ବିଜେପିକୁ ବିଜେଡିର ପ୍ରଶ୍ନ: ତରବରିଆ ଭାବେ ବେଦାନ୍ତଙ୍କୁ ସ୍ଥାନ ମଞ୍ଜୁରୀ ପଛରେ ରହସ୍ୟ କ’ଣ ?

ଭୁବନେଶ୍ବର: ଲଖନପୁର ଫ୍ଲାଏ ଆଶ ବିବାଦ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଅଙ୍ଗୁଳି ଦେଖାଇଲା ବିଜେଡି । ଫ୍ଲାଏ ଆଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ କରିଛି ଦଳ ।

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜୁଲାଇ ୧୨ ତାରିଖରେ ବେଦାନ୍ତକୁ ସ୍ଥାନ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର । ତେବେ ତରବରିଆ ଭାବେ ମଞ୍ଜୁରୀ ପ୍ରଦାନ ପଛର କ’ଣ ରହସ୍ୟ ରହିଛି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ବିଜେପି ସରକାର ମଞ୍ଜୁରୀ ଦେଇ ବିଜେଡି ଉପରେ ଦୋଷ ଲଦୁଛି ବୋଲି ସେ କହିଛନ୍ତି ।

ଆଗକୁ ସେ କହିଛନ୍ତି, ସତକୁ ସ୍ୱୀକାର କରିବାର ସତସାହସ ବିଜେପିର ନାହିଁ । ବିଜେଡି ଉପରେ ଦୋଷ ଲଦି ବିଜେପି ଖସି ଯିବାକୁ ଚାହୁଁଛି । ଆଶ ପଣ୍ଡ ନ କରିବାକୁ ଆନ୍ଦୋଳନ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ଆସପଣ୍ଡକୁ ମଞ୍ଜୁରୀ ଦେଇଛନ୍ତି ବିଜେପି ସରକାର । ରାଜସ୍ୱ ମନ୍ତ୍ରୀଙ୍କର ଦୋମୁହାଁ ଚରିତ୍ର ଏବେ ସାମ୍ନାକୁ ଆସିଛି । ଏଥିରେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱାର୍ଥ ରହିଥିବା ଜଳ ଜଳ ହୋଇ ଦିଶୁଛି । ତେଣୁ ତରବରିଆ ଭାବେ ମଞ୍ଜୁରୀ ଦେଇଛନ୍ତି ସରକାର । ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦୁର୍ଗନ୍ଧ ଆସୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଲେଖାଶ୍ରୀ ଟାର୍ଗେଟ କରିଛନ୍ତି ।