ବିଜେପିର କୁମ୍ଭୀର କାନ୍ଦଣା: ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଆନ୍ଦୋଳନ ଷଡ଼ଯନ୍ତ୍ର

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଉ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କିଛି ହଟଚମଟ କରିବନି ତାହା ହୋଇନପାରେ । ଯେମିତି, ଆଜି ହଠାତ ବିଜେପି ଦୁଇଟି ଅପରାଧ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛି । ଦୁଇଟି ପ୍ରସଙ୍ଗ ହେଲା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଅନ୍ୟଟି ହେଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ଦୁଇଟି ଯାକ ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଗିରଫ କରିସାରିଥିବା ବେଳେ, ଧର୍ମେନ୍ଦ୍ର ସାହୁଙ୍କ ପ୍ରସଙ୍ଗରେ ତଦନ୍ତ ଜାରି ରହିଛି । ଏଭଳି କ୍ଷେତ୍ରରେ ହଠାତ ବିଜେପି କହିବା ଆରମ୍ଭ କରିଛି, ୟାକୁ ଗିରଫ କର, ତାକୁ ଗିରଫ କର ।

ପ୍ରଶ୍ନ ଉଠୁଛି ବିଜେପି, ପୋଲିସ ନା ଅଦାଲତ ? ପୋଲିସର ତଦନ୍ତକୁ ବିଶ୍ବାସ କରାଯିବ ନା ବିଜେପିର ଅବାନ୍ତର ଦାବିକୁ ବିଶ୍ବାସ କରାଯିବ । ଏଭଳି ଅବାନ୍ତର ଦାବି କରି ରାଜରାସ୍ତାକୁ ଆସିବା ଫଳରେ କେବଳ ଯେ, ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ବରଂ ତଦନ୍ତ ମଧ୍ୟ ପ୍ରଭାବିତ ଓ ବାଧାପ୍ରାପ୍ତ ହେଉଛି । ହେଲେ ଏଥିରେ ବିଜେପିର ଯାଏ ଆସେ କେତେ ? ନିଜ ସ୍ବାର୍ଥ ରକ୍ଷା, ନିଜ ଅପାରଗତାକୁ ଲୁଚାଇବା ପାଇଁ ବିଜେପି ଯାହା ନାହଁ ତାହା କରିବା ପାଇଁ କୁଣ୍ଠାବୋଧ କରୁନାହିଁ ।

ରାଜ୍ୟରେ ବହୁ ପ୍ରସଙ୍ଗ ରହିଛି, ଯାହା ଲୋକଙ୍କ ସ୍ବାର୍ଥ ସହ ଜଡିତ । ସେ ସମ୍ପର୍କରେ ଆଜି ଯାଏଁ ବିଜେପି ପଦୁଟିଏ କହୁନାହିଁ ବା କୌଣସି କାର୍ଯ୍ୟକ୍ରମ ନାହିଁ । ଦରଦାମ ବୃଦ୍ଧି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ମଧ୍ୟବିତ୍ତଙ୍କ ନିଦ ହଜାଇ ଦେଇଛି । ଚାଷୀ ବୀମା ପାଉନଥିବାରୁ ରାଜରାସ୍ତାକୁ ଆସିଲେଣି । କେନ୍ଦ୍ର ସରକାର ଏସବୁ ସମସ୍ୟା ସମ୍ପର୍କରେ ସଂପୂର୍ଣ୍ଣ ଉଦାସୀନ ରହିଛନ୍ତି । ତଥାପି ବିଜେପିର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ହେଲେ ରାଜ୍ୟର କୌଣସି ଅପରାଧ ପ୍ରସଙ୍ଗ ଉଠିଲେ, ବିଜେପି ଚିହିଁକି ଉଠୁଛି ଓ ଭାବୁଛି ଏସବୁ ପ୍ରସଙ୍ଗ ଉଠାଇଲେ ସୁନାମ ଅର୍ଜନ କରିବ । ଯାହା ସାଧାରଣ ଲୋକ ଗ୍ରହଣ କରନ୍ତି ନାହିଁ ।