spot_img
Home Blog Page 1093

ସତରେ ୩୦ବର୍ଷୀୟ ଅଭିନେତ୍ରୀଙ୍କ ସହ ରହିଛି କି ସମ୍ପର୍କ ? ପତ୍ନୀଙ୍କଠାରୁ ଅଲଗା ହେବେ ‌ଗୋବିନ୍ଦା !

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି।

କୁହାଯାଉଛି ଯେ, ଗୋବିନ୍ଦା ଜଣେ ୩୦ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ପତ୍ନୀ ସୁନିତା କିଛି ଦିନ ତଳେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସଙ୍କେତ ଦେଇଥିଲେ। ସେମାନଙ୍କ କାର୍ଯ୍ୟସୂଚୀ ମେଳ ଖାଉ ନଥିବାରୁ ସେମାନେ ଦୁହେଁ ଅଲଗା ଅଲଗା ଘରେ ରୁହନ୍ତି ବୋଲି କହିଥିଲେ ସୁନିତା। ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇ ସୁନିତା କହିଥିଲେ ଯେ, ‘କୌଣସି ପୁରୁଷଙ୍କୁ କେବେବି ବିଶ୍ୱାସ କରନାହିଁ। ଲୋକମାନେ ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଆନ୍ତି। ଆମେ ୩୭ ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛୁ। ସେ ପୂର୍ବରୁ କେବେ କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିନାହାନ୍ତି। ଏବେ କଥା ଜାଣିନାହିଁ। ମୁଁ ପୂର୍ବରୁ ବହୁତ ସୁରକ୍ଷିତ ଥିଲି। କିନ୍ତୁ ଆଉ ନୁହେଁ। ୬୦ବର୍ଷ ପରେ ଲୋକମାନେ ପାଗଳ ହୋଇଯାଆନ୍ତି। ଗୋବିନ୍ଦା ୬୦ ବର୍ଷ ପୂରଣ କରିଛନ୍ତି। କିଏ ଜାଣେ ସେ କ’ଣ କରୁଛନ୍ତି।”

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏବେ ସୁନିତାଙ୍କ ପୁରୁଣା ସାକ୍ଷାତକାର ସବୁ ଭାଇରାଲ ହେଉଛି, ଯେଉଁଥିରୁ ଲୋକେ ଆକ‌ଳନ କରୁଛନ୍ତି ଯେ, ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ମାସ ହେଲା ସମ୍ପର୍କ ଭଲ ନାହିଁ। ତେବେ ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ।

ଦୌଡିବା ବଦଳରେ ଶୋଇ ପଡିଲାଣି ମିଶନ ଶକ୍ତି, ସ୍ଲୋଗାନ ଓ ଧୂଆଁବାଣରେ ଚାଲିଛି ମହିଳା ବିକାଶ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସରକାର ପାଇଁ ମିଶନ ଶକ୍ତି ଥିଲା ଏକ ବିପ୍ଳବ। ହେଲେ ବିଜେପି ସରକାର ପାଇଁ ଏହା କେବଳ ସ୍ଲୋଗାନ। ବିଜେପି ସରକାରର ପ୍ରଥମ ବଜେଟରେ ମିଶନ ଶକ୍ତି ବିଭାଗକୁ ମିଳିଥିବା ଅନୁଦାନରୁ ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ ହେବା ମହିଳା ସଶକ୍ତିକରଣ ପ୍ରତି ଥିବା ଆନ୍ତରିକତା ଦର୍ଶାଇଛି। ପଦାରେ ପଡ଼ିଛି କୁହାଳିଆ ସରକାରଙ୍କ ପାରିବାପଣିଆ। ଖର୍ଚ୍ଚ କରିବାର ପରିମାଣ ଯଦି ନଗଣ୍ୟ ହୁଏ, ଏଥିରେ ମିଶନ ଶକ୍ତି ଦୌଡ଼ିବା ବଦଳରେ ଆଣ୍ଠେଇ ପଡ଼ିଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସବୁଆଡ଼ୁ ସମାଲୋଚନା ହେଉଛି।

ବିଜେପି ସରକାର ପାଇଁ ମିଶନ ଶକ୍ତି କେବଳ ଏକ ସ୍ଲୋଗାନ। ମହିଳା ସଶକ୍ତିକରଣ ଏକ ଧୂଆଁବାଣ। ସରକାର ଗଠନ ପରେ ବିଭାଗୀୟ ମନ୍ତ୍ରୀ ମିଶନ ଶକ୍ତି ଦୌଡ଼ିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏକ ଫମ୍ପା ଆଓ୍ବାଜ ବୋଲି ସ୍ପଷ୍ଟ ହେଉଛି। ମିଶନ ଶକ୍ତି କେବଳ ଏକ ବିଭାଗ ନୁହେଁ, ଏହା ଏକ ସାମୂହିକ ଅଭିବୃଦ୍ଧିର ଚିନ୍ତାଧାରା। ବିଜେଡି ସରକାର ଏହାକୁ ମିଶନ ମୋଡ଼ରେ ନେଇ ଏସ୍ଏଚଜିରୁ ଏସ୍ଏମ୍ଇ ରୂପାନ୍ତରିତ କରିବାର ଦାୟିତ୍ବ ସମ୍ଭାଳିଥିଲେ। ହେଲେ ବିଜେପି ସରକାର ଏହାକୁ ମୋଡ଼ି ମକଚି ଦେବାକୁ ଉଦ୍ୟମ କରିଛନ୍ତି ଆରମ୍ଭରୁ। ସରକାର ଗଠନର ୮ ମାସ ପରେ ବିଭାଗର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨ହଜାର ୭୬୧ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ହେଲେ ଜାନୁଆରୀ ସୁଦ୍ଧା ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୨୩ ପ୍ରତିଶତ। ୨ହଜାର କୋଟି ଟଙ୍କା ଏବେ ବି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏଥିରେ ମିଶନ ଶକ୍ତିର ଦୌଡ଼ିବ ନା ଅଟକିଯିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ମିଶନ ଶକ୍ତିରେ ରାଜ୍ୟର ୭୦ଲକ୍ଷ ମହିଳା ପ୍ରତ୍ୟକ୍ଷଜଡ଼ିତ ଥିବା ବେଳେ ୩୦ଲକ୍ଷ ପରୋକ୍ଷରେ ସାମିଲ ଅଛନ୍ତି। ପୂର୍ବ ସରକାରର ଯୋଜନାର ରଙ୍ଗ ଓ ନାମ ବଦଳାଇବାରେ ବ୍ୟସ୍ତ ବିଜେପି ସରକାର ମିଶନ ଶକ୍ତିକୁ ସୁଭଦ୍ରା ଶକ୍ତି ଭାବେ ପରିଚିତ କରାଇବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହାର ଅଭିବୃଦ୍ଧି କଥା ଯେମିତି ଭୁଲି ଯାଇଛନ୍ତି। ବିଜେପି ସରକାରର ଦ୍ବିତୀୟ ବଜେଟରେ ମିଶନ ଶକ୍ତିର କଳେବର ମାତ୍ର ୧୨ କୋଟି ବଢିଛି। ହେଲେ ଏହା ମଧ୍ୟ ଖର୍ଚ୍ଚ ହୋଇପାରିବ କି ନାହିଁ ତାହା ବି ସନ୍ଦେହରେ। ବିଜେପି ସରକାର ବଜେଟ ଅନୁମୋଦିତ ଅଟକଳର ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ କରିପାରିଥିବା ଯୋଗୁଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ପରିଣତ ହୋଇଛି। ସମାଜରେ ମହିଳାମାନେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ଦେଇଥିଲେ ନବୀନ ସରକାର, ହେଲେ ବିଜେପି ସରକାର ଏହାକୁ ନେଇଛନ୍ତି ଛଡାଇ।

ବଜେଟ ଅର୍ଥ ଖର୍ଚ୍ଚ ହୋଇଥିଲେ ଏସ୍ଏଚଜିକୁ ଆର୍ଥିକ ପ୍ରୋତ୍ସାହନ ମିଳିଥାନ୍ତା। ମିଶନ ଶକ୍ତି ବଜାର, କାଫେ ସୃଷ୍ଟି ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଥାନ୍ତା। ହେଲେ ବିଭାଗୀୟ ମନ୍ତ୍ର, ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏବେ ମିଶନ ଶକ୍ତି ଶକ୍ତିହୀନ ହେବାକୁ ବସିଲାଣି।

ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ ?

ନନ୍ଦିଘୋଷ ବ୍ୟୁରୋ: ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଠୁ ଆରମ୍ଭ କରି ବିଦ୍ୟୁତ ବିତରକ କମ୍ପାନୀ ସମସ୍ତେ ଦର ବଢାଇବାକୁ ଦାବି କରୁଛନ୍ତି। ଯଦି ସେମାନଙ୍କ ଦାବିକୁ ମାନି ନିଆଯାଏ ତା ହେଲେ ରେଟ୍ ୟୁନିଟ ପିଛା ଦେଢ଼ ଟଙ୍କା ଲେଖାଏଁ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ କିନ୍ତୁ ଜୋରଦାର ବିରୋଧ କରିଛି ଉପଭୋକ୍ତା ମହାସଂଘ। ଉପଭୋକ୍ତାଙ୍କ ତରଫରୁ କୁହାଯାଇଛି,  ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ଏଟିସି ଲସ୍ ଟାର୍ଗେଟ ପୂରଣ କରି ପାରୁ ନାହାନ୍ତି ବିଦ୍ୟୁତ ବିତରଣ କମ୍ପାନୀ। ତେଣୁ ଦର ବଢାଇବା ବଦଳରେ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଉ। ସେପଟେ କମିଶନ କହିଛନ୍ତି, ଶୁଣାଣି ପରେ ସବୁ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ।

ସତରେ ବଢ଼ିବ କି ବିଜୁଳି ଦର। ଯଦି ବଢ଼େ କେତେ ବଢ଼ିବ। ଓପିଜିସି, ଓପିଟିସିଏଲ ଏବଂ ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ଦର ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦାବି ରଖିଥିବାରୁ ଗ୍ରାହକଙ୍କ ଉପରେ ବୋଝ ପଡ଼ିବାର ଆଶଙ୍କା ଦେଖା ଦେଇଛି। କୁହାଯାଉଛି ୟୁନିଟ୍ ପିଛା ଦେଢ଼ ଟଙ୍କା ବଢ଼ିବ। ଏବେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗରେ ବିଦ୍ୟୁତ ଦେୟ ସମ୍ପର୍କିତ ଶୁଣାଣି ଚାଲିଛି। ୨୦୨୫-୨୬ ବର୍ଷ ପାଇଁ ଟିପିସିଓଡିଏଲର ରାଜସ୍ୱ ଆବଶ୍ୟକତା ୨୪୯୦ କୋଟି ଟଙ୍କା ଦର୍ଶାଯାଇଥିବା ବେଳେ ୧୪୨ କୋଟିର ଅଭାବ ଥିବା କୁହାଯାଇଛି। ଏହାକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ।

ମହାସଂଘର ଅଭିଯୋଗ ହେଲା-ପୂର୍ବ ବର୍ଷର ଟାର୍ଗେଟ ଅନୁଯାୟୀ ଟିପିସିଓଡିଏଲ ଏଟିସି କ୍ଷତି କମାଇ ପାରୁନି । ଏଟିସିର ଟେକନିକାଲ ଲସ୍ ଟାର୍ଗେଟ ଥିଲା ୮ ଦଶମିକ ଏକ ପାଞ୍ଚ ପ୍ରତିଶତ। କିନ୍ତୁ କମ୍ପାନୀ ହାସଲ କରିପାରିଛି ମାତ୍ର ୬.୪୮ ପ୍ରତିଶତ। ଏଟିସି କ୍ଷତି ଭରଣା କଲେ ଲୋକଙ୍କୁ ଆଉ ଅଧିକ ଅର୍ଥ ଦେବାକୁ ପଡିବନି।  ଯଦି କମ୍ପାନୀ ଏଟିସି କ୍ଷତି ହ୍ରାସ କରିପାରିଲା ନାହିଁ, ତା ହେଲେ କ୍ୟାପେକ୍ସରେ ଏତେ ଖର୍ଚ୍ଚ କାହିଁକି ହେଲା ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ମହାସଂଘ। ସେଥିପାଇଁ ଟିପିସିଓଡିଏଲର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଦାବି କରାଯାଇଛି। ଏଥି ସହିତ ପେନାଲଟି ନାଁ ରେ ଲୋକଙ୍କଠାରୁ ୧ ହଜାର କୋଟି ଟଙ୍କା ଲୁଟ କରାଯାଇଥିବା ବି ଅଭିଯୋଗ ହୋଇଛି। ଏହି ଟଙ୍କାଙ୍କୁ କିନ୍ତୁ ଆୟୋଗଙ୍କ ନିକଟରେ ଦର୍ଶାଯାଇନାହିଁ। ଏହାକୁ ନେଇ ସରକାରଙ୍କୁ ସ୍ମାରକପତ୍ର ଦିଆଯିବା ସହ ଏହି ପେନାଲଟି ର ଅଡିଟ କରାଯାଉ ବୋଲି ଦାବି କରାଯାଇଛି।

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି ବିଜୁଳି ଦର ବୃଦ୍ଧି ପାଇଁ ସବୁ କମ୍ପାନୀ ଦାବି କରିଛନ୍ତି। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଓ ବିତରକ କମ୍ପାନୀ ଟାରିଫ ବୃଦ୍ଧି ସପକ୍ଷରେ ଅଛନ୍ତି। ଏହି ଦାବିରେ କେତେ ଯଥାର୍ଥତା ଅଛି ସମସ୍ତ ଷ୍ଟେକ ହୋଲ୍ଡରଙ୍କୁ ନେଇ ଆଲୋଚନା କରାଯିବ। ତା ପରେ ନିଆଯିବ ନିଷ୍ପତ୍ତି। କମ୍ପାନୀଗୁଡ଼ିକ ଭାବୁଛନ୍ତି ଆଗକୁ ଏଆରଆର କଷ୍ଟ୍ ବଢ଼ିପାରେ। ସେଥିପାଇଁ ବିଜୁଳି ଦର ବୃଦ୍ଧି ପାଇଁ ସେମାନେ ଦାବି କରୁଛନ୍ତି। ତେବେ ଆୟୋଗ ସମସ୍ତ ବିଷୟ ତର୍ଜମା କରିବା ପରେ ଗ୍ରାହକ, ଉତ୍ପାଦକ ସଂସ୍ଥା, ବିତରକ ସମସ୍ତଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତି ନେବେ ବୋଲି କୁହାଯାଇଛି।

ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବାକୁ ପୂର୍ବରୁ ଟିପିଏନଓଡିଏଲ ଦାବି କରିଥିବା ବେଳେ ୭୩ ପଇସା ବୃଦ୍ଧି ପାଇଁ ଦାବି କରିଥିଲା ଟିପିଏସଓଡିଏଲ। ଆଜି ଟିପିସିଓଡିଏଲ ମଧ୍ୟ ଟାରିଫ ବୃଦ୍ଧି ସପକ୍ଷରେ ମତ ଦେଇଛି। ଆସନ୍ତା ୨୭ ତାରିଖରେ ଟିପିଡବ୍ଲୁଓଡିଏଲର ଶୁଣାଣି ରହିଛି। ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ହେବ। ତା ପରେ ଆୟୋଗ ନିଷ୍ପତ୍ତି ନେବେ ।

ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ, ୧୨ ଗାଡ଼ି ସହ ବନ୍ଧାହେଲେ ୩ ଲୁଟେରା

ନନ୍ଦିଘୋଷ ବ୍ୟୁରୋ: ଗରାଖ ବେଶରେ ଯାଉଥିଲେ । ପରିବା ହାଟରୁ ଲୁଟୁଥିଲେ । ଲିଙ୍ଗରାଜ ଥାନା ଅଧିନ ବିଭିନ୍ନ ହାଟରୁ ଲୁଟ ନେଇ ହୋଇଥିଲା ଅଭିଯୋଗ । ୩ ଲୁଟେରାଙ୍କ ସହ ୧୨ଟି ଗାଡ଼ି ଜବତ କଲା ପୋଲିସ୍ । ଗାଡି ଲୁଟିବା ପରେ କମ ଦାମରେ ସ୍ପେୟାର ପାର୍ଟସ ବିକ୍ରି କରୁଥିଲେ ଅଭିଯୁକ୍ତ । ଲୁଟେରାଙ୍କ ଘର ଗଞ୍ଜାମ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ରହିଛି ମାମଲା । ଚୋରା ଗାଡ଼ି ଧରିବା ପାଇଁ ଭୁବନେଶ୍ଵର କମିଶନରେଟ ପୋଲିସର ସ୍ପେସାଲ ଡ୍ରାଇଭ ଜାରି ରହିଛି ।  ପୋଲିସ ପକ୍ଷରୁ ଏହି ଅପରେସନକୁ ଜୋରଦାର କରାଯାଇଛି । ବଡ଼ କଥା ହେଲା ଗାଡ଼ି ଚୋରି କରାଯାଇ ସେହି ଗାଡ଼ିରେ ବିଭିନ୍ନ ଅପରାଧ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଏହି ସୂଚନା ମିଳିବା ପରେ ଧରପଗଡ଼ ଜୋରଦାର ହୋଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାଦା ପୋଷାକରେ ପୋଲିସ ମୁତୟନ ହେଉଛନ୍ତି । ଗାଡ଼ି ଚୋରିରୁ ରକ୍ଷା ପାଇଁ ସତର୍କ ରହିବା ସହିତ ଡବଲ୍ ଲକ୍ ପକାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ।

ଦୁଇ ଯାତ୍ରୀଙ୍କ ଉପରେ ଆମ ବସ ଚଢିଯିବା ଘଟଣା: ବିଦାହେଲେ ବସର ଡ୍ରାଇଭର ଓ ଗାଇଡ୍

ନନ୍ଦିଘୋଷ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ୨ ଯୁବକ। ଆମ ବସ ସଂପର୍କିତ ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ିଟି ପାର୍କିଂରେ ଥିବା ବେଳେ ହଠାତ୍ ଷ୍ଟାର୍ଟ ହୋଇ ଆଗକୁ ବଢିଯିବାରୁ ୨ ଜଣ ଆହତ ହୋଇଛନ୍ତି। ଏ ସଂପର୍କିତ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ, ମାଷ୍ଟର କ୍ୟାଣ୍ଟିନ ବସ୍ ଟର୍ମିନାଲ ପାର୍କିଂରେ ୨୩ ନମ୍ବର ରୁଟରେ ଯାଉଥିବା OD 33 AJ 2671 ଏସି ବସଟି ରହିଥିଲା। ବସଟି ପାର୍କିଂରେ ଥିବାବେଳେ ସେହି ଛାଇରେ ୨ ଜଣ ଯୁବକ ବସିରହିଥିଲେ। ମାତ୍ର ବସଟି ହଠାତ୍ ଗଡ଼ିବାକୁ ଲାଗିଥିଲା। କ୍ରୁଟର କହିବା ଅନୁସାରେ ୨୦ ମିନିଟ ଗାଡ଼ି ରହିଥାଏ। ଏହାପରେ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରି ଆଗକୁ ଗଡ଼ାଇବା ବେଳକୁ ୨ ଜଣ ତଳେ ରହିଯାଇଥିଲେ। ଗାଇଡ୍ ଓ ଡ୍ରାଇଭରର ଦାୟିତ୍ବହୀନତାରୁ ଏଭଳି ଘଟିଲା ବୋଲି କ୍ରୁଟ୍ କହିଛି। ଘଟଣା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ କାମରୁ ଅନ୍ତର କରାଯାଇଛି।  ଆଗକୁ ଏଭଳି ତୃଟି ଯେପରି ନହେବ ଏବଂ ମୋ ବସ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବ ବୋଲି କ୍ରୁଟ୍ କହିଛି।

ସିନେମାରେ ଦେଖିବେ ଦାଦାଙ୍କ ଜୀବନ କାହାଣୀ..

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। କୁହାଯାଏ ଯେ, ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ ଖେଳକୁ ଆକ୍ରମଣାତ୍ମକ ଢଙ୍ଗରେ ବିସ୍ତାର କରିଥିଲା। ‘ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ତାଙ୍କ ପ୍ରସ୍ତାବିତ ଆଗାମୀ ବାୟୋପିକ ବିଷୟରେ ଅନେକ ଖୁଲାସା କରିଛନ୍ତି।

ଗାଙ୍ଗୁଲି ତାଙ୍କ ଆଗାମୀ ବାୟୋପିକ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘‘ମୁଁ ଯାହା ଶୁଣିଛି, ସେହି ଅନୁସାରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।  କିନ୍ତୁ ତାରିଖକୁ ନେଇ ଏକ ସମସ୍ୟା ଅଛି  । ତେଣୁ ଏହା ପରଦାକୁ ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।’’ ଫିଲ୍ମର ବିଳମ୍ବକୁ ନେଇ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ସାମାନ୍ୟ ନିରାଶ ହୋଇପାରନ୍ତି।

ଅଭିନେତା ରାଜକୁମାର ରାଓଙ୍କ ନାମ ପୂର୍ବରୁ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଥିଲା। ଏବେ ନିଜେ ସୌରଭ ଗାଙ୍ଗୁଲି ନିଜେ ଏହା ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ, ୨୦୨୧ରେ ଏହି ବାୟୋପିକ୍ ନିର୍ମାଣ ନେଇ ଘୋଷଣା ହୋଇଥିଲା।

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଦୁର୍ନୀତିର ଗନ୍ଧ, ରାସ୍ତା ନିର୍ମାଣ ନସରୁଣୁ ଉଠିଯାଉଛି ଗୋଡି

ନନ୍ଦିଘୋଷ ବ୍ୟୁରୋ: ସରକାର ଗମନାଗମନର ସୁବିଧା ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରୁଛନ୍ତି ରାସ୍ତା । ମାତ୍ର ଦାୟିତ୍ୱରେ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ ନ ସରୁଣୁ ଉଠିଯାଉଛି ଗୋଡି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକରେ ।

ନିମ୍ନମାନର ରାସ୍ତା କାମକୁ ନେଇ ତାତିଲେ ଗ୍ରାମବାସୀ । ଅଧାରୁ ବନ୍ଦ କଲେ ରାସ୍ତା କାମ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଞ୍ଚାୟତରୁ । ଆଲିଆବାଦ ଶିବମନ୍ଦିର ଠାରୁ ପଟଣା ହନୁମାନ ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ହେଲେ ନିର୍ମାଣଧୀନ ରାସ୍ତାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପତଳା ବାଲି, ନିମ୍ନମାନର ଚିପ୍ସ ସହିତ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ । ଏପରି କି ନିର୍ମାଣ ପରେ ଢ଼ଳାଇରେ ପାଣି ଦିଆ ଯାଉନାହିଁ । ଫଳରେ ରାସ୍ତା ଫାଟିବା ସହିତ ଗୋଟି ଉଠିଯିବା ଆଶଙ୍କା କରି ରାସ୍ତା କାମ ବନ୍ଦ ରଖିଛନ୍ତି ଗ୍ରାମବାସୀ ।

ସରକାରୀ ନିୟମ ମୁତାବକ ରାସ୍ତା କାମ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରିବା କଥା। କିନ୍ତୁ କାର୍ଯ୍ୟ ହେଉଥିବା ବେଳେ ଏଠି କୌଣସି ଅଧିକାରୀ ତଦାରଖ କରିବାକୁ ଆସୁନାହାନ୍ତି । ଏଥି ସହିତ କେତେ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି । ଏବଂ କି କି ପ୍ରକାର କାର୍ଯ୍ୟ କରାଯିବ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯିବା କଥା । ହେଲେ ତାହା ସୂଚନା ଫଳକରେ ଲେଖାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏଠି ପ୍ରଶ୍ନ ଉଠୁଛି- ନିମ୍ନମାନର ରାସ୍ତା ନିର୍ମାଣ ହେଉଥିଲେ ବି କାହିଁକି ଚୁପ ବିଭାଗୀୟ ଅଧିକାରୀ ? ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଣ ପାଇଁ ନେଉନାହାଁନ୍ତି କାର୍ଯ୍ଯାନୁଷ୍ଠାନ ? ଗ୍ରାମବାସୀଙ୍କ ଅଭିଯୋଗକୁ କାହିଁକି ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ ? ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ହରିଲୁଟ୍ । ତାହା ତଦନ୍ତ ସାପେକ୍ଷ ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ରାଜକ୍ଷମା ପାଇଁ ଆବେଦନ କଲେ ପରିବାର ଲୋକ

ନନ୍ଦିଘୋଷ ବ୍ୟୁରୋ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ରାଜକ୍ଷମା ପାଇଁ ଆବେଦନ କଲେ ପରିବାର ଲୋକ । ୧୯୯୪ ମସିହା ମାର୍ଚ୍ଚ ୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବି.ନୂଅ। ପଲ୍ଲୀ ଗାଁରେ ଘଟିଥିଲା ଡବଲ ମର୍ଡର । ଏହି ଡବଲ ମର୍ଡରରେ ସିତାରାମ ପ୍ରଧାନ ଓ ଶରତ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪ ଜଣ ବ୍ୟକ୍ତି ଗିରଫ ହୋଇଥିଲେ । ସେହି ସମୟରେ ହିଁ ଜଣେ ବ୍ୟକ୍ତି କୋର୍ଟରେ ଖଲାସ ହୋଇ ଯାଇଥିଲେ। ଅନ୍ୟ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ ସୁଣାଇଥିଲେ କୋର୍ଟ । ଘଟଣାର ୧୨ ବର୍ଷ ପରେ ଦୁଇ ଜଣଙ୍କୁ ଜେଲ ବୋର୍ଡର ନିଷ୍ପତ୍ତି ଅନୁଷାରେ ଖଲାସ କରାଯାଇଥିବା ବେଳେ ଏବେ ବି ଜେଲରେ ଅଛନ୍ତି ବସନ୍ତ କୁମାର ପ୍ରଧାନ । ତାଙ୍କୁ ରାଜକ୍ଷମା ଦେଇ ଖଲାସ କରିବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ପରିବାର ସଦସ୍ୟ ।

ବଡ ପୁଅର ବ୍ୟାଙ୍କ ଋଣ, ବୃଦ୍ଧ ବାପା ମାଆଙ୍କ ପାଇଁ ପାଲଟିଲା ଅଭିଶାପ

ନନ୍ଦିଘୋଷ ବ୍ୟୁରୋ: ଋଣ କଲା ପୁଅ, ହେଲେ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ କରିବାକୁ ନୋଟିସ୍ କଲା । ଏ ନେଇ ଚିନ୍ତାରେ ବୃଦ୍ଧ ବାପା ମାଆ । ବାରମ୍ବାର ପୁଅକୁ ଋଣ ଶୁଝିବାକୁ ନେହୁରା ହେବା ପରେ ମଧ୍ୟ ନଶୁଣିବାରୁ ଚରମ ନିଷ୍ପତ୍ତି ନେଇଛନ୍ତି ବାପା ମାଆ । ବଞ୍ଚି ଥାଉଥାଉ ଘର ନିଲାମ କଷ୍ଟ ସହିନପାରି ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ।

ବଡ଼ ପୁଅ ଋଣ କରି ଶୁଝିଲାନି ।  ନିଜ କଷ୍ଟ ଉପାର୍ଜିତ ଅର୍ଥରେ କରିଥିବା ଘରେ ଶେଷ ସମୟ କାଟିବାକୁ ନିଷ୍ପତ୍ତି ନେଇଥିଲେ ବୃଦ୍ଧ ଦମ୍ପତ୍ତି । ହେଲେ ଋଣ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ ନୋଟିସ୍ ପଠାଇଲା । ହେଲେ ପୁଅ ଶୁଣିଲାନି,କି ଋଣ ଶୁଝିଲାନି । ଏବେ ଇଛାମୃତ୍ୟୁ ଆବେଦନ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ଏ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧୀନ ବଳପୁର ପଞ୍ଚାୟତ ବେହେରା ସାହିର ଦେବ ବେହେରା ଓ ତାଙ୍କ ପତ୍ନୀ ତାରାମଣୀ ବେହେରା । ବଡ଼ ପୁଅ ନିଜ ଆବଶ୍ୟକ ପାଇଁ କରିଥିବା ଋଣ କୁ ନ ଶୁଝିବାରୁ ବ୍ୟାଙ୍କ ଘରକୁ ନିଲାମ କରିବାକୁ ଗତବର୍ଷ ଠାରୁ ନୋଟିସ ପଠାଇଛି । ଯେଉଁ ଘରେ ଏମାନେ ରହୁଛନ୍ତି ସେହି ଘର ଉପରେ ରହିଛି ୪୨ ଲକ୍ଷ ଟଙ୍କାର ଋଣ ଭାର । ବଡ଼ ପୁଅ ଋଣ କରି ବାପାଙ୍କୁ ଗ୍ୟାରେଣ୍ଟର ପକାଇଥିଲା । ଶେଷରେ ଋଣ କୁ ନିଜେ ନ ସୁଝି ଥିବାରୁ ବାପାଙ୍କ ନା ରେ ଥିବା ଘର ଢିହକୁ ଏବେ ବ୍ୟାଙ୍କ ଦଖଲ କରିବାକୁ କହିଥିବା କହିଛନ୍ତି ବୃଦ୍ଧ ବାପା ।

ଯେଉଁ ଘର ଦେଖୁଛନ୍ତି ତାହା ଏବେ ନିଲାମ ହେବାକୁ ଯାଉଛି । ବୃଦ୍ଧ ପତି, ପତ୍ନୀ ଓ ସାନ ପୁଅ ରହୁଥିବା ଘର ଜାଗାକୁ ବନ୍ଧା ରଖି ବଡ଼ ପୁଅ ବ୍ୟାଙ୍କ ରୁ ୪୨ଲକ୍ଷ ଟଙ୍କା ଋଣ ଆଣିଥିଲା । ଏହା ସହ ପରିବାର  ଚାଷ କରୁଥିବା  ଜମିକୁ ମଧ୍ୟ ବଡ଼ ପୁଅ ଦଖଲ କରିନେଇଛି । ବଡ଼ ପୁଅ ଧଡୁ ବେହେରା ତାଙ୍କ ପରିବାର ସହିତ ଏବେ ବାହାରେ ରହୁଛନ୍ତି । ସେ କରିଥିବା ଋଣ ନଶୁଝିବାରୁ ଏବେ ସୁଧ ମୂଳ ମିଶି ଏବେ ୪୨ଲକ୍ଷ ଟଙ୍କା ହୋଇଛି ଆଉ ଯାହାକୁ ପରିଶୋଧ କରିବା ପାଇଁ ଘରକୁ ନିଲାମ କରିବାକୁ ବ୍ୟାଙ୍କ ନୋଟିସ ଦେଇଛି । ବୃଦ୍ଧ ବାପା ମାଆଙ୍କ ସହିତ ସାନ ପୁଅ ବୋହୁ ଓ ନାତୁଣୀ ରହୁଥିବା ଏହି ଘର ଏବେ ଖାଲିକରିବାକୁ ହେବ । ଘର ନିଲାମ ହେଲେ କେଉଁଠି ରହିବେ ସେ ନେଇ ଚିନ୍ତାରେ ପରିବାର। ଜୀବନର ଶେଷ ସମୟରେ ବୃଦ୍ଧ ବାପାମାଆଙ୍କୁ ପୁଅ ସହାୟତା କରିବା କଥା । ହେଲେ ନିଜେ କରିଥିବା ଋଣ ପାଇଁ ବାପାମାଆଙ୍କୁ ବଳି ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ପୁଅ ।

ନନ୍ଦିନୀପାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ପାଲଲହଡ଼ା ଥାନା ନନ୍ଦିନୀପାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ଯା ଘଟଣା। ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ। ପରିବାର ଲୋକଙ୍କୁ ଭେଟି ଆଲୋଚନା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ। ପୂର୍ବତନ ବିଧାୟକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗାଁକୁ ଯାଇ ମୃତକଙ୍କ ପରିବାର ସହ ଭେଟିଥିଲେ। ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିନିଧି ଦଳ ପାଲଲହଡା ଥାନାକୁ ଆସି ଘଟଣାର ନିରପେକ୍ଷ ତଦନ୍ତ ଦାରି କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପାଲଲହଡା ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେI ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମରେ ପାଲଲହଡା ବ୍ଲକ ଅଧକ୍ଷା ରୀନାରାଣୀ ନାୟକ, ବ୍ଲକ ସଭାପତି ଗଙ୍ଗାଧର ଜିତ, ନବକିଶୋର ନାୟକ,ଜିଲ୍ଲା ସମ୍ପାଦକ ନରେନ୍ଦ୍ର ଭୁକ୍ତା ପ୍ରମୁଖ ସାମିଲ ଥିଲେ। ଗତ ୨୦ ତାରିଖରେ ପାଲଲହଡା ଥାନା ନନ୍ଦିନୀପାଲି ଗ୍ରାମରେ  ଘଟିଥିଲା ଏ ଲୋମହର୍ଷକ ଘଟଣା ।