ନନ୍ଦିଘୋଷ ବ୍ୟୁରୋ: ଜାଗର ଜାଳିବାକୁ ଯାଇଥିବା ବେଳେ ତାଲାଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରୁ ସୁନା, ରୁପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିନେଇଛନ୍ତି ଦୁର୍ବୃତ୍ତ । ବୁଧବାର ମହାଶିବରାତ୍ରିରେ ପରିବାର ଲୋକେ ନିକଟ ପଶ୍ଚିମେଶ୍ୱର ମହାଦେମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ । ଆଜି ସକାଳୁ ଘରକୁ ଫେରି ଘରର ମୁଖ୍ୟକବାଟ ତାଲା ଭଙ୍ଗାଯାଇଥିବା ବେଳେ ଘର ଭିତରେ ଆଲମୀରା ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ସୁବାସ ଦଳେଇ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ନ୍ୟାୟ ଦେଇ ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।
ଆସନ୍ତା ଶିକ୍ଷାବର୍ଷରୁ CBSE ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ୍ଵ
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷରୁ CBSE ବର୍ଷକୁ ୨ଟି ଦଶମ ବୋର୍ଡ ପରୀକ୍ଷା କରିବାକୁ ଯାଉଛି। ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ଵିତୀୟ ମେ’ ମାସରେ ହେବ। ଯିଏ ଅଧିକ ଭଲ କରିବାକୁ ଚାହୁଁଥିବେ ସେମାନେ ପ୍ରଥମ ସହ ଦ୍ଵିତୀୟ ପରୀକ୍ଷା ବି ଦେଇପାଇବେ। ହେଲେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ମତାମତ ମାର୍ଚ୍ଚ ୯ସୁଦ୍ଧା ଦେବାକୁ ଅଭିଭାବକ, ଶିକ୍ଷାବିତଙ୍କ ସହ ଅନେକ ଅଂଶୀଦାରଙ୍କ ପାଇଁ ସିବିଏସଇ ୱେବସାଇଟରେ ବ୍ୟବସ୍ଥା କରାଯାଇଛି। ହେଲେ ମତାମତ ଆସିବା ପର୍ବରୁ ହିଁ ଦ୍ବନ୍ଦ୍ବ ଓ ଅସନ୍ତୋଷ ଦେଖା ଦେଲାଣି। ଗୋଟିଏ ପଟେ ଛାତ୍ରଛାତ୍ରୀ ଦୁଇଟି ପରୀକ୍ଷାକୁ ନେଇ ଖୁସି ଅନୁଭବ କରୁଛନ୍ତି। ହେଲେ ଦୁଇଟି ପରୀକ୍ଷାର ଚାପ ବି ମନରେ ରହିଛି। ଏକାଦଶ ପାଠପଢା ସହ କ୍ରାସ୍ କୋର୍ସ ପ୍ରସ୍ତୁତିରେ ଅସୁବିଧା ଆଶଙ୍କା ରହିଛି। କାରଣ ଦ୍ବିତୀୟ ପରୀକ୍ଷା ଯେଉଁ ସମୟରେ ଦେବେ, ସେହି ସମୟରେ JEE, ମେଡିକାଲ ପରି ପାଠ୍ୟକ୍ରମର ଅଗ୍ରୀମ କୋଚିଂ ଆରମ୍ଭ କରିଥାନ୍ତି। ଡବଲ ବୋର୍ଡ ପରୀକ୍ଷାରେ ଭିତ୍ତିଭୂମି ମଧ୍ୟ ଏକ ପ୍ରମୁଖ ଦିଗ ବହନ କରିବ। ପ୍ରଥମ ବୋର୍ଡ ପରୀକ୍ଷା ସହ ଅନ୍ୟ କ୍ଲାସ ପ୍ରମୋସନ ପରୀକ୍ଷାର ଖାତା ଦେଖାରେ ଶିକ୍ଷକ ବ୍ୟସ୍ତ ଥିବେ। ପୁଣି ଦ୍ବିତୀୟ ପରୀକ୍ଷାର ଖାତା ଦେଖା ସମୟରେ ଏକାଦଶ ପାଠପଢା ପ୍ରଭାବିତ ହୋଇପାରେ। ଅଡୁଆ ସେତେବେଳେ ବଢିବ, ଯେବେ ଆଇସିଏସଇ ଓ ଷ୍ଟେଟ ବୋର୍ଡ ଗୁଡ଼ିକରୁ ନିଷ୍ପତ୍ତି ମଗାଯିବ। ସେମାନେ ପିଲାମାନଙ୍କୁ ଡବଲ ପରୀକ୍ଷାର ଆଉ ଏକ ସୁଯୋଗ ଦେବେ ତ? ନା ସିବିଏସଇକୁ ଆଗରେ ରଖି କେନ୍ଦ୍ର ଶିକ୍ଷା ବିଭାଗ ନିଷ୍ପତ୍ତି ନେବ? ବେଷ୍ଟ ଅଫ୍ ଓ୍ବାନର ରେଜଲ୍ଟ ପ୍ରକାଶ ପାଇବ ନା ପରୀକ୍ଷାକୁ ସପ୍ଲିମେଣ୍ଟାରୀ ଢାଞ୍ଚାରେ ବିବେଚନା କରାଯିବ? ଏତେ ସବୁ ପ୍ରଶ୍ନ ଭିତରେ ଏବେ ଘାଣ୍ଟି ହେଉଛି ସିବିଏସଇର ନୂଆ ନିୟମ ।
ସେପଟେ କେନ୍ଦ୍ରକୁ ତୀବ୍ର ଭର୍ସନା କରିଛନ୍ତି ଅଭିଭାବକ ଓ ଶିକ୍ଷାବିତ। ସରକାର ଦୁଇ ପ୍ରକାର କଥା କହି ପାରିବେନି। ପ୍ରଥମେ ଜାତୀୟ ଶିକ୍ଷା ନୀତି ୨୦୨୦ ରେ କହିଲେ ବୋର୍ଡ ପରୀକ୍ଷା ଦ୍ବାଦଶ ଶ୍ରେଣୀରେ ହେବ। ଏବେ ଦଶମରେ ଦୁଇଟି ବୋର୍ଡ ପରୀକ୍ଷାର ଅର୍ଥ କଣ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ସେହିପରି ଶିକ୍ଷାବିତମାନେ ସିବିଏସଇ ଓ କେନ୍ଦ୍ର ସରକାରଙ୍କ ବ୍ୟବସାୟିକ ଦିଗ ଆଡ଼କୁ ଇସାରା କରିଛନ୍ତି। ଯେତେ ଥର ପରୀକ୍ଷା ହେବ, ସେତେ ଥର ଫର୍ମ ଫିଲ ଅପ୍ ହେବ। ବାରମ୍ବାର ଫର୍ମ ଫିଲ ଉପରେ ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଏହା ଏକ ବ୍ୟୟ ବହୁଳ ନିଷ୍ପତ୍ତି ବୋଲି ଶିକ୍ଷାବିତ ମହଲରେ ଅଭିଯୋଗ ହୋଇଛି।
ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାର ନିୟମ ରହିଛି। ହେଲେ ଉର୍ଦ୍ଦୁ, ବଙ୍ଗଳା, ତାମିଲ, ତେଲଗୁ, ଗୁଜୁରାଟି ଓ ମଣିପୁରୀ ପରି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାକୁ ସିବିଏସଇ ଚିଠା ଯୋଜନାରେ ସ୍ଥାନ ମିଳିଥିବାବେଳେ ଓଡ଼ିଆକୁ ଏଥିରୁ ବାଦ୍ ଦିଆଯାଇଥିଲା। ହେଲେ ବିଭିନ୍ନ ମହଲରୁ ଓଡ଼ିଆ ଅସ୍ମିତା ନେଇ ନିନ୍ଦା ଆସିବା ପରେ ଚିଠା ଯୋଜନାକୁ ପୁଣି ସଂଶୋଧନ କରି ଓଡ଼ିଆ ଭାଷାକୁ ସାମିଲ କରାଗଲା ।
ଫେଲ୍ ମାରୁଛି ରାଜ୍ୟ ବିଜେପି ସଭାପତି ଚୟନ ଡେଡଲାଇନ
ଭୁବନେଶ୍ୱର: ଚାଲିଛି ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ବ। ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ। ପ୍ରଥମେ ଜାନୁଆରୀ ୧୫, ତାପରେ ଜାନୁଆରୀ ଶେଷ ଓ ପୁଣି ଫେବୃଆରୀ ଶେଷ। ଏବେ ରାଜ୍ୟ ପ୍ରଭାରୀ କହୁଛନ୍ତି ମାର୍ଚ୍ଚ ୧୫ ସୁଦ୍ଧା ବଛାଯିବ ରାଜ୍ୟ ସଭାପତି। ତାରିଖ ପରେ ତାରିଖ ବଦଳୁଥିବା ବେଳେ ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ। ସଭାପତି ପଦକୁ ନେଇ ଦଳ ଭିତରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି କନ୍ଦଳ। ତେବେ ସରକାର ଗଠନର ୮ ମାସ ପରେ ବି ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ମଧ୍ୟ କସରତ ସରୁନାହିଁ। ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି। ଏଥିପାଇଁ ଆରମ୍ଭ ହୋଇଛି କସରତ।
ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ ପରେ ଦଳ ଓ ସରକାର ମଧ୍ୟରେ ସମନ୍ବୟ ପାଇଁ ଘନ ଘନ ବୈଠକ ବସୁଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ଦଳର ତୁଙ୍ଗ ନେତା। ରାଜ୍ୟ ପ୍ରଭାରୀ ବିଜୟ ପାଲ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ, ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ନିଗମ ଓ ବୋର୍ଡ଼ ନିଯୁକ୍ତି ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହା ସହ ରାଜ୍ୟ ସଭାପତି ଓ ରାଜ୍ୟ କମିଟି ପଦାଧିକାରୀ ଚୟନ ବି ମୁଖ୍ୟ ପ୍ରସଙ୍ଗ ରହିଛି। ଏସବୁ ନିଯୁକ୍ତି ହୋଇପାରୁନଥିବାରୁ ଦଳ ଓ ସରକାର ଉଭୟ ଗତିଶୀଳ ହୋଇ ପାରୁନାହାନ୍ତି। ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇଙ୍ଗିତକୁ ଅପେକ୍ଷା କରୁଛି ରାଜ୍ୟ ବିଜେପି। ତେବେ ଖୁବ ଶୀଘ୍ର ସାଙ୍ଗଠନିକ ନିର୍ବାଚନ ସହିତ ନିଗମ ଓ ବୋର୍ଡ ନିଯୁକ୍ତି ହେବ ବୋଲି କେନ୍ଦ୍ର ନେତା କହିଛନ୍ତି।
ସଙ୍ଗଠନରେ ଦ୍ବନ୍ଦ, ସରକାରରେ ସ୍ଥାଣୁତା। ସଭାପତି ଚୟନ ନେଇ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଯାଉଛି, ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ସେତିକି ବିଳମ୍ବିତ ହେଉଛି। ଅନ୍ୟପଟେ ଆଶାୟୀଙ୍କ ତାଲିକା ବଢ଼ି ଚାଲିଥିବାରୁ, ବିଜେପି ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଲାଣି।

