ଫ୍ରାନ୍ସ ହିଂସା; ଶାନ୍ତି ବଜାଇ ରଖିବାକୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଅପିଲ, ଉପଦ୍ରବୀଙ୍କୁ ଚେତାବନୀ
ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଫ୍ରାନ୍ସ । ୫ ଲକ୍ଷରୁ ଅଧିକ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇ ରଚିଛନ୍ତି ତାଣ୍ଡବ । ଏହାପରେ ସରକାରଙ୍କ ପକ୍ଷରୁ ଆକ୍ସନ ନିଆଯିବା ଆରମ୍ଭ ହୋଇଯାଇଥିବା ବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଶାନ୍ତି ବଜାଇ ରଖିବାକୁ ଦେଶବାସୀଙ୍କୁ ଅପିଲ କରୁଛନ୍ତି ।
ସୂଚନାଯୋଗ୍ୟ, ଆନ୍ଦୋଳନମାରୀମାନେ ଐତିହାସିକ ସହର ଲିମୋଜରେ ୧୪୩ ବର୍ଷ ପୁରୁଣା ଟାଉନ୍ ହଲ୍ରେ ନିଆଁ ଲଗାଇ ଦେଇଥିଏ; । ଲିଅନରେ ଟୁରିଷ୍ଟ ଅଫିସ୍ ଓ ମାର୍ସେଲରେ ସିଟି ହଲ୍ ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଷ୍ଟ୍ରାସବର୍ଗ ସମେତ ପ୍ରତ୍ୟେକ ପ୍ରମୁଖ ସହର ଏବେ ରଣକ୍ଷେତ୍ର ପାଲଟିଛି ।
ଶିକ୍ଷା ବ୍ୟବସ୍ଥାରେ ଅବହେଳା, ଶିକ୍ଷକ ଅଭାବ, ସ୍କୁଲ୍ ଭିତ୍ତିଭୂମି ଓ ଆକାଶଛୁଆଁ ଦରଦାମ ବିରୋଧରେ ଛାତ୍ରଛାତ୍ରୀମାନେ ଆରମ୍ଭ କରିଥିବା ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବେ ଏକ ବଡ଼ ଗଣଆନ୍ଦୋଳନର ରୂପ ନେଇଛି । ସରକାରୀ ନୀତି, କ୍ଷମତାର କେନ୍ଦ୍ରୀକରଣ ଓ ଧନିକ ଶ୍ରେଣୀର ନିୟନ୍ତ୍ରଣ ବିରୋଧରେ ସାଧାରଣ ଲୋକଙ୍କ ଆକ୍ରୋଶ ସୀମା ଟପିଛି । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଏବଂ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକର୍ନୁ ଏହି ହିଂସାକାଣ୍ଡକୁ କଡ଼ା ନିନ୍ଦା କରିବା ସହ ଉପଦ୍ରବୀଙ୍କୁ ଦଣ୍ଡିତ କରିବାକୁ ଚେତାବନୀ ଦେଇଛନ୍ତି ।
ଦଙ୍ଗା ଯୋଗୁଁ ୧୫୦ରୁ ଅଧିକ ପୋଲିସ ଆହତ ହୋଇଥିବାବେଳେ ୧୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସାରା ପ୍ୟାରିସରେ ଉତ୍ତେଜନା ଦେଖାଦେଇଛି । ଅନ୍ୟ ସହରକୁ ବି ଏହା ବ୍ୟାପିବାରେ ଲାଗିଛି । ରାସ୍ତା ଉପରେ ନିଆଁ ଜାଳି ପ୍ରତିବାଦ କରିଛନ୍ତି ଲୋକେ । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ ସହ ପାଣି ମାଡ଼ କରାଯାଇଛି । ଅନେକ ସହରରେ ଦୋକାନ ବଜାର ବନ୍ଦ ରହିଛି । କେବଳ ପ୍ୟାରିସରେ ଲକ୍ଷାଧିକ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

