ବିଜେପି କର୍ପୋରେଟରଙ୍କ ଗୁଣ୍ଡାଗର୍ଦ୍ଦି: କାର୍ଯ୍ୟରତ ମହିଳା ଏଏସଆଇଙ୍କୁ ଆକ୍ରମଣ ଅଭିଯୋଗରେ ଅଟକ

ଭୁବନେଶ୍ବର: ପୁଣି ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ରାଜଧାନୀରେ କାର୍ଯ୍ୟରତ ମହିଳା ଏଏସଆଇଙ୍କୁ ଆକ୍ରମଣ ଅଭିଯୋଗ । ମଞ୍ଚେଶ୍ବର ଥାନାରେ ଅଭିଯୁକ୍ତ ବିଜେପି କର୍ପୋରେଟର ଜୀବନ ରାଉତ ଅଟକ ।

ଅଭିଯୋଗ ଅନୁସାରେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଜୀବନ ମଞ୍ଚେଶ୍ବର ଥାନାର ମହିଳା ଏଏସଆଇ ଅଞ୍ଜନା ବରାଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଆୁ ଜଣେ କର୍ପୋରେଟର ଆକ୍ରମଣରେ ସାମିଲ ଥିଲେ । ଜୀବନଙ୍କୁ ପୋଲିସ ମଞ୍ଚେଶ୍ବର ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଚନ୍ତି ।

ମଞ୍ଚେଶ୍ବର ଅଞ୍ଚଳରେ ଏକ ରାସ୍ତା କାମକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜୀବନଙ୍କ ବିରୋଧରେ ପୂର୍ବରୁ ସହିଦନଗର ଥାନାରେ ରହିଛି ସଙ୍ଗୀନ ମାମଲା । ତେବେ କାହା ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି ବିଜେପି କର୍ପୋରେଟର ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ନେତା ଜନତାଙ୍କ ସେବା ଛାଡି ଅସନ୍ତୋଷ ସୃଷ୍ଟି କରୁଥିବା ବେଳେ ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।

ସୂଚନାଯୋଗ୍ୟ, ବିଜେପିର ବଡ଼ବଡ଼ ନେତାଙ୍କ ସହ ଜୀବନଙ୍କ ଘନିଷ୍ଠ ସମ୍ପର୍କ ରହିଛି । ଏପରକି ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଭାବେ ଜଣାଶୁଣା । ଦଳର ବରିଷ୍ଠ ନେତାଙ୍କ ଅଭୟ ହାତ ତାଙ୍କ ମୁଣ୍ଡରେ ଥିବା ଚର୍ଚ୍ଚା ହେଉଛି ।