ଶୀତକାଳୀନ ଅଧିବେଶନ ଲାଗି ବିଜେଡିର ରଣନୀତି: ସଂସଦରେ ପୁଣି ଉଠିବ ପୋଲାଭରମ୍‌ ପ୍ରସଂଗ

1 min read

 ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଅନୁମୋଦନ ମିଳିବାର ସମ୍ଭାବନା ଅଛି । ଓଡ଼ିଶାର ସାଂସଦମାନେ ମଧ୍ୟ ଅନେକ ଦାବି ଓ ପ୍ରସଙ୍ଗ ଉପସ୍ଥାପନ କରିବେ । ଏଥିପାଇଁ ସବୁଦଳ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସଂସଦର ଶୀତ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସମ୍ବିଧାନ ସଂଶୋଧନ କରିବାକୁ ବିଜେଡି ଦାବି କରିଛି ।

ଏଥିସହ ରାଜ୍ୟରେ ଜାତୀୟ ରାଜପଥ, ଟେଲିକମ୍‌ ଏବଂ ବ୍ୟାଙ୍କିଂ ସେବା ବୃଦ୍ଧି ନେଇ ଦାବି କରିବ ବିଜେଡି । ଓଡ଼ିଶାର ଦୁଇଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍‌ ପ୍ଳେସ୍ ମାନ୍ୟତା, ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା, ଭୁବନେଶ୍ୱର-ଦୁବାଇ ବିମାନସେବା ଭଳି ଦାବି ମଧ୍ୟ ବିଜେଡି ଏଜେଣ୍ଡାର ଅନ୍ତର୍ଭୁକ୍ତ। ସେହିପରି ପୋଲାଭରମ ପ୍ରକଳ୍ପ, ସିବିଏସ୍‌ଇର ବର୍ଦ୍ଧିତ ଫି’ ପ୍ରତ୍ୟାହାର ପାଇଁ ଦାବି ରଖାଯିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାକିଥିବା ୧ ହଜାର କୋଟି  ଏବଂ ପିଡିଏସ୍‌ ଯ଼ୋଜନାରେ ବାକିଥିବା  ୩ ହଜାର ୪୭୦ କୋଟି ଟଙ୍କା ଶୀଘ୍ର ପ୍ରଦାନ ପାଇଁ ବିଜେଡି ସାଂସଦମାନେ ଦାବି କରିବେ ।

ସେପଟେ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ରାଜ୍ୟ ସ୍ୱାର୍ଥ ସମେତ ନିଜ ନିର୍ବାଚନମଣ୍ଡଳୀ ପାଇଁ ଦାବି ଉପସ୍ଥାପନ କରିବେ । ଅଧାପନ୍ତରିଆ ଥିବା ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ କରିବା ସମେତ ଉପାନ୍ତ ଅଞ୍ଚଳକୁ ରେଳ ଯୋଗାଯୋଗ, ରାୟଗଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା, ଚାଷୀଙ୍କ ସମସ୍ୟା ସମାଧାନ, ଟ୍ରାଇବାଲ ମ୍ୟୁଜିୟମ୍‌, ଝୋଡ଼ିଆ ସମ୍ପ୍ରଦାୟଙ୍କ ସମସ୍ୟା ସମାଧାନ ପାଇଁ ଦାବି କରିବେ । ଏହାସହ ବେକାରୀ, ବାୟୁ ପ୍ରଦୂଷଣ ପ୍ରସଂଗ ଗୃହରେ ଉପସ୍ଥାପନ କରିବେ । ସେପଟେ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିବ ବିଜେପି ।

ଅଧିବେଶନ ପୂର୍ବରୁ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏଥିରେ ଯୋଗଦେଇଥିଲେ । ')}

Leave a Reply