spot_img
Home Blog Page 1104

୧୪ ରୁ ରାସ୍ତାକୁ ଓହ୍ଳାଇବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର: ହକ ଦାବିରେ ରାସ୍ତାକୁ ଓହ୍ଲାଇବେ ଅଧ୍ୟାପକ। ଆସନ୍ତା ୧୪ରୁ ରାଜରାସ୍ତାରେ ଆନ୍ଦୋଳନ କରିବେ ୬୬୨ ବର୍ଗ ଅଧ୍ୟାପକ । କଲେଜ ଛାଡି ଲୋୟର ପିଏମଜିରେ କରିବେ ଆନ୍ଦୋଳନ । ପେନସନ, ପ୍ରମୋସନ ଏବଂ ସର୍ଭିସ କଣ୍ଡିସନ ପାଇଁ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛି ସଂଘ। ୮ ମାସ ହେବ ରାଜ୍ୟ ସରକାର ଆଲୋଚନା କରୁନାହାନ୍ତି ।

ମୁଖ୍ୟମନ୍ତ୍ରୀ କହୁଛନ୍ତି ଅଧ୍ୟାପକଙ୍କ ପାଇଁ ସରକାର ଗଭୀର ଭାବରେ ଚିନ୍ତା କରୁଛନ୍ତି । ଗତ ବିଧାନସଭା ଅଧିବେଶନରୁ ଆଉ ଏକ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଅଧ୍ୟାପକଙ୍କ ବିଷୟରେ ଚିନ୍ତା କରିବା ପାଇଁ ସରକାରଙ୍କର ସମୟ ନାହିଁ । ତେଣୁ ପରୀକ୍ଷାରେ ସହଯୋଗ କରିବେ । ଦାବି ପୂରଣ ନହେଲେ ଅଧ୍ଯାପକ ମୂଲ୍ୟାୟନ କରିବେନି ବୋଲି କହିଛି ସଂଘ । ପୂର୍ବ ନବୀନ ସରକାର ଅଧ୍ୟାପକଙ୍କ ପାଇଁ ଅନେକ ଗୁରତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଏବେ ବିଜେପି ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ଶୁଣୁ ନାହାଁନ୍ତି । ଚାକିରି ସରିଲେ ବିନା ପେନସନରେ କେମିତି ଚଳିବେ ଅଧ୍ୟାପକ ବୋଲି ପ୍ରଶ୍ନ କରିଛନ୍ତି ସଂଘ ।

ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଡିଏସପି ଅନିଲ କୁମାର ଦାସ ପାଟଣାଗଡ଼ SDJM କୋର୍ଟରେ ହାଜର ହୋଇ ସାକ୍ଷ୍ୟ ରଖିଛନ୍ତି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବାବେଳେ କିପରି ତଥ୍ୟ ପ୍ରମାଣ ଯୋଗାଡ କରାଯାଇଥିଲା, କିପରି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିକଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ସେନେଇ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନିଲ । ଅନିଲଙ୍କ ସହ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ପୁଞ୍ଜିଲାଲ କେମିତି ବୋମା ତିଆରି କୌଶଳ ଶିଖିଥିଲେ? ବୋମା ତିଆରି କଲା ପରେ ତାକୁ କିପରି ଟେଷ୍ଟିଂ କରିଥିଲେ ? କିପରି ତଦନ୍ତ କରାଯାଇଥିଲା କୋର୍ଟରେ ପକ୍ଷ ରଖିଥିବା ଜଣାପଡ଼ିଛି । ପୂର୍ବରୁ ୬୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ୬୨ନଂ ସାକ୍ଷୀ ଭାବେ ଅନିଲ କୋର୍ଟରେ ହାଜର ହୋଇଥିଲେ।

ଗତ ସେପ୍ଟେମ୍ବର ୩ ଓ ଡିସେମ୍ବର ୨୩ ତାରିଖରେ ପାଟଣାଗଡ଼ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଅଛି । ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ।

ପୁଣି ଅଶାନ୍ତ ଜାମ୍ମୁ ଓ କାଶ୍ମୀର; ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ଆଇଇଡି ବିସ୍ଫୋରଣରେ ୨ ଯବାନଙ୍କ ସହିଦ ହେବା ଘଟଣା। ଅଖନୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼଼ାକଡି କରାଯାଇଛି। ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି।

ଗତକାଲି ଏଲଓସିରେ ୩ ଜଣିଆ ସେନା ଟିମ ପାଟ୍ରୋଲିଂ କରୁଥିବାବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଜଣେ କ୍ୟାପଟେନଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସୂଚନା ଦେଇଥିଲେ ଜାମ୍ମୁର ହ୍ବାଇଟ ନାଇଟ କର୍ପ୍ସ ୟୁନିଟ। ଆଇଇଡି ବିସ୍ଫୋରଣ ପରେ ସେଠାକୁ ଅଧିକ ସଂଖ୍ୟକ ସେନା ପଠାଯାଇଛି।

ସେପଟେ ୨ ଯବାନଙ୍କ ସହିଦ ହେବା ଘଟଣାରେ ସମ୍ବାସ୍ଥିତ କାମିଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଖୋଜୁଛି ପୋଲିସ, ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଖୋଜୁଛି ପୋଲିସ । ଅମାନତୁଲ୍ଲା ଖାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ମିଳିତ ଅପରେସନ ଚଳାଇଛି।ଅମାନତୁଲ୍ଲା ଖାନଙ୍କୁ ଖୋଜିବା ପାଇଁ  ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଚଢାଉ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ ୧୨ଟି ସ୍ଥାନରେ ଚଢାଉ କରିଛି ଦିଲ୍ଲୀ ପୋଲିସ। ଖୁବ୍ ଶୀଘ୍ର ଅମାନତୁଲ୍ଲାଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ପୋଲିସ ସୂଚନା ଅନୁଯାୟୀ, ଏଫଆଇଆର ପଞ୍ଜିକୃତ ହେବା ପରେ ଅଭିଯୁକ୍ତ ଅମାନତୁଲ୍ଲା ଖାନଙ୍କ ମୋବାଇଲ ଫୋନ୍ ବନ୍ଦ ହୋଇଯାଇଥିଲା। ସେଥିପାଇଁ ତାଙ୍କୁ ଟ୍ରାକ୍ କରିବା ସମ୍ଭବ ହୋଇପାରୁ ନାହିଁ। ପୋଲିସ ସନ୍ଦେହ କରୁଛି ଯେ କିଛି ଲୋକ ଅମାନତୁଲ୍ଲାଙ୍କୁ ଲୁଚାଇ ରଖିଥାଇ ପାରନ୍ତି।

ଆପଣଙ୍କୁ କହି ରଖୁଛୁ ଯେ, ୩୦୭ ମାମଲାର PO କୁ ଫେରାର କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା।

ଅମାନତୁଲ୍ଲା ଖାନଙ୍କ ଉପରେ ପୋଲିସ ଦଙ୍ଗା ସହ ଜଡିତ ବିଏନଏସର ଧାରା ୧୯୧ (୨) ମଧ୍ୟ ଲଗାଇଛି, କାରଣ ସେ ଏକ ଭିଡ଼ ଜମାଇ ସ୍ଥିତି ଖରାପ କରିବାକୁ ଚେଷ୍ଟା କରିଥିଲେ। ବିଏନଏସ ୧୯୦ ଧାରା ମଧ୍ୟ ଲାଗୁ କରାଯାଇଛି, ଯାହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତି ଏକ ବେଆଇନ ସଭାରେ ଭାଗ ନେଇଥାଏ ଏବଂ ସେହି ସଭାର ଉଦ୍ଦେଶ୍ୟରେ କୌଣସି ଅପରାଧ ଘଟେ, ତେବେ ସେହି ବ୍ୟକ୍ତି ମଧ୍ୟ ଦୋଷୀ ବିବେଚିତ ହେବେ। ଅନେକ ଧାରା ଜାମିନବିହୀନ ଅଟେ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେଇଥିବାରୁ ଦିଲ୍ଲୀ ପୋଲିସ ସୋମବାର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି।

 

ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ପ୍ରକ୍ରିୟା; ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ଜେଲେନସ୍କିଙ୍କ ସହମତି

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅନ୍ତ ହେବା ନେଇ ଫିଟୁଛି ବାଟ । ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ସହମତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସେପଟେ ଜଣେ ଆମେରିକୀୟ ବନ୍ଦୀଙ୍କୁ ଋଷ ମୁକ୍ତ କରିବା ପରେ ଋଷ ପ୍ରତି ଆମେରିକା ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ନରମ ହୋଇଛି।

ଆସନ୍ତା ଶୁକ୍ରବାର ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନକୁ ଆମେରିକାର ସାମରିକ ସହାୟତାକୁ ସର୍ବଦା ବିରୋଧ କରିଆସୁଛନ୍ତି ଭାନ୍ସ । ଋଷ ଦ୍ବାରା ଅଧିକୃତ କିଛି ଅଞ୍ଚଳକୁ ଛାଡିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଆସୁଥିଲେ ଜେଲେନସ୍କି । ହେଲେ ବର୍ତ୍ତମାନ ସେ ନିଜ ସ୍ବର ପରିବର୍ତ୍ତନ କରିଛନ୍ତି । ଗତବର୍ଷ ଋଷର କୁର୍ସ୍କ ଅଞ୍ଚଳକୁ ୟୁକ୍ରେନ ନିଜ ଅକ୍ତିଆରକୁ ନେଇଥିବାବେଳେ ସେହି ଅଞ୍ଚଳକୁ ବର୍ତ୍ତମାନ ଛାଡିଦେବେ ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେରିକା ବିନା ସିକ୍ୟୁରିଟି ଗ୍ୟାରେଣ୍ଟିର ମାନେ କିଛି ନୁହେଁ । ନିର୍ବାଚନ ପୂର୍ବରୁ ଟ୍ରମ୍ପ କହିଥିଲେ, ସେ ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଉଦ୍ଯମ କରିବେ ।

ସେପଟେ ଆମେରିକୀୟ ଶିକ୍ଷକ ମାର୍କ ଫୋଗେଲଙ୍କୁ ଋଷ ମୁକ୍ତ କରିବା ପରେ ଆମେରିକା-ଋଷ ମଧ୍ଯରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହେବା ସୂଚନା ମିଳିଛି । ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫଙ୍କ ପ୍ରସ୍ତାବିତ ମସ୍କୋ ଗସ୍ତ ପୂର୍ବରୁ ବନ୍ଦୀଙ୍କୁ ମୁକ୍ତ କରିଛି ଋଷ । ଗତ ୨୦୨୧ ଅଗଷ୍ଟରୁ ଋଷରେ ବନ୍ଦୀ ଜୀବନ କଟାଉଥିଲେ ଫୋଗେଲ ।

ସେୟାର ବଜାରରେ ଆଜି ବି ଆତଙ୍କ,ବଡ଼ରୁ ଛୋଟ ସବୁ କମ୍ପାନୀଙ୍କ ସେୟାର ମୂଲ୍ୟରେ ହ୍ରାସ

ନନ୍ଦିଘୋଷ ବ୍ୟୁରୋ: ସେୟାର ବଜାରରେ ଲଗାତାର ଭାବରେ ଆତଙ୍କ ଜାରି ରହିଛି । ସପ୍ତାହରେ କ୍ରମାଗତ ତୃତୀୟ ଦିନ ବୁଧବାର କାରବାରରେ ସେନସେକ୍ସ ଓ ନିଫ୍ଟୀରେ ବହୁ କ୍ଷତି ପରିଲକ୍ଷିତ ହୋଇଛି । ବଡ଼ରୁ ଛୋଟ ସବୁ କମ୍ପାନୀଙ୍କ ସେୟାର ମୂଲ୍ୟରେ ହ୍ରାସ ଘଟିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୩୦ ସେୟାରରେ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ଘଟିଥିବା ବେଳେ ନ୍ୟାସନାଲ ୩ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ପ୍ରାୟ ୨୦୦ ପଏଣ୍ଟ ହ୍ରାସ ପାଇଛି। ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସର ସେୟାରରେ ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଜୋମାଟୋ ସେୟାରରେ ମଧ୍ୟ ବଡଧରଣ ହ୍ରାସ ଘଟିଛି ।

ମଙ୍ଗଳବାର ମଧ୍ୟ କାରବାରରେ ସେନସେକ୍ସ ଓ ନିଫ୍ଟୀରେ ବହୁ କ୍ଷତି ଘଟିଥିଲା। BSE ସେନସେକ୍ସ ୭୬,୧୮୮.୨୪ ରେ ଖୋଲିଥିଲା। ଏହା ପରେ, କାରବାରର କିଛି ସମୟ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିଲା। କାରବାରର ଅଧ ଘଣ୍ଟା ମଧ୍ୟରେ BSE ସେନସେକ୍ସ ୮୨୩ ପଏଣ୍ଟ ହ୍ରାସ ପାଇ ୭୫ ହଜାର ୪୬୯ ରେ କାରବାର କରିଥିଲା।

ସେହିପରି ନିଫ୍ଟିରେ ମଧ୍ୟ ରେଡ୍ ଜୋନରେ କାରବାର ଆରମ୍ଭ କରିବା ପରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା। ଏହା ୨୩,୦୫୦ ରେ ଖୋଲିବାର କିଛି ସମୟରେ ହ୍ରାସ ଘଟି ୨୨ ହଜାର ୮୫୯ରେ ଟ୍ରେଣ୍ଡ କରିଥିଲା।

ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ । ୮୫ ବର୍ଷ ବୟୟରେ ତାଙ୍କର ଦେହାନ୍ତ ହୋଇଛି । ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ପୂଜାରୀ ସତ୍ୟେନ୍ଦ୍ର ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ରଙ୍କ ବ୍ରେନ ଷ୍ଟ୍ରୋକ ପରେ ଫେବୃଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ଅଯୋଧ୍ୟାର ମଠ ମନ୍ଦିରରେ ଶୋକର ଛାୟା ଖେଳିଯାଇଛି । ଏନେଇ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି।

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ଘଟଣାରେ ସ୍ବାମୀ, ଶାଶୁ, ଶ୍ୱଶୁର ଗିରଫ

ରାୟଗଡ଼ା: ଗୁଣୁପୁରରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ଘଟଣା। ଘଟଣାରେ ସ୍ବାମୀ, ଶାଶୁ, ଶ୍ବଶୁରକୁ ଗିରଫ କରିଛି ଗୁଣୁପୁର ପୋଲିସ୍। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗୁଣୁପୁର ଉପକାରାଗାରକୁ ପଠାଯାଇଛି।

ଗତ ୯ ତାରିଖ ରାତିରେ ରଶ୍ମୀ ରଞ୍ଜନୀ ବଡକୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତକ ମହିଳାଙ୍କ ପରିବାର ଖବର ପାଇବାପରେ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିବାରୁ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ।। ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ କରିଥିଲେ ରଶ୍ମୀ ରଂଞ୍ଜନୀ । ମୃତ ନବବଧୁ ରଶ୍ମୀଙ୍କ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର । ୩ ଜୁଲାଇ ୨୦୨୪ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶତର ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝିଙ୍କୁ ବିବାହ ହୋଇଥିଲେ ରଶ୍ମୀ। ରଶ୍ମୀ ଜଣେ ପୋଷ୍ଟାଲ କର୍ମଚାରୀ ଥିଲୋ। ଝିଅକୁ ବିବାହ ଦେବା ପରଠୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବା ନେଇ ରଶ୍ମୀଙ୍କ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ।

 

ଫେବୃଆରୀ ୧୮ରୁ ପ୍ଲସ୍ ଟୁ ଥିଓରି ପରୀକ୍ଷା; ଆଜିଠୁ ପଠାଯିବ +2 ପ୍ରଶ୍ନପତ୍ର

ଭୁବନେଶ୍ୱର: ଫେବୃଆରି ୧୮ ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜିଠୁ ପ୍ରଶ୍ନପତ୍ର ପଠାଯିବ। ଆଜିଠାରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ତାହାକୁ ନଜରରେ ରଖି ହବ ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଯୁକ୍ତ ୨ ରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦା ମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥର ୨୦୫ଟି ହବ୍ କରାଯାଇଛି। ଚଳିତ ବର୍ଷ ୧୨୬୭ଟି ପରୀକ୍ଷା କେନ୍ଦ୍ର ହୋଇଛି, ଯାହାକି ୨୦୫ଟି ହବ୍ ଅଧୀନରେ ରହିଛି। କଲେଜ ଅଧ୍ୟକ୍ଷମାନେ ମୁଖ୍ୟତଃ ହବ୍ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍ଏଚ୍ ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାର୍‌ମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବ୍‌ର ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ । ଯେତେବେଳେ ବି ଷ୍ଟ୍ରଙ୍ଗ୍‌ରୁମ୍ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ ।

ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍ ଗ୍ରହଣ କରିବେ। ପରିଷଦ କିମ୍ବା ହବ୍‌ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯାଇପାରିବ ନାହିଁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ ସୁପରଭାଇଜରମାନେ ରୁଟ୍‌ଚାର୍ଟ ପ୍ରସ୍ତୁତ କରିବେ । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ସିଲ୍ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ।ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅସ୍ଥାୟୀ ଟ୍ରେଜର୍‌ ଭାବେ ଘୋଷଣା କରାଯିବ । ପ୍ରତି ହବ୍‌ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍‌ ଗଠନ କରାଯିବ, ଯେଉଁମାନେ କି ଅବ୍‌ଜରଭର୍ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ। ହବ୍ କେନ୍ଦ୍ର ଲାଗି କୌଣସି ଅବ୍‌ଜରଭର୍ ନିଯୁକ୍ତ ହେବେ ନାହିଁ। ବରଂ ଟ୍ୟାଗ୍ କଲେଜ ପାଇଁ କେବଳ ଅବ୍‌ଜରଭର କାମ କରିବେ । ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍ ସୁପରଭାଇଜର ଗୁରୁତ୍ବ ଦେବେ । କୌଣସି ପରିସ୍ଥିତିରେ ହବ୍‌ର ସିସିଟିଭି କ୍ୟାମେରାରେ ରେକର୍ଡିଂ ବନ୍ଦ ହେବନି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ସ୍ଥାନୀୟ ପୁଲିସ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବୁର୍ଲା ଭୀମସାରରେ ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ରାଗିଂ

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାରରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ରାଗିଂ ନେଇ ତାଙ୍କ ମା ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଗତ ୭ ତାରିଖରେ ଛାତ୍ରାବାସ କମ୍ପ୍ଲେକ୍ସରେ ତୃତୀୟ ବର୍ଷର ଛାତ୍ର ଆସି ଠେଲାପେଲା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହା ରାଗିଂ ନୁହେଁ ସାମାନ୍ୟ ବଚସା ବୋଲି  ଭୀମସାର୍ କର୍ତ୍ତୃପକ୍ଷ କହିଛନ୍ତି । ତିନିଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।