କେନ୍ଦ୍ର ଦୟା କରୁନି, ଭାଗ ପାଇବା ଆମ ଅଧିକାର: ସୁବାସ ସିଂ

1 min read

ଭୁବନେଶ୍ବର: ଆବାସ ଯୋଜନା, ଉଷୁନା ଚାଉଳ କିଣା, ଜିଏସଟିକୁ ନେଇ କେନ୍ଦ୍ରୀୟ ଅବହେଳାକୁ ବିଜେଡିର ଦୃଢ ବିରୋଧ । କେନ୍ଦ୍ର ଶାସିତ ବିଜେପି ସରକାର ବିରୋଧରେ ବିଜେଡିର ଯୁଦ୍ଧଂ ଦେହି ଡାକରା । ବିଜେଡି ସାଂସଦ ସୁବାସ ସିଂ ଆଣିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ । କହିଲେ- କେନ୍ଦ୍ରର ଏମିତି ପାତରଅନ୍ତର ନୀତି ପୂର୍ବରୁ କେବେ ଦେଖିନି ।

ସୁବାସ କହିଛନ୍ତି, ‘କେନ୍ଦ୍ର ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ଚିଠି ଲେଖିଛନ୍ତି । ବିଜେଡି ସାଂସଦ ମଧ୍ୟ ଏହି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରିଛନ୍ତି । କର୍ଣ୍ଣାଟକରେ ଆଗକୁ ନିର୍ବାଚନ ଅଛି । ସେଠି ଏବେ ବିଜେପି ସରକାର ଅଛି । କେବଳ ରାଜନୈତିକ ଆଭିମୁଖ୍ୟ ରଖି ଆର୍ଥିକ ସ୍ଥିତିରେ ବଳିଷ୍ଠ ରାଜ୍ୟ କର୍ଣ୍ଣାଟକ ପାଇଁ ଉଇଣ୍ଡୋ ଖୋଲି ଦେଲେ । ହେଲେ ଆମ ପ୍ରତି ଅବିଚାର କରାଯାଉଛି । ଏପରି ପାତରଅନ୍ତର ଆମେ ଅତୀତରେ କେବେ ଦେଖିନୁ । ଏହା ସଂଘୀୟ ବ୍ୟବସ୍ଥା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି ।’

ସେ ଆହୁରି କହିଛନ୍ତି, ‘ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ପାଖାପାଖି 2 ଲକ୍ଷ ଲୋକ ଘର ପାଇ ନାହାନ୍ତି । ସେହିପରି କେବିକେ ଜିଲ୍ଲାର 6 ଲକ୍ଷ ଲୋକ ଘର ପାଇଁ ଅପେକ୍ଷା କରି ରହିଛନ୍ତି ।’

କେନ୍ଦ୍ର ସରକାର ରାଜ୍ୟର ବଳକା ଉଷୁନା ଚାଉନ ନେଉ ନଥିବାକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ସୁବାସ । ସେ କହିଛନ୍ତି, ‘ଆମେ ଉଷୁନା ଚାଉଳ ଉତ୍ପାଦନରେ ବଳକା ରାଜ୍ୟ । କେନ୍ଦ୍ର ଯଦି ଚାଉଳ ନନେବ ଆମେ କ’ଣ ଏହାକୁ ବଙ୍ଗୋପସାଗରରେ ଫିଙ୍ଗି ଦେବୁ । ରାଜ୍ୟରେ 19ରୁ 20 ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ଅଛି । ହେଲେ କେନ୍ଦ୍ର 5ରୁ 6 ଲକ୍ଷ ମେଟ୍ରିକ ଟନ ନେବ ବୋଲି କହୁଛି ।’

ସେ କହିଛନ୍ତି, ‘କରୋନା ସମୟରେ ବି GST ଓ ରାଜସ୍ୱ ସଂଗ୍ରହରେ ଓଡ଼ିଶା ଆଗରେ ରହିଛି । ହେଲେ କେନ୍ଦ୍ର 1623 କୋଟି ଜିଏସଟି ନଦେଇ ପକାଇ ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳତା ସହ କୋଭିଡ ପରିଚାଳନା କରୁଛନ୍ତି । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ । ଆମେ ରାଜସ୍ୱ ଦେଉଛୁ । ଭାଗ ପାଇବା ଆମ ଅଧିକାର । କେନ୍ଦ୍ର ସରକାର ଦାନ କରୁ ନାହାନ୍ତି । ଆଦିବାସୀ ଶିକ୍ଷାରେ କେନ୍ଦ୍ର ଅନୁଦାନ କମୁଛି । ତେଣୁ ବିଜେଡି ପକ୍ଷରୁ ସଂସଦରେ ସ୍ବର ଶାଣିତ କରାଯାଉଛି ।’

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ମଧ୍ୟ ମତ ରଖିଛନ୍ତି ସାଂସଦ । ସେ କହିଛନ୍ତି, ‘ବିଜେଡି ପାଇଁ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଆସିବ । ଆମ ଦଳ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ଅଛି । ନେତାଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି । ଏକ ହୋଇ ଆମେ କାମ କରୁଛୁ । ସାଙ୍ଗଠନିକ ଦୃଷ୍ଟିରେ ବିଜେଡି ବୁଥ ଓ ଲୋକଙ୍କ ସହ ଅଛି । ବିଜେପିର ସ୍ଥିତି କ’ଣ ପଂଚାୟତ ନିର୍ବାଚନ ପରେ ଜଣାପଡ଼ିବ । ଏ ନିର୍ବାଚନ ସେହିମାନଙ୍କ ବିରୋଧରେ ଜନମତର ନୂଆ ରୂପରେଖ ତିଆରି କରିବ, ଯେଉଁମାନେ ଭୁଲ ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ଏହାର ପ୍ରତିଫଳନ ନିର୍ବାଚନରେ ହେବ ।’

Leave a Reply