ଫେଲ୍ ପ୍ରାର୍ଥୀଙ୍କ ଲୁହରେ ଭିଜିଲା ରାଜନୀତି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନର ଜବାବ ଦେଲା ବିଜେଡି

1 min read

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତିକୁ ନେଇ ବିରୋଧୀଙ୍କ ରାଜନୀତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିବା ପ୍ରାର୍ଥୀଙ୍କ ଦୁଃଖରେ ରାଜନୈତିକ ଫାଇଦା ନେବାକୁ ପ୍ରୟାସ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପ୍ରସଙ୍ଗରେ ବିବାଦୀୟ ବୟାନ ଦେଉ ଦେଉ ତାଙ୍କୁ ଚେକ୍ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାହା ଧର୍ମେନ୍ଦ୍ରଙ୍କ ଭିତିରିଆ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା EdCIL ଜରିଆରେ କରାଯାଇଛି । ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଛି । ଏପରି ସ୍ଥିତିରେ ଧର୍ମେନ୍ଦ୍ର ନିଜ ମନ୍ତ୍ରାଳୟର ସଂସ୍ଥାର ପାରିବାପଣିଆ ହିଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ହୀନ ରାଜନୀତିକୁ ପଦାରେ ପକାଇ ଦେଇଛି । ପ୍ରଣବଙ୍କ ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ପାଖରେ ଜବାବ ନାହିଁ । ଫେକ୍ ସୋସିଆଲ ମିଡିଆ ଆଇଡି ଜରିଆରେ ବିଜେପି ଭ୍ରମ ସୃଷ୍ଟି କରୁଥିବା ବିଜେଡି ଅଭିଯୋଗ କରିଛି ।

ଅନ୍ୟପଟେ ଆନ୍ଦୋଳନରତ ପ୍ରାର୍ଥୀମାନଙ୍କୁ ନେଇ ଚାଲିଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ୭ ବର୍ଷ ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଯାହା ୨୦ ହଜାର ଆଶାୟୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି । ଆଗକୁ ଆହୁରି ୧୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏଥିପାଇଁ ପ୍ରସ୍ତୁତି କରିବାକୁ ଶିକ୍ଷାବିତମାନେ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରୀୟ ସଂସ୍ଥା EdCIL ‘ମିନି ରତ୍ନ’ କାଟେଗୋରୀରେ ଆସେ । ଯାହା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହା ଜାଣିଛନ୍ତି ନା ଜାଣିଶୁଣି ରାଜନୀତି କରିବାକୁ ବିବାଦ ସୃଷ୍ଟି କରୁଛନ୍ତି, ତାହା ପ୍ରଶ୍ନ ।