି । ଏହି ଅବସ୍ଥା ଲାଗିରହିଲେ ଆଗାମୀ ଖରାଦିନରେ ଉତ୍କଟ ଜଳ ସମସ୍ୟା ଦେଖାଦେବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଛତିଶଗଡ଼ର ଏଭଳି ଦାଦାଗିରିରେ ରାଜ୍ୟ ସରକାର କାହିଁକି ଚୁପ ବୋଲି ରାଜ୍ୟବାସୀ ପ୍ରଶ୍ନ ଉଠାଇଛନ୍ତି ।

ସରକାରଙ୍କ ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଫିସର; OASମାନଙ୍କୁ ତୁରନ୍ତ ରିଲିଭ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରଙ୍କ ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଫିସର। ବଦଳି ପରେ ବି କାର୍ଯ୍ୟରେ ଯୋଗ ନ ଦେଇ ପୂର୍ବ ସ୍ଥାନରେ ରହୁଛନ୍ତି। ୨୦୨୪ ଜୁଲାଇ ୨ ତାରିଖରୁ ଚଳିତ ମାସ ୨୪ ତାରିଖ ମଧ୍ୟରେ ମୋଟ ୩୭ଟି ବଦଳି ନିର୍ଦ୍ଦେଶ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନି। ବଦଳି ହୋଇଥିବା ଅଫିସରଙ୍କୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ରିଲିଭ୍ ନ କଲେ ତାକୁ ସରକାରଙ୍କ ନିର୍ଦ୍ଦେଶର ଅବମାନନା ଭାବେ ବିବେଚନା କରାଯାଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ବଦଳି ନିର୍ଦ୍ଦେଶ ଆଧାରରେ ଓଏଏସ୍ ଅଫିସରମାନଙ୍କୁ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ତାଗିଦ୍ ସତ୍ତ୍ୱେ ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ବଦଳିକୁ ସେମାନଙ୍କର ଉପରିସ୍ଥ କର୍ତ୍ତୃପକ୍ଷମାନେ କାର୍ଯ୍ୟକାରୀ କରୁନଥିବା ଦେଖିବାକୁ ମିଳିଛି । ବଦଳି ହୋଇଥିବା ଅଧିକାଂଶ ଅଫିସର ନିଜର ବର୍ତ୍ତମାନ ସ୍ଥାନରୁ ରିଲିଭ୍ ହୋଇନଥିବା ଅବା ନୂଆ ଦାୟିତ୍ୱ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ଏହି ବଦଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାନଯିବା ଦ୍ୱାରା ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତର ପ୍ରାଶାସନିକ ସମସ୍ୟା ସୃଷ୍ଟି ହୋଇଛି । ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଅଫିସରମାନେ ଦୀର୍ଘଦିନ ଧରି ରିଲିଭ୍ ହେଉନଥିବାରୁ ବଦଳିର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରୁନି । ଏହା ଖୋଲାଖୋଲି ସରକାରୀ ନିର୍ଦ୍ଦେଶର ଅବମାନନା, ଯାହାକି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

୨୦୨୪ ଜୁଲାଇ ମାସର ୮ଟି ବଦଳି ନିର୍ଦ୍ଦେଶ, ଅଗଷ୍ଟ ମାସର ୬ଟି ବଦଳି ନିର୍ଦ୍ଦେଶ, ସେପ୍ଟେମ୍ବର ମାସର ୩ଟି, ଅକ୍ଟୋବର ମାସର ୨ଟି, ନଭେମ୍ବର ମାସର ୫ଟି, ଡିସେମ୍ବର ମାସର ୪ଟି ଓ ଚଳିତ ଜାନୁୟାରୀ ମାସର ୪ଟି ବଦଳି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ତାଗିଦ୍ କରାଯାଇଛି।

କୁମ୍ଭମେଳାରେ ଦଳାଚକଟା ଘଟଣା: ଆଜି ଘଟଣାସ୍ଥଳ ପରିବର୍ଶନ କରିବେ ୩ ସଦସ୍ୟ ବିଶିଷ୍ଟ ବିଚାର ବିଭାଗୀୟ କମିଶନ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ଦଳାଚକଟା ଘଟଣା। ଆଜି ଘଟଣାସ୍ଥଳ ପରିବର୍ଶନ କରିବେ ୩ ସଦସ୍ୟ ବିଶିଷ୍ଟ ବିଚାର ବିଭାଗୀୟ କମିଶନ। ଦଳାଚକଟା ଘଟଣା ପରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ହର୍ଷ କୁମାରଙ୍କ ନେତୃତ୍ବରେ ଗଠିତ ହୋଇଥିଲା କମିଶନ। ଘଟଣାର ତଦନ୍ତ କରିବା ପରେ ଏକ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବ କମିଶନ। ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ପୂର୍ବତନ ଡିଜିପି ଭି.କେ. ଗୁପ୍ତା, ଅବସରପ୍ରାପ୍ତ ଆଇଏଏସ ଅଫିସର ଡି.କେ. ସିଂ। ଏହି କମିଟି ଘଟଣାସ୍ଥଳକୁ ଯାଇ ବିଭିନ୍ନ ଦିଗରୁ ଯାଞ୍ଚ କରିବା ସହ କାହିଁକି ଅଘଟଣ ଘଟିଲା ତାହାର ଅନୁଧ୍ୟାନ କରିବେ।

କାହିଁକି ଏହି ଅଘଟଣ ଘଟିଲା ତାହାର ପ୍ରଥମେ ଯାଞ୍ଚ କରିବ କମିଶନ। ବୁଧବାର ଘଟିଥିବା ଦଳାଚକଟା ଘଟଣାରେ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁୁ ଘଟିଥିବାବେଳେ ୬୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ। ମୌନି ଅମାବାସ୍ୟାରେ ବୁଡ ପକାଇବା ପବିତ୍ର ସାବ୍ୟସ୍ତ ହୋଇଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିତରେ ପ୍ରତିଯୋଗିତା ଚାଲିବାରୁ ଏହି ଅଘଟଣ ଘଟିଥିଲା।

୨୦୨୫ ବଜେଟରେ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ଅର୍ଥମନ୍ତ୍ରୀ ନିର୍ମଳା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଷ୍ଟମ ବଜେଟର କଣ ହେବ କଳେବର । କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ନିର୍ମଳା, ସେ ନେଇ ଚାଲିଛି କଳ୍ପନାଜଳ୍ପନା ।

ଗତ ୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୩-୨୪ ତୁଳନାରେ ଏହି ପରିମାଣ ୮.୫ ପ୍ରତିଶତ ଅଧିକ ଥିଲା। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି । ସେହିପରି ଗତ ବଜେଟରେ କରଜ ବିନା ମୋଟ ଆଦାୟ ଲକ୍ଷ୍ୟ ରହିଥିଲା ୩୨ ଦଶମିକ ୭ ଲକ୍ଷ କୋଟି ଟଙ୍କା । ଶୁଳ୍କରୁ ମୋଟ ଆୟ ପରିମାଣ ୨୫ ଦଶମିକ ୮୩ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ରାଜସ୍ବ ନିଅଣ୍ଟ ପରିମାଣ ଥିଲା ଜିଡିପିର ୪ ଦଶମିକ ୯ ପ୍ରତିଶତ ।

ଚଳିତ ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ମିଳିପାରେ ପ୍ରାଧାନ୍ୟ। ଜିଡିପିର ପ୍ରାୟ ୫ ପ୍ରତିଶତ ବ୍ୟୟ ଲାଗି ବଜେଟରେ ରହିପାରେ ଲକ୍ଷ୍ୟ । ଏଆଇଭିତ୍ତିକ ଚିକିତ୍ସା ପ୍ରଣାଳୀ ଉପରେ କରିପାରନ୍ତି ଫୋକସ ଅର୍ଥମନ୍ତ୍ରୀ। ବଜେଟରେ କୃଷି କ୍ଷେତ୍ର ଲାଗି ଦିଆଯାଇପାରେ ଅଧିକ ଗୁରୁତ୍ବ । ଏମଏସପି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସରକାର ନେଇପାରନ୍ତି ଦରଗତ ସ୍ଥିରତା ରକ୍ଷା ସଂକ୍ରାନ୍ତ କୌଶଳ। କିଷାନ କ୍ରେଡିଟ ସ୍କିମକୁ ବି ଅଧିକ ସମ୍ପ୍ରସାରିତ କରିପାରନ୍ତି ସରକାର । ରିଟେଲ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଲାଗି କେତେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିପାରନ୍ତି ନିର୍ମଳା। ଇଲେକ୍ଟ୍ରିକ ଯାନ ସକାଶେ ଜିଏସଟି ବି ହ୍ରାସ କରିବା ସମ୍ଭାବନା ରହିଛି । ରିୟଲ ଇଷ୍ଟେଟ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ନିର୍ମାଣ ସାମଗ୍ରୀ ଯଥା ସିମେଣ୍ଟ, ରଡ ଉପରୁ ଜିଏସଟି ହ୍ରାସ ସମ୍ଭାବନା ରହିଛି । ଗତ ବଜେଟରେ ପ୍ରତିରକ୍ଷା ଲାଗି ୪ ଲକ୍ଷ ୫୪ ହଜାର ଲକ୍ଷ କୋଟି ଟଙ୍କା ଅଟକଳ କରାଯାଇଥିବାବେଳେ ଚଳିତ ବଜେଟରେ ଏହି ପରିମାଣ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି ।

ଆଜିଠୁ ସଂସଦର ବଜେଟ ଅଧିବେଶନ: ସଂସଦରେ ବିଜେଡି ଉଠାଇବ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଓ ଏମଏସପି ଭଳି ପ୍ରସଙ୍ଗ

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ, ମୁଦ୍ରାସ୍ଫୀତି ଓ ଦରବୃଦ୍ଧି, ଉତ୍କଟ ବେକାରୀ, ଚାଷୀଙ୍କୁ ଏମଏସପି ଦୁଇଗୁଣ କରିବା, ପୋଲାଭରମ ଓ ମହାନଦୀ ବିବାଦ, କୋଇଲା ରୟାଲଟି, ଗ୍ରୀନ ଟାକ୍ସ, ଜାତୀୟ ରାଜପଥ, ସମ୍ବଲପୁର, କୋରାପୁଟ ଓ ବାଲେଶ୍ବରରେ ପୂର୍ଣ୍ଣକାଳୀନ ଏମସ ହସ୍ପିଟାଲ ପ୍ରତିଷ୍ଠା ଆଦି ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି। ଏହା ସହ ହୋ, ମୁଣ୍ଡାରି, ଭୂମିଜ ଓ କୁଇ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସ୍ଥାନୀତ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ରେଳବାଇ ଆଦି ପ୍ରସଙ୍ଗରେ ବିଜେଡି ଜୋରଦାର ସ୍ବର ଉତ୍ତୋଳନ କରିବ।

ଗତକାଲି ଗୃହକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ଲାଗି ବସିଥିବା ସର୍ବଦଳୀୟ ବୈଠକରେ ହୋଇଥିଲା ଆଲୋଚନା। ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିବାବେଳେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଜେ.ପି. ନଡ୍ଡା, ଅର୍ଜୁନରାମ ମେଘୱାଲ ଓ ଏଲ ମୁରୁଗାନଙ୍କ ସମେତ ଅନ୍ୟାନ୍ୟ ନେତା। ଏହା ସହ କଂଗ୍ରେସର ଜୟରାମ ରମେଶ, କେ. ସୁରେଶ, ଗୌରବ ଗୋଗଇ, ଟିଏମସି ଏମପି ସୁଦୀପ ବନ୍ଦୋପାଧ୍ଯାୟ, ଡେରେକ ଓବ୍ରିୟେନ, ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଦଳର ନେତା ସାମିଲ ହୋଇଥିଲେ।

ଆଜିଠୁ ସଂସଦର ବଜେଟ ଅଧିବେଶନ, ଉଭୟ ଗୃହର ମିଳିତ ଅଧିବେଶନକୁ ଆଜି ସମ୍ବୋଧିନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ବଜେଟ ଅଧିବେଶନ। ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା କାଲି ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ । ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅଧ ଘଣ୍ଟା ଲାଗି ଏକ ସ୍ବତନ୍ତ୍ର ସିଟିଂ ବସିବ। ଆସନ୍ତା ଫେବୃଆରୀ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉତ୍ତର ରଖିବେ।

ଚଳିତ ଅଧିବେଶନରେ ମୋଟ ୨୭ଟି ସିଟିଂ ଧାର୍ଯ୍ୟ କରାଯାଇଛି। ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ୟା ସମେତ ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁ ଉଭୟ ଗୃହର କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ବଜେଟ ଅଧିବେଶନରେ କିପରି ଶାନ୍ତିଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିଥିଲେ ।

କୁମ୍ଭମେଳା ଦଳାଚକଟା ମୃତକଙ୍କ ମଧ୍ୟରେ ଓଡ଼ିଆ କେତେ ? ସରକାରଙ୍କ ନାଁରେ ମାନବାଧିକାର କମିଶନଙ୍କ ପାଖରେ ମାମଲା

ଭୁବନେଶ୍ବର: ଭିଭିଆଇପିଙ୍କ ଜୀବନର ମୂଲ୍ୟ ଅଛି । ହେଲେ ସାଧାରଣ ଶ୍ରଦ୍ଧାଳୁଙ୍କ ମୂଲ୍ୟ କ’ଣ ? ଗତକାଲି ମୌନି ଅମାବାସ୍ୟାରେ ଦଳାଚକଟାରେ ପ୍ରାଣହାନୀ ଘଟିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସଂଖ୍ୟା କେତେ ତାକୁ ନା ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି ନା ଡବଲ ଇଞ୍ଜିନ ସରକାର କିଛି ସ୍ପଷ୍ଟ କରିଛନ୍ତି । ଏ ନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଦାୟର ହୋଇଛି ମାମଲା । ପ୍ରତ୍ୟେକ ମୃତାହତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ସହୟତା ଦେବାକୁ ଦାବି ହୋଇଛି । ସେପଟେ ବିରୋଧୀଙ୍କ ଦାବି ରାଜ୍ୟ ସରକାର ତୁରନ୍ତ କୁମ୍ଭମେଳାରେ ସ୍ବତନ୍ତ୍ର କ୍ୟାମ୍ପ ପକାଇ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦାୟିତ୍ବ ନିଅନ୍ତୁ ।

କୁମ୍ଭମେଳାରେ ବୁଡ଼ ପକାଇବାକୁ ଗଲେ । ଦଳାଚକଟାରେ ଜୀବନ ଗଲା । ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଭିତରେ ଓଡ଼ିଆ ଭକ୍ତ ବି ସାମିଲ ଥାଇପାରନ୍ତି । ଏ ପର୍ଯ୍ୟନ୍ତ କେତେ ଓଡ଼ିଆ ପ୍ରାଣ ହରାଇଛନ୍ତି ? କେତେ ଗୁରୁତର ଆହତ ଓ କେତେ ନିଖୋଜ ଅଛନ୍ତି ? ନା ସେଠାକାର ସରକାର ସ୍ପଷ୍ଟ କଲେଣି ନା ରାଜ୍ୟରେ ମୃତାହତଙ୍କ ବିଷୟରେ ଜାଣିବା ପାଇଁ ତତ୍ପରତା ଦେଖାଇଛନ୍ତି ମୋହନ ସରକାର । ଏ ନେଇ ପୁରୀର ମାନବାଧିକାର କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ମାମଲା ଦାୟର କରିଛନ୍ତି ।

କୁମ୍ଭ ଦଳାଚକଟାରେ ୩୦ ଜଣ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଗୁରୁତର ଥିବା ସରକାରୀ ସ୍ତରରେ ପ୍ରକାଶ କରାଯାଇଛି । ଭିଭିଆଇପି ଓ ଭିଆଇପି କିପରି ସୁରକ୍ଷିତ ବୁଡ଼ ପକାଇବେ ସବୁ ବ୍ୟବସ୍ଥା ହୋଇଛି । ଅଥଚ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ସୁବିଧା କରାଯାଇ ନଥିବାରୁ ଏପରି ଅଘଟଣ ଘଟିଥିବା ଆବେଦନକାରୀ ତାଙ୍କ ଆବେଦନରେ ଜଣାଇଛନ୍ତି । ମୃତାହତଙ୍କ ପରିବାରକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଆଦେଶ ଦେବାକୁ କମିଶନଙ୍କୁ ଗୁହାରୀ କରାଯାଇଛି ।

କୁମ୍ଭମେଳା ଅଘଟଣ ପରେ ଓଡ଼ିଶା ସରକାରଙ୍କ ସ୍ଥାଣୁତାକୁ ଦାୟୀ କରିଛନ୍ତି ବିରୋଧୀ । ଆଗରୁ ମେଳା ପରିସରରେ ଥିବା ଟେଣ୍ଟରେ ନିଆଁ ଲାଗିଥିଲା । ଆଜି ବି ନିଆଁ ଲାଗି ୧୫ଟି ଟେଣ୍ଟ ଜଳିଯିବା ଖବର ଆସିଛି ।

ଏତେ ବଡ଼ ମେଳାରେ କୋଟି କୋଟି ଲୋକ ଏକାଠି ହେବେ ବୁଡ଼ ପକାଇବେ । ସେଥିପାଇଁ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଥିବା ପ୍ରଚାର କରୁଛନ୍ତି । କିନ୍ତୁ ଏସବୁ ସତ୍ତ୍ବେ ଏପରି ଅଘଟଣ ଘଟୁଛି କିପରି ? ଓଡ଼ିଶା ସରକାର ସେଠାକୁ ନା କୌଣସି ମନ୍ତ୍ରୀଙ୍କୁ ପଠାଇଛନ୍ତି ନା କୌଣସି ଅଧିକାରୀଙ୍କୁ ପଠାଇ ଭଲମନ୍ଦ ବୁଝିବା ପାଇଁ ମୁଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨୦ରୁ ୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଆପ ଓ କଂଗ୍ରେସ । ଭୁବନେଶ୍ବରରେ ଯେପରି ଭାବେ ଫୁଟପାଥ୍ ଉପରେ ଲୁହା ବାରିକେଡ୍ କରାଯାଇଛି ତାହା ବି ଆଗାମୀ ଦିନରେ ବିପଦ ଟାଣି ଆଣୁଛି । ଏପରିକି ଉତ୍କର୍ଷ ଓଡ଼ିଶା ପାଇଁ ଜନତା ମଇଦାନ ପାଖରେ ମାଳ ମାଳ ଫ୍ଲେକ୍ସ ବ୍ୟାନର ଓ ଲୁହାବାଡ଼ ଲଗାଯାଇ ଲୋକଙ୍କ ଜୀବନକୁ ବିପନ୍ନ କରାଯାଇଥିବା ବାମଦଳ ଅଭିଯୋଗ କରିଛି ।

କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ଜୀବନ ସୁରକ୍ଷିତ ନା ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତର ସହ ସେ ଦିଗରେ ଧ୍ୟାନ ଦେବାକୁ ମାନବାଧିକାର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସରେ ଜଣାଇଛନ୍ତି ।

ସ୍ବାସ୍ଥ୍ୟ ସୁରକ୍ଷାରେ ରୋଲ ମଡେଲ ନବୀନ ସରକାର, କୁଷ୍ଠ ନିରାକରଣରେ ନେଇଥିଲେ ବିହିତ ପଦକ୍ଷେପ

ଭୁବନେଶ୍ବର: ଆଜି ଜାତୀୟ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପୂର୍ବର ନବୀନ ପଟ୍ଟନାୟକ ସରକାର ସମୟର ବଡ଼ ସଫଳତା ଉନ୍ମୋଚନ ହୋଇଛି । ୨୦୨୩-୨୪ ଯାଏଁ କୁଷ୍ଠ ନିରାକରଣରେ ନବୀନ ନେଇଥିଲେ ବିହିତ ପଦକ୍ଷେପ । ଯେଉଁଥି ପାଇଁ ଅନେକ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ହାର କମ୍ ରହିଛି । ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ଆଜି ଗାଁ ଗାଁକୁ ଗଡ଼ିଛି ସଚେତନତା ଗାଡ଼ି ।

ନବୀନଙ୍କ ଶାସନ କାଳରେ ରାଜ୍ୟରେ କମିଥିଲା ନୂଆ କୁଷ୍ଠ ରୋଗୀଙ୍କ ସଂଖ୍ୟା । ରୋଗୀ ଚିହ୍ନଟ ସାଙ୍ଗକୁ ମିଳିଥିଲା ଉତ୍ତମ ଚିକିତ୍ସା ସୁବିଧା । ୨୦୧୯-୨୦ରେ ଚିହ୍ନଟ ହୋଇଥିଲେ ୧୦ ହଜାର ୭୭ କୁଷ୍ଠ ରୋଗୀ । ପୁରୁଣା ସରକାର ସମୟରୁ ଏହି କାର୍ଯ୍ୟକ୍ରମ ଜାରି ଥିବାରୁ ନୂଆ ସରକାର ୨୦୨୪ ଡିସେମ୍ବର ସୁଦ୍ଧା ୬ ହଜାର ୧୯୪ ଜଣ ନୂଆ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ପାରିଛନ୍ତି । ୧୯୮୩ରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧୨୧.୪ ଜଣ କୁଷ୍ଠ ରୋଗୀ ଥିଲେ । ହେଲେ ୨୦୨୩-୨୪ରେ ସାରା ରାଜ୍ୟରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧.୪୮ ଜଣ କୁଷ୍ଠ ରୋଗୀ ଚିହ୍ନଟ ହେଲେ । ଏବେ ୧୪ଟି ଜିଲ୍ଲାରେ ଏହି ହାର ପ୍ରତି ୧୦ ହଜାର ଜନସଂଖ୍ୟାରେ ୧ରୁ କମ ରହିଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଗ୍ରେଡ୍ ଦୁଇ ଭିନ୍ନକ୍ଷମ ହାର ୨୦ ଜିଲ୍ଲାରେ ୨ ପ୍ରତିଶତରୁ କମ ଥିବା ନେଇ ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ରିପୋର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ୨୦୨୩-୨୪ରେ ୧୪୬ ଜଣ କୁଷ୍ଠ ରୋଗୀଙ୍କ ରିକନଷ୍ଟ୍ରକଟିଭ୍ ସର୍ଜରୀ କରାଯାଇ ନୂଆ ଜୀବନ ଦିଆଯାଇଛି । ଏହି ସଫଳତାରେ ଆଶା ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କର ରହିଛି ବଡ଼ ଭୂମିକା । ସଚେତନତା ଯୋଗୁଁ ରାଜ୍ୟରେ କୁଷ୍ଠ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ସୁଫଳ ମିଳିଥିଲା ।

ସେପଟେ ଖୁବଶୀଘ୍ର କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଦିଆଯିବ ମାଗଣା ଟୀକା । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି । ଆଇସିଏମଆର ଏହାର ନୋଡାଲ ଏଜେନ୍ସି ରହିବ । ଏ ଦିଗରେ ଆଇସିଏମଆର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ଭୁବନେଶ୍ବରର ମିଳିତ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଆରମ୍ଭ ହୋଇଛି ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ । ଫେବୃଆରୀ ୧୩ ତାରିଖ ଯାଏଁ ଗାଁ ଗାଁରେ ସଚେତନତା ଗାଡ଼ି ବୁଲି ଲୋକଙ୍କୁ ସଚେତନ କରାଇବ ।

ବିଜେପିକୁ ଥଇଥାନ ଚିନ୍ତା: ପଦବୀ କମ, ଆଶାୟୀ ଅଧିକ

ଭୁବନେଶ୍ବର: ସଂଗଠନରୁ ସରକାର, ସବୁଠି ବିଜେପିର ଅଧାଗଢ଼ା ଟିମ୍ । କାହିଁକି ପୂର୍ଣ୍ଣ ଟିମ ଗଠନ କରିପାରୁନି ବିଜେପି । ତାହାକୁ ନେଇ ଦଳ ଭିତରେ ଚାଲିଛି ଅନେକ ଚର୍ଚ୍ଚା । ସରକାର ଗଠନର ୭ ମାସ ପରେ ବି ଛିଡୁନି ନିଗମ ବଣ୍ଟା । ପଦଠାରୁ ଆଶାୟୀ ଅଧିକ ଥିବାରୁ ଚୟନ ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି କହିଛନ୍ତ ବିଧାୟକ । ଠିକ ସମୟରେ ଶୀର୍ଷ ନେତୃତ୍ବ ଉଚିତ ଲୋକଙ୍କୁ ଦାୟିତ୍ବ ଦେବେ । ହେଲେ ଦଳର ଆଉ କିଛି ବିଧାୟକ ଏ ପ୍ରସଙ୍ଗରେ ମୁହିଁ ଖୋଲିବା ପରେ ପଦ୍ମ ଶିବିରରେ ଆରମ୍ଭ ହୋଇଛି ଚର୍ଚ୍ଚା ।

୩୭ଟି ସାଂଗଠନିକ ଜିଲ୍ଲାରୁ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବାକି ରହିଛି ୧୪ ସାଂଗଠନିକ ଜିଲ୍ଲା । ସେହିପରି ମନ୍ତ୍ରିମଣ୍ଡଳରେ ଏଯାଏଁ ପୂରଣ ହୋଇନି ୬ଟି ମନ୍ତ୍ରୀ ପଦ । ୭ ମାସ ପରେ ବି ନିଗମ ବଣ୍ଟନ କରିପାରୁ ନାହାନ୍ତି ସରକାର । ସଂଗଠନଠାରୁ ଆରମ୍ଭ କରି ସରକାର ଯାଏଁ ଅଧାଗଢାରେ ଚାଲିଛି ବିଜେପି । ରାଜ୍ୟରେ ପ୍ରଥମଥର ବିଜେପି କ୍ଷମତାକୁ ଆସିଥିବାରୁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ପଦବୀଠାରୁ ଅଧିକ ରହିଛି । ଯାହାକୁ ନେଇ ସବୁଠି ଉପୁଜିଛି ଅଛିଣ୍ଡା ସ୍ଥିତି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, ଆଶାୟୀ ଅଧିକ ଥିବାରୁ, ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ବିଧାୟକ ସରୋଜ ପାଢୀଙ୍କ କହିବା କଥା, ଯାହା ନିଷ୍ପତ୍ତି ନେବେ ସରକାର । କିନ୍ତୁ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଯେ, ଦଳ ପାଇଁ ଯିଏ କାମ କରିଛି ସେମାନଙ୍କୁ ଦାୟିତ୍ବ ଦିଆଯିବ । ବିଜେପି ତଣ୍ଟିରେ ନିଗମ ଓ ଜିଲ୍ଲା ସଭାପତି କଣ୍ଟା  ଲାଗିଥିବା ବେଳେ ବିଧାୟକଙ୍କ ଭିନ୍ନ ଭିନ୍ନ ମତ ଦଳୀୟ ରାଜନୀତିକୁ ଉଷ୍ମ କରିଛି ।

ସେପଟେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଦୂର ହୋଇନି ବିଜେପିର ଟେନସନ । ଜିଲ୍ଲା ସଭାପତି ଚୟନକୁ ଭିନ୍ନ ପ୍ରସଙ୍ଗ କହି ଏଡାଇ ଦେଇଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଅନ୍ୟପଟେ ବିଜେପିରେ ଆଶୟୀଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ବଢ଼ିଛି ଶୀର୍ଷ ନେତୃତ୍ବଙ୍କ ଚିନ୍ତା ।

ବିଜେପି ବିଧାୟକଙ୍କ କହିବା ଅନୁସାରେ ଆଶାୟୀ ଅଧିକ ଥିବାରୁ ନିଗମ ଓ ବାକି ଥିବା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନି । ଦଳୀୟ ନେତାଙ୍କ ଏହି ଯୁକ୍ତି ସତ ନା ଏହା ପଛରେ ରହିଛି ଆଉ କିଛି କାରଣ ତାହାକୁ ନେଇ ମୁଣ୍ଡ ଟେକିଲାଣି ଭିନ୍ନ ଭିନ୍ନ ମତ ।