କେଭି ଓ ସଙ୍ଗୀତାଙ୍କ ଦୁର୍ବ୍ୟବହାରକୁ ବିଜେଡିର ନିନ୍ଦା

1 min read

ବଲାଙ୍ଗୀର: ସରକାରୀ ଅଧିକାରୀଙ୍କୁ ବଲାଙ୍ଗୀର ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ଦୁର୍ବ୍ୟବହାରକୁ କଡ଼ାଭାଷାରେ ବିଜେଡିର ନିନ୍ଦା । ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର କରି ଗାଳିଗୁଲଜ କରିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ ଓ ବେଲପଡା ବ୍ଲକ ଅଧ୍ୟକ୍ଷ ଟିନା କୁମ୍ଭାର ପ୍ରେସମିଟ୍ ଜରିଆରେ ଘଟଣାକୁ ନିନ୍ଦା କରିଛନ୍ତି । ପୋଲିସ ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତୃତୀୟ ଦିନ ଥାନା ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି I

ବଲାଙ୍ଗୀର ସର୍କିଟ ହାଉସରେ ବସିଥିବା ଦିଶା ବୈଠକରେ ସମସ୍ତଙ୍କ ସାମ୍ନାରେ ବ୍ଲକ ଅଧ୍ୟକ୍ଷଙ୍କୁ ଅପମାନ ସୂଚକ ଶବ୍ଦ କହିଥିଲେ ସାଂସଦ ସଙ୍ଗୀତା ସିଂହଦେଓ । ସେହିପରି ବେଲପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର କରିଥିଲେ ବରିଷ୍ଠ ବିଜେପି ନେତା କେ.ଭି ସିଂହଦେଓ । ବିଡିଓଙ୍କୁ ପିଅନ ସମ୍ବଧୋନ କରି ଗାଳିଗୁଲଜ କରିଥିଲେ କେଭି ।

ଓଏଏସ ସଂଘର କ୍ଷୋଭ

ବଲାଙ୍ଗୀରରେ ଲଗାତାର ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଗାଳିଗୁଲଜ ନେଇ ଓଏଏସ ସଂଘ କ୍ଷୋଭ ପ୍ରକାଶ କରିଛି । ଘଟଣାକୁ ନିନ୍ଦା କରିଛନ୍ତି ଓଏଏସ ସଂଘର ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର । ଜନପ୍ରତିନିଧି ହିସାବରେ ଏପରି ବ୍ୟବହାର କରିବା ଉଚିତ ନୁହେଁ । ଅଶାଳୀନ ବ୍ୟବହାରରୁ କ୍ଷାନ୍ତ ରହିବାକୁ କହିବା ସହ ଘଟଣାକୁ କଡ଼ା ନିନ୍ଦା କରିଛି ଓଏଏସ ସଂଘ । ଗଣମାଧ୍ୟମରେ ସମସ୍ତ ଦୃଶ୍ୟ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପାଖରେ ସଂଘ ଦାବି କରିଛି । ସରକାରୀ ଅଧିକାରୀମାନେ ଆଇନକାନୁନ ଭିତରେ କାମ କରୁଛନ୍ତି । ନିଜର ଫାଇଦା ପାଇଁ ଅଧିକାରୀଙ୍କୁ ଧମକ ଦେଇ ନିଜର ଲୋକପ୍ରିୟତା ବଢ଼ାଇବାକୁ ଚାହୁଁଛନ୍ତି ବା ବେଆଇନ କାମ କରିବାକୁ ବାଧ୍ୟ କରୁଛନ୍ତି ଜନ ପ୍ରତିନିଧି । ଏଥିରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ଓଏଏସ ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ଘଟଣାକୁ ସଚିବାଳୟ ସେବା ସଂଘ ନିନ୍ଦା କରିଛି । ଆଇନକାନୁନକୁ ମାନି କାମ କରୁଥିବା ସରକାରୀ ଅଧିକାରୀଙ୍କୁ ଧମକାଇବା ଓ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ । ଜନ ପ୍ରତିନିଧିମାନଙ୍କ ଏପରି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଚିବାଳ ସେବା ସଂଘ ।

କେଭି କ୍ଷମା ନମାଗିଲେ ଆନ୍ଦୋଳନ

ବେଲପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର କରିବା ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ପାଇଁ ବଢ଼ାଇବାରେ ଲାଗିଛି ଅଡୁଆ । କେଭି ସିଂହଦେଓ କ୍ଷମା ନମାଗିଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତା । ବିଡିଓଙ୍କୁ ଗାଳି ଦେବା ଆଦିବାସୀଙ୍କ ସମ୍ମାନରେ ଆଞ୍ଚ ଆଣିଛି । ତେଣୁ ଶୀଘ୍ର କେଭି କ୍ଷମା ମାଗିବାକୁ ଆଦିବାସୀ ସଂଘ ଦାବି । ଗତ ୧୮ ତାରିଖରେ ବେଲପଡା ବିଡିଓ ଭିକ୍ଟର ସୋରେନଙ୍କୁ ସର୍ବସମ୍ମୁଖରେ ଗାଳି ଦେବା ସହ ଜଣେ ପିଅନ ବୋଲି କହିଥିଲେ କେଭି । ଏନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଥାନାରେ ଅଭିଯୋଗ କରିଛି ।