ଅଭ୍ୟାସଗତ ଅମାନିଆ ଅପରାଜିତା ନିଜ ଦଳରେ ଏକଘରକିଆ

ଭୁବନେଶ୍ବର: ମାଡାମ ଅପରାଜିତାଙ୍କ ଏକଲା ଚଲୋ ନୀତିକୁ ଲାଗିଛି ଧକ୍କା । ଶ୍ରୀମନ୍ଦିରକୁ ନେଇ ରାଜନୀତି ମହଙ୍ଗା ପଡିଛି । ହାତ ଛାଡିଦେଲା ଦଳ । ଯେଉଁ ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ସେହି ବିଜେପି ନେତାମାନେ ମହାପ୍ରଭୁଙ୍କ ସୁରକ୍ଷା ନାଁରେ ବିକାଶ ବିରୋଧୀ ରାଜନୀତି ପାଇଁ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧରେ କୌଣସି କଥା ସହ୍ୟ କରାଯିବ ନାହିଁ । ଯେ କୌଣସି ପରିସ୍ଥିତିରେ ଓଡ଼ିଆଙ୍କ ଅସ୍ମିତା ସହ ସାଲିସ କରାଯିବ ନାହିଁ ବୋଲି ବିଜେପି ସ୍ପଷ୍ଟ କରିଛି । ଖୋଦ ପୁରୀ ବିଧାୟକ ମଧ୍ୟ ବିକାଶକୁ ସମର୍ଥନ କରିଛନ୍ତି ।

ପଦଯାତ୍ରା ପଲିଟିକ୍ସ ପାଇଁ ବିଜେପି ସାଂସଦ ଅପରାଜିତା ଏବେ ଏକଘରକିଆ । ଶ୍ରୀମନ୍ଦିର ସୁରକ୍ଷା ନାଁରେ ଅପରାଜିତାଙ୍କ ପତିଆରା ରାଜନୀତିକୁ ବିଜେପି କରିଛି ସମାଲୋଚନା । ସାଂସଦଙ୍କ ବିକାଶ ବିରୋଧୀ ଆଭିମୁଖ୍ୟକୁ ଲାଗିଛି ଝଟକା ।

ଜଣେ ଅଣ ଓଡ଼ିଆଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇବା ଆମ ଶିଷ୍ଟାଚାର ବୋଲି ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି, ‘ଜଗନ୍ନାଥଙ୍କୁ ନେଇ ଟୀକା ଟିପ୍ପଣୀ ଓଡ଼ିଆଙ୍କୁ ବାଧୁଛି । ଓଡ଼ିଆ ଜାତିର ପରିଚୟ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ଯେ କୌଣସି ସ୍ଥିତିରେ ଓଡ଼ିଆଙ୍କ ଅସ୍ମିତା ସହ ସାଲିସ କରାଯିବ ନାହିଁ ।’ କେବଳ ସୋନାଲି ନୁହଁନ୍ତି, ପୁରୀର ବିଜେପି ବିଧାୟକ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତିକୁ ଗ୍ରହଣ କରିପାରିନାହାଁନ୍ତି । ବିକାଶ କାମକୁ କେହି ବି ବିରୋଧ କରିପାରିବେ ନାହିଁ । ଏଥିପାଇଁ ପୁରୀବାସୀ ଅନେକ ତ୍ୟାଗ ଓ ବଳିଦାନ ଦେଇଥିବା ସେ କହିଛନ୍ତି ।

ସେପଟେ ଅପରାଜିତାଙ୍କ ପଦଯାତ୍ରାକୁ ନେଇ ପୁରୀବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷୋଭ ଏଯାଏଁ ପ୍ରଶମିତ ହୋଇନି । ଗତକାଲି ଅପରାଜିତାଙ୍କ ବିରୋଧରେ ଏତଲା ହୋଇଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ସେବାୟତ ।

ଅପରାଜିତାଙ୍କ ତୁଚ୍ଛା ରାଜନୀତିକୁ ସମାଲୋଚନା କରିଛି ଶାସକ ବିଜେଡି । ଅଭ୍ୟାସଗତ ଆଇନ ଉଲ୍ଲଙ୍ଘନକାରୀ ଭାବେ ଜଣାଶୁଣା ଅପରାଜିତା ଓଡ଼ିଆଙ୍କ ଠାକୁର ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ । ନିଜ ଦଳରେ ନିଜର ଅସ୍ତିତ୍ବ ହରାଇଥିବା ଅପରାଜିତା ନିଜ ସ୍ଥିତି ଜାହିର କରିବାକୁ ଶୋ’ବାଜି କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ । ସେବାୟତ, ବୁଦ୍ଧିଜିବୀ, ପୁରୀ ବାସିନ୍ଦା, ପ୍ରଶାସନ, ଗଜପତି ସମେସ୍ତ ଏହାକୁ ସମର୍ଥନ କରୁଥିବା ବେଳେ ଏକୁଟିଆ ଅପରାଜିତା ନିଜ ପ୍ରଚାର ପାଇଁ ଏଭଳି କରୁଛନ୍ତି । ରାଜନୀତିକୁ ନୂଆ ଆସିଛନ୍ତି, ଏଭଳି ଶୋ’ ବାଜି କଲେ ତିଷ୍ଠି ପାରିବେନି ବୋଲି ପ୍ରମିଳା କହିଛନ୍ତି । ଜଗନ୍ନାଥ ପୀଠର ବିକାଶ କାର୍ଯ୍ୟରେ ରାଜନୀତି କରିବା ଗ୍ରହଣୀୟ ନୁହେଁ ଏବଂ ଏହାକୁ ନେଇ ମିଛ ପ୍ରଚାର କରିବା ଅନୁଚିତ ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।

ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରି ନିଜ ଚକ୍ରବ୍ୟୂହରେ ଫସିଗଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜନୈତିକ ଫାଇଦା ଚକ୍କରରେ ଅପରାଜିତାଙ୍କ ଅସହିଷ୍ଣୁ ରାଜନୀତି ପାଇଁ ଏବେ ସବୁଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି ବିଜେପି ସାଂସଦ ।