ଦୃଷ୍ଟିହୀନ ପିଲା ବି ପଢିବେ କାଳଜୟୀ ରଚନା

ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିହୀନ ପିଲା ବି ପଢିବେ କାଳଜୟୀ ରଚନା । ବଡ଼ ବଡ଼ ଗ୍ରନ୍ଥ ସହ ହେବେ ପରିଚିତ। କାରଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏପରି ଅନେକ ରଚନା ଗୁଡ଼ିକର ବ୍ରେଲି ବାହାରିବ । ସେହିପରି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ବ୍ରେଲିରେ ପୁସ୍ତକ ବାହାରିଲାଣି। ଖୁବ୍ ଶୀଘ୍ର ଯୁକ୍ତ ତିନିର ଦୃଷ୍ଟିହୀନ ଛାତ୍ରଛାତ୍ରୀ ବି ବ୍ରେଲି ପଢିବେ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ରଚନା ଛଅମାଣ ଆଠଗୁଣ୍ଠ । କବିବର ରାଧାନାଥ ରାୟଙ୍କ ଚିଲିକା । ଏପରି ଅନେକ ମହାନ ରଚନାର ଅଧ୍ୟୟନ କରି ପାରିବେ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଦୃଷ୍ଟିହୀନମାନେ ମାଣବସା ଗୁରୁବାର ବି ପଢିବାର ବି ସୁଯୋଗ ପାଇବେ । ଏସବୁ ଗ୍ରନ୍ଥାବଳୀକୁ ବ୍ରେଲିରେ ପରିଣତ କରାଯିବ। ଏଥିପାଇଁ ବ୍ରହ୍ମପୁରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରେଡକୃସ ପ୍ରେସଠାରେ ନୂତନ ଭାବେ ଜର୍ମାନୀରୁ ତିନୋଟି ମେସିନ ଅଣାଯାଇଛି।

ଯାହା ବଡ଼ ବଡ଼ କଷ୍ଟସାଧ୍ୟ ଗ୍ରନ୍ଥକୁ ବ୍ରେଲିଲିପି କରିବାରେ ସହାୟକ ହେବ। ଏସବୁ ବ୍ରେଲିଲିପିକୁ ଯୁକ୍ତ ଦୁଇରେ ପଢି ପାରିବେ ଛାତ୍ରଛାତ୍ରୀ । ଯେଉଁଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହାର ସଫଳତା ପରେ ଯୁକ୍ତ ତିନିର ଅନର୍ସ, ପାସ୍ ଓ ଇଲେକ୍ଟିଭ୍ ବହି ବି ବ୍ରେଲିଲିପି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

କିଛି ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ବ୍ରହ୍ମପୁର ଯାଇ ଏହି ପ୍ରେସ ଓ ନୂଆ ମେସିନର ସମୀକ୍ଷା କରିଥିଲେ । ସେହିପରି ୫ଟି ରୂପାନ୍ତରରେ ସ୍କୁଲ ଓ ଯୁକ୍ତ କଲେଜ ସାମିଲ ହୋଇଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ଡିଗ୍ରୀ କଲେଜ ବି ୫ଟି ରୂପାନ୍ତରରେ ଝଲସିବ । ଏହି ପରିପ୍ରେକ୍ଷୀରେ ଦୃଷ୍ଟିହୀନ ପିଲାମାନଙ୍କୁ ବି ଏହି ରୂପାନ୍ତର ପ୍ରକ୍ରିୟାରେ ସାମିଲ କରାଯିବ ।

ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ୧୦୪ ସ୍ବତନ୍ତ୍ର ସ୍କୁଲ ରହିଛି । ସେଠାରେ ସେମାନଙ୍କ ଶିକ୍ଷାଦାନ ସହ ଭୌତିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ସାଧାରଣ ପିଲାଙ୍କ ପରି ଦୃଷ୍ଟିହୀନ ପିଲାମାନଙ୍କ ଜ୍ଞାନର ପରିସୀମା ବୃଦ୍ଧି ପାଇଁ ନୂତନ ଢାଞ୍ଚାରେ ବ୍ରେଲି କରାଯାଉଛି ।