spot_img
Home Blog Page 1090

ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟାର ଧମକ ଦେଲେ ଦିବ୍ୟାଙ୍ଗ ଯୁବକ

ବଲାଙ୍ଗୀର: ହାଇ ପାୱାର ବିଦ୍ୟୁତ ଟାୱାରକୁ ଚଢି ଯୁବକଙ୍କ ହାଇଡ୍ରାମା। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡାରେ ହାଇ ଟେନସନ ୩୩ କେଭି ବିଦ୍ୟୁତ ଟାୱାରକୁ ଚଢିଗଲେ ଯୁବକ।

ସକାଳ ୮ଟାରୁ ଯୁବକ ବିଦ୍ୟୁତ ଟାୱାରକୁ ଚଢି ଯାଇ ଆତ୍ମହତ୍ୟା ଧମକ ଦେଇଥିଲେ। ଯୁବକ ହେଲେ ଖମାରମୁଣ୍ଡା ଗାଁର ସିଦ୍ଧେଶ୍ଵର ଭୋଇ। ଏହାପରେ ଯୁବକଙ୍କୁ ଟାୱାର ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲେ ପୋଲିସ ସହ ଅଗ୍ନିଶମବାହିନୀ। ପରିବାର ଲୋକ, ପୁଇଁତଲା ପୋଲିସ, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଯୁବକକୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣେ ଦିବ୍ୟାଙ୍ଗ ବୋଲି ଜଣାପଡିଛି। ମାନସିକ ଅନଗ୍ରସର ଥିବାରୁ ସେ ଟାୱାର ଉପରକୁ ଚଢିଯାଇଥିଲେ। ଯୁବକଙ୍କୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ବରକୁ ମାରିବା ପାଇଁ ସଂଘାତିକ ଷଡ଼ଯନ୍ତ୍ର, ୭ ଗିରଫ

ବଲାଙ୍ଗୀର: ବରକୁ ମାରିବା ପାଇଁ ସଂଘାତିକ ଷଡ଼ଯନ୍ତ୍ର ଅଭିଯୋଗ । ୭ ଅଭିଯୁକ୍ତଙ୍କୁ ଅଟକ ରଖି ଛାନବିନ ଚଳାଇଛି ପୋଲିସ । ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳ ବାଦୀଯୋରରୁ ଗାଈବାହାଲ ଗାଁକୁ ଆସିଥିଲେ ବରଯାତ୍ରୀ । ବରକୁ ହତ୍ୟା ପାଇଁ ଆସିଥିଲେ ୧୦ରୁ ଅଧିକ ଯୁବକ । ଖବର ପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ୭ଜଣଙ୍କୁ କାବୁକଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଫେରାର ଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ମାରଣାସ୍ତ୍ର ଓ ବନ୍ଧୁକ ଜବତ ହୋଇଛି । ଦେଓଗାଁ ଥାନାରେ ଅଟକ ଯୁବକଙ୍କୁ ପଚରାଉଚରା କରୁଛି ପୋଲିସ।

ଏକତରଫା ପ୍ରେମ ନେଇ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଆକ୍ରମଣ

ପୁରୀ: ଏକତରଫା ପ୍ରେମକୁ ନେଇ ମହିଳାଙ୍କୁ ଆକ୍ରମଣ। ପୁରୀ ଜିଲ୍ଲା ଗୋପ ଥାନା ରାହାଙ୍ଗଗୋରଡା ଖଣ୍ତାସାହିରେ ଘଟିଛି ଏଭଳି ଘଟଣା। ଏକତରଫା ପ୍ରେମକୁ ନେଇ ଅତର୍କିତ ଭାବରେ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି। ମହିଳା ଜଣଙ୍କ ଗୁରୁତର ହୋଇ ଗୋପ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ କିଛି ଦିନ ଧରି ଖଣ୍ତାସାହି ଗ୍ରାମର ବିଜୟ କୁମାର ବେହେରା ସେହି ଗ୍ରାମର ଜଣେ ଯୁବତୀଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରୁଥିଲା। ଆଜି ଭୋର୍ ସମୟରେ ମହିଳା ଜଣକ ଘର କାମ କରୁଥିବା ବେଳେ ସମ୍ପୃକ୍ତ ଯୁବକ ମହିଳାଙ୍କ ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଯୁବକ ଜଣଙ୍କ ମହିଳାଙ୍କ ଫଟୋ ଭାଇରାଲ୍ କରି ଜେଲ ଯାଇଥିବା ମଧ୍ୟ ମହିଳା ଜଣକ କହିଛନ୍ତି। ମହିଳାଙ୍କ ସ୍ବାମୀ ଭୁବନେଶ୍ୱରରେ ପୁଅ ସହିତ ରହୁଥିବା ବେଳେ ମହିଳା ଘରେ ଏକା ରହୁଥିବା ଜଣା ପଡିଛି। ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ କରୁଛି।

ନିଜ ପଦର ଦୂରୁପଯୋଗ କରୁଥିବା ଅଭିଯୋଗରେ କୁଜଙ୍ଗ ଥାନା ପୂର୍ବତନ IIC ନିଲମ୍ବିତ

ଜଗତସିଂପୁର: କୁଜଙ୍ଗ ଥାନା ପୂର୍ବତନ ଆଇଆଇସି ତପନ ନାହାକ ନିଲମ୍ବିତ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ ଡିଜି । ନିଜ ପଦର ଦୂରୁପଯୋଗ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତଦନ୍ତ ସମୟରେ କଟକ ସେଣ୍ଟ୍ରାଲ ରେଂଜ୍ ଡିଆଇଜି ଅଫିସରେ ଅବସ୍ଥାପିତ ହେବେ ତପନ ନାହାକ ।

ସୂଚନା ଅନୁଯାୟୀ, ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଆଇଆଇସି ସର୍ମ୍ପକ ରଖିଥିଲେ। ଏବେ ଆଇଆଇସି ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନ୍ୟାୟ ପାଇଁ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ତେବ ପୋଲିସ ପକ୍ଷରୁ ୧୧୭ /୨୦୨୫ ରେ କେଶ ରୁଜୁ କରି ଦଫା ୬୮( a) ୬୮(b),୬୯, ୨୯୬,୩୫୧,୩୫୨(୨)୩୫୧(୩) ବିଏନେସ ରୁଜୁ କରାଯାଇଛି । ଆଜି ଜଗତସିଂହପୁର କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ତପନ ନାହାକଙ୍କ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରୀ ମାଇନା କରାଯାଉଛି । ପରେ ସମୃକ୍ତ କୁଜଙ୍ଗ ଥାନାଧିକାରୀଙ୍କ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଜଗତସିଂହପୁର ପୋଲିସ ଏହି ଘଟଣାକୁ ଅଧିକ ଗୁରୁତର ସହିତ ନେଇଛି।

ଜଙ୍ଗଲରେ ମାଓବାଦୀଙ୍କ ମେଡିସିନ୍ ଡମ୍ପ୍; ବିପୁଳ ପରିମାଣର ଔଷଧ ଜବତ

ମାଲକାନଗିରି: ବନ୍ଧୁକ ଓ ଗୋଳାବାରୁଦ ପରେ ଏବେ ଜଙ୍ଗଲ ଭିତରୁ ଠାବ ହେଲା ମାଓବାଦୀଙ୍କ ଚକ୍ଷୁ ପରୀକ୍ଷା କରିବା ଅତ୍ୟାଧୁନିକ ମେସିନ୍। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଠାବ ହୋଇଛି ମେଡିସିନ୍ ଡମ୍ପ।

ପୋଲିସର ଜୋରଦାର ଅପରେସନ ଭୟରେ ଜଙ୍ଗଲ ଭିତରୁ ଆଉ ବାହାରି ପାରୁନାହାନ୍ତି ମାଓବାଦୀ। ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀ ଏବେ ନିଜର ଚିକିତ୍ସା କରୁଛନ୍ତି। ମାଓବାଦୀଙ୍କ ଏହି ମେଡିସିନ୍ ଡମ୍ପ ଏହା ବୟାନ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷା କରିବା ଲାଗି ଅତ୍ୟାଧୁନିକ କମ୍ପ୍ୟୁଟରାଇଜଡ୍ ମେସିନ ଠାବ ହୋଇଛି। ଏହି ଚିକିତ୍ସା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ମେଡିସିନ୍ ଡମ୍ପ ଠାବ ହେବା ପରେ ଆଖପାଖ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି।

ସୋର ଯୁବତୀ ହତ୍ୟାକାଣ୍ଡ ମାମଲା: ବନ୍ଧା ହେଲା ପାଗଳ ପ୍ରେମିକ ବିଶ୍ବରଞ୍ଜନ ପୁହାଣ

ବାସୁଦେବପୁର: ସୋର ଯୁବତୀ ହତ୍ୟାକାଣ୍ଡ ମାମଲା । ସୋର ଓ ବାସୁଦେବପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ଚୂଡାମଣୀରୁ ଧରିଲେ ପାଗଳ ପ୍ରେମିକ ବିଶ୍ବରଞ୍ଜନ ପୁହାଣକୁ । ପୋଲିସ ଧରିବା ପୂର୍ବରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଚିକିତ୍ସା ପାଇଁ ବିଶ୍ବରଞ୍ଜନକୁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଛି ।

ଏକତରଫା ପ୍ରେମରେ ବିଫଳ ହେବା ଯୋଗୁଁ ପ୍ରେମ ଚରମ ନିଷ୍ପତ୍ତି ନେଇଥିଲା ପାଗଳ ପ୍ରେମିକ ବିଶ୍ୱରଞ୍ଜନ । ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କରିଥିଲା ପ୍ରେମିକ । ହତ୍ୟାକାଣ୍ଡ ଭିଆଇ ପରେ ଫେରାର ଥିଲା ବିଶ୍ବରଞ୍ଜନ । ବାସୁଦେବପୁର ଓ ସୋର ପୋଲିସର ମିଳିତ ଚଢାଉ ବେଳେ ଚୂଡାମଣୀ ତଳସାହିରୁ ଧରା ପଡିଲା ବିଫଳ ପ୍ରେମିକ ହତ୍ୟାକାରୀ ବିଶ୍ବରଞ୍ଜନ ପୁହାଣ ।

ସୂଚନା ଅନୁଯାୟୀ, ସୋର ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା ବିଏ ପାସ ପରେ ବେଙ୍ଗଲୋରରେ I T କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଚୂଡାମଣୀ ପଞ୍ଚାୟତର ତଳସାହି ଗ୍ରାମର ବିଶ୍ୱରଞ୍ଜନ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳେ ଜ୍ୟୋର୍ତିମୟୀର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ଜ୍ୟୋର୍ତିମୟୀ ଲିଙ୍ଗପଡା ଘରକୁ ଆସିଥିଲା । ଗତ ଦୁଇଦିନ ତଳେ ଜ୍ୟୋର୍ତିମୟୀ ପରିବାର ପକ୍ଷରୁ ବିଶ୍ୱନାଥ ନାମରେ ମାମଲା ହେବା ପରେ ବିଶ୍ୱନାଥ ଜ୍ୟୋର୍ତିମୟୀ ଘରେ ପସି ତାର ବେକକୁ ଏକ ତୀକ୍ଷ୍ଣ ଅସ୍ତ୍ରରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଫେରାର ପ୍ରେମିକକୁ ଧରିବାକୁ ସୋର ଓ ବାସୁଦେବପୁର ପୋଲିସ ଖୋଜି ବୁଲୁଥିଲେ । ଗତକାଲି ରାତିରେ ପୋଲିସ ଚୂଡାମଣୀ ଏକ ବିଲ ମଝିରୁ ପୋଲିସ ମାଡିବସିଥିଲା । ପୋଲିସ ହାବୁଡରେ ଧରା ପଡିବା ଜାଣି ବିଶ୍ବରଞ୍ଜନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, କ୍ୟାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ହଲଚଲ। ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା।କ୍ଯାବିନେଟ ବିସ୍ତାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଅପରାହ୍ନ ୪ଟାରେ ହୋଇପାରେ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା। ୭ ନୂଆ ମୁହଁଙ୍କୁ ମିଳିପାରେ ମନ୍ତ୍ରୀପଦ। ବିଜେପିରୁ ହୋଇପାରନ୍ତି ଅଧିକ ମନ୍ତ୍ରୀ। ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନୂଆ ରଣନୀତି ବୋଲି କୁହାଯାଉଛି।

ବିଜେପିରୁ ଜୀବେଶ ମିଶ୍ରା, ରାଜୁ ସିଂହ, ସଂଜୟ ସରାବଗୀ, କୃଷ୍ଣ କୁମାର ମଣ୍ଟୁ ଏବଂ ବିଜୟ ମଣ୍ଡଳ ମନ୍ତ୍ରୀ ହୋଇପାରନ୍ତି। ସେହିପରି ୨ ମନ୍ତ୍ରୀପଦ ସହଯୋଗୀ ଦଳକୁ ମିଳିପାରେ। ତେବେ ବିଧିବଦ୍ଧ ଭାବେ ଏହା ଏନଡିଏ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇନାହିଁ। ବିହାରରେ ମୋଟ ୩୬ ଜଣ ମନ୍ତ୍ରୀ ହୋଇପାରନ୍ତି। ବିହାର ମନ୍ତ୍ରିମଣ୍ଡଳରେ ଏବେ ୩୦ ଜଣ ମନ୍ତ୍ରୀ ଅଛନ୍ତି। ଯେଉଁଥିରେ ବିଜେପିରୁ ୧୫, ଜେଡିୟୁର ୧୩, ହିନ୍ଦୁସ୍ତାନୀ ମୋର୍ଚ୍ଚାର ଜଣେ ଏବଂ ଜଣେ ସ୍ଵାଧୀନ ବିଧାୟକ ମନ୍ତ୍ରୀ ଅଛନ୍ତି। ଆଉ ୬ ଜଣ ସାମିଲ ହୋଇପାରନ୍ତି।

ତେବେ ବିଜେପିରୁ କୋଟାରୁ ମନ୍ତ୍ରୀ ଥିବା ଦିଲୀପ କୁମାର ଜୈସୱାଲ ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି। ଏଭଳି ସ୍ଥିତିରେ ୭ ବିଧାୟକ ମନ୍ତ୍ରୀ ହୋଇପାରନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ନୂଆମନ୍ତ୍ରି ନେଇ ସହମତି ହୋଇଥିବା ଶୁଣିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ଜାତୀୟ ସମୀକରଣ ପ୍ରସ୍ତୁତ କରିବାକୁ ଉଦ୍ୟମ କରାଯାଉଛି। ସେଥିଲାଗି ସବୁ ବର୍ଗରୁ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବାକୁ ଉଦ୍ୟମ କରାଯାଇଛି। ଏହା ପୂର୍ବରୁ ଅନେକ ଥର କ୍ଯାବିନେଟ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରିନଥିଲା।

ସରକାରଙ୍କ ସିବିଏସଇ ଦଶମ ପରୀକ୍ଷା ନୀତିକୁ ନେଇ ଦ୍ବନ୍ଦ୍ବ, ବର୍ଷିଲା ଓଡ଼ିଶା ଅଭିଭାବକ ସଂଘ

ନନ୍ଦିଘୋଷ ବ୍ୟୁରୋ : ସରକାରଙ୍କ ସିବିଏସଇ ପରୀକ୍ଷା ନୀତିକୁ ନେଇ ବର୍ଷିଲା ଓଡ଼ିଶା ଅଭିଭାବକ ସଂଘ । ସରକାର ଦୁଇ ପ୍ରକାର କଥା କହି ପାରିବେ ନାହିଁ । ପ୍ରଥମେ ଜାତୀୟ ଶିକ୍ଷା ନୀତି ୨୦୨୦ରେ କହିଲେ ବୋର୍ଡ ପରୀକ୍ଷା ଦ୍ୱାଦଶ ଶ୍ରେଣୀରେ ହେବ । ଏବେ କହୁଛନ୍ତି ଦଶମ ବୋର୍ଡକୁ ଫୋକସ କରି ଦୁଇ ଥର ପରୀକ୍ଷା ହେବ । ଏହାର ଅର୍ଥ କଣ ବୋଲି ପଚାରିଛି ଓଡ଼ିଶା ଅଭିଭାବକ ସଂଘ । ଏହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଆଗରୁ ପିଲାମାନେ ୧୦ ମାସ ପଢି ମାର୍ଚ୍ଚ ସୁଦ୍ଧା ପରୀକ୍ଷା ଦେଇ ମାସେ ନିଜ ପ୍ରତିଭାର ବିକାଶ କରୁଥିଲେ । ହେଲେ ଏବେ ସେ ସମୟ ମିଳିବ ନାହିଁ । କାରଣ ଫେବୃଆରୀ ଓ ମାର୍ଚ୍ଚରେ ଦଶମ ବୋର୍ଡ ପରୀକ୍ଷା ହେବ । ଏହା ପିଲାଙ୍କୁ ଆହୁରି ଚାପଗ୍ରସ୍ତ କରିବ । ସରକାର ନିଜ କଥାକୁ ନିଜେ ହିଁ ବିଭ୍ରାନ୍ତି କରୁଛନ୍ତି ବୋଲି ଅଭିଯୋଗ କରିଛି ଅଭିଭାବକ ସଂଘ । ସେହିପରି ସରକାରଙ୍କୁ ଘେରିଛି ଶିକ୍ଷା ଆନ୍ଦୋଳନର ଯୁଗ୍ମ ଫୋରମ । ସେମାନଙ୍କ ଅଭିଯୋଗ ହେଲା ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

ଦୁଇ ଥର ଦଶମ ବୋର୍ଡ ପରୀକ୍ଷା ନିଷ୍ପତ୍ତି ସରକାରଙ୍କ ଅସ୍ଥିରତାକୁ ସୂଚାଉଛି । ପ୍ରଥମେ କହିଲେ ଦ୍ୱାଦଶରେ ହେବ ବୋର୍ଡ । ଏବେ କହୁଛନ୍ତି CBSE ଦଶମରେ ଦୁଇ ଥର ବୋର୍ଡ ପରୀକ୍ଷା କରିବ । ଏହାଦ୍ବାରା ପିଲା ଚାପରେ ରହିବେ । କାରଣ ଦୁଇ ଥର ପରୀକ୍ଷାରେ ଫେଲ ହେଲେ ଜୁଲାଇରେ ଆଉ ଥରେ ପରୀକ୍ଷା ହେବ । ଏପରି ହେଲେ ଶିକ୍ଷା ବ୍ୟବସାୟ ପାଲଟିଯିବ । ବାରମ୍ବାର ଫର୍ମ ଫିଲ ଅପରେ ଟଙ୍କା ଖର୍ଚ୍ଚ ହେବାକୁ ପଡିବ । ସରକାରଙ୍କ ଏହା ଏକ ବ୍ୟୟ ବହୁଳ ନିଷ୍ପତ୍ତି ବୋଲି କହିଛି ଶିକ୍ଷା ଆନ୍ଦୋଳନର ଯୁଗ୍ମ ଫୋରମ ସଂଗଠନ ।

ଅଳ୍ପକେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା ; ରନୱେରେ ଚାଲିଆସିଲା ଆଉ ଏକ ଛୋଟ୍ ଜେଟ୍

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା। ଶିକାଗୋ ଏୟାରପୋର୍ଟରେ ଅବତରଣବେଳେ ପୁଣି ଟେକଅଫ୍ କଲା ସାଉଥୱେଷ୍ଟ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ। ବିମାନ ଅବତରଣ କରିବା ସମୟରେ ରନୱେରେ ଆଉ ଏକ ବିମାନ ଚାଲିଆସିଥିଲା। ଏହା ଦେଖି ତୁରନ୍ତ ପୁଣି ଉପରକୁ ଉଠିଥିଲା ଯାତ୍ରୀବାହୀ ବିମାନ। ଯାତ୍ରୀବାହୀ ବିମାନର ଲ୍ଯାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇ ଚକ ରନୱେକୁ ଛୁଇଁଥିବାବେଳେ ପୁଣି ବିମାନକୁ ଉପରକୁ ଉଠାଇବାକୁ ବାଧ୍ୟ ହୋଇଥିଲେ ପାଇଲଟ। ଯାତ୍ରୀବାହୀ ବିମାନର ପାଇଲଟଙ୍କ ବୁଦ୍ଧିମତାରୁ ଏକ ବଡ଼ ଦୁର୍ଘଟମାକୁ ରୋକାଯାଇପାରିଛି । ଯାତ୍ରୀବାହୀ ବିମାନ ଅବତରଣ ନକରି ପୁଣି ଟେକଅଫ୍ କରିବାକୁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ।

ତେବେ କିଛି ସମୟ ପରେ ପୁଣି ବିମାନ ସୁରକ୍ଷିତ ଲ୍ଯାଣ୍ଡିଂ କରିଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି।ପାଇଲଟ ଚାଳକ ଏସଓପି ଠିକ ଭାବେ ପାଳନ କରିଥିବା କହିଛନ୍ତି କର୍ତ୍ତୃପକ୍ଷ।ବିନା କୌଣସି କ୍ଷତିରେ ବିମାନ ସୁରକ୍ଷିତ ବିମାନବନ୍ଦରରେ ଓହ୍ଲାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଭିଡିଓ। ନିକଟେର ଆମେରିକାରରେ ବିମାନ ଦୁର୍ଘଟଣା ବଢିବାରେ ଲାଗିଛି। ନିକଟରେ ଉତ୍ତର ଆମେରିକାରେ ୫ଟି ବିମାନ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗତ ୬ ଫେବୃଆରୀରେ ଆଲାସ୍କା କମ୍ୟୁଟର ପ୍ଲେନ କ୍ରାସ ହୋଇଖଥିଲା। ଯେଉଁଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ୨୬ ଜାନୁଆରୀରେ ୱାସିଂଟନର ରୋନାଲ୍ଡ ରିଗନ ନ୍ୟାସନାଲ ଏୟାରପୋର୍ଟରେ ଏକ ଆର୍ମି ହେଲିକପ୍ଟର ସହ ଆମେରିକାନ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ଦେଇଥିଲା। ଏଥିରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୩୧ ଜାନୁଆରୀରେ ମେଡିକାଲ ଟ୍ରାନ୍ସପୋର୍ଟ ଜେଟ୍ ଫିଲେଡେଲଫିଆ ନିକଟରେ କ୍ରାସ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ ଜଣ ଆହତ ହୋଇଥିଲେ।୧୯ ଫେବୃଆରୀରେ ଏରିଜୋନା ବିମାନବନ୍ଦରରେ ଦୁଇ ଛୋଟ ବିମାନ ମଧ୍ୟରେ ଆକାଶରେ ଧକ୍କା ହୋଇଥିଲା। ଏଥିରେ କାନାଡାରେ ମଧ୍ୟ ଘଟିଥିଲା ବିମାନ ଦୁର୍ଘଟଣା। ଡେଲଟା ଫ୍ଲାଇଟ୍ ଟୋରୋଣ୍ଟୋର ପିଅରସନ୍ ବିମାନବନ୍ଦରରେ କ୍ରାସ ହୋଇଯାଇଥିଲା। ଯେଉଥିରେ ୨୧ ଜଣ ଆହତ ହୋଇଥିଲେ। ବିମାନ ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ଅବତରଣ ସମୟରେ ଏଥିରେ ନିାଆଁ ଲାଗିଯାଇଥିଲା

ଫିଲ୍ମ ‘ଛାବା’କୁ ନେଇ ବିବାଦ, ୧୦୦ କୋଟି ଟଙ୍କାର ମାନହାନୀ ମାମଲା ପାଇଁ ଧମକ

ନନ୍ଦିଘୋଷ ବ୍ୟୁରୋ :  ଭିକି କୌଶଲଙ୍କ ଫିଲ୍ମ ‘ଛାବା’କୁ ନେଇ ସିନେମା ହଲରେ ହଇଚଇ ସୃଷ୍ଟଣି କରିଛି । ହେଲେ ଏବେ ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଭୁଲ ଇତିହାସ ଦେଖାଯାଇଥିବା ନେଇ ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ଏନେଇ ଫିଲ୍ମକୁ ବିରୋଧ କରିଛନ୍ତି । ଏହି ବିବାଦ ଏତେ ବୃଦ୍ଧି ପାଇଛି ଯେ, ଛାବା ବିରୋଧରେ ୧୦୦କୋଟି ଟଙ୍କାର ମାନହାନି ମକଦ୍ଦମା କରିବାକୁ ଧମକ ମଧ୍ୟ ଦିଆଯାଇଛି । ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ମଧ୍ୟ କ୍ଷମା ମାଗିଛନ୍ତି ।

ଫିଲ୍ମରେ କ’ଣ ରହିଛି ଭୁଲ ?

ଭିକି କୌଶଲଙ୍କ ଫିଲ୍ମ  ଛାବା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ, ଯିଏ ତାଙ୍କ ପତି ଛତ୍ରପତି ଶିବାଜୀଙ୍କ ମୃତ୍ୟୁ ପରେ ମରାଠା ସାମ୍ରାଜ୍ୟ ସମ୍ଭାଳିଥିଲେ । ସେ ୧୬୮୧ରୁ ୧୬୮୯ ପର୍ଯ୍ୟନ୍ତ ମରାଠାମାନଙ୍କ ନେତୃତ୍ୱ ନେଇଥିଲେ ଏବଂ ଏହି ସମୟରେ ସେ ଅନେକ ଯୁଦ୍ଧ ମଧ୍ୟ କରିଥିଲେ । ଫିଲ୍ମରେ ଗାନୋଜି ଏବଂ କାନହୋଜି ନାମକ ଦୁଇଟି ଚରିତ୍ରକୁ ସମ୍ଭାଜୀ ମହାରାଜଙ୍କୁ ବିଶ୍ୱାସଘାତକତା କରୁଥିବା ଏବଂ ଔରଙ୍ଗଜେବଙ୍କ ସହ ହାତ ମେଳାଉଥିବା ଦେଖାଯାଇଛି । ଏହାକୁ ନେଇ ମରାଠା ଯୋଦ୍ଧା ଗାଣେଜି ଶିର୍କେ ଲବଂ କାନଜୋହି ଶିର୍କେଙ୍କ ବଂଶଧରମାନେ ବିରୋଧ କରିଛନ୍ତି ଏବଂ ଏହା ଇତିହାସକୁ ଭୁଲ ଭାବେ ଉପସ୍ଥାପନା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାଛଡା  ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ, ଫିଲ୍ମର ଚରିତ୍ରରେ କେବଳ ଜାନୋଜୀ ଏବଂ କାନହୋଜୀଙ୍କ ନାମ ଉଲ୍ଲେଖ କରିଛୁ । ଏଥିରେ ସେମାନଙ୍କ ଗାଁ ନାମ ବିଷୟରେ କୌଣସି ତଥ୍ୟ ଦେଖାଯାଇ ନାହିଁ । ଆମେ କୌଣସି ପରିବାରଙ୍କୁ ଆଘାତ ଦେବାକୁ ଚାହୁଁନାହୁଁ । ଯଦି ଫିଲ୍ମରେ କିଛି ଘଟଣା କାହାକୁ ଆଘାତ ଦେଇଛି, ତେବେ ମୁଁ ଏଥିପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି ।