ରାଜ୍ୟ ପାଇଁ ଚିନ୍ତା ପାଲଟିଛି କନ୍ୟା ଜନ୍ମହାର: ଝିଅ ନୁହେଁ, ପୁଅ ଚାହୁଁଛନ୍ତି ଶିକ୍ଷିତ ଦମ୍ପତି

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବରେ କମୁଛି କନ୍ୟା ଜନ୍ମହାର । ପୂର୍ବବର୍ଷ ତୁଳନାରେ ଯଦିଓ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ବଢ଼ିଛି ହେଲେ କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହାର କମିଥିବା ଦେଖିବାକୁ ମିଳିଛି । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟର ତଥ୍ୟ ଅନୁସାରେ ଗତ ୫ ବର୍ଷରେ ରାଜ୍ୟରେ କନ୍ୟା ଜନ୍ମହାର ୪ ପ୍ରତିଶତ ହ୍ରାସ ପାଇଛି । ଏହା ଭବିଷ୍ୟତ ପାଇଁ ଏକ ବଡ ଆହ୍ବାନ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ବେଚ୍ଛାସେବୀ ।

କନ୍ୟା ସନ୍ତାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି ଶିକ୍ଷିତ ଦମ୍ପତି । ପ୍ରତି ୧ ହଜାର ବାଳକରେ ଜନ୍ମ ହେଉଛନ୍ତି ୮୯୪ କନ୍ୟା । ଗ୍ରାମାଞ୍ଚଳରେ ପ୍ରତି ୧ ହଜାର ବାଳକରେ ୮୮୫ କନ୍ୟା ସନ୍ତାନ ଜନ୍ମ ହେଉଥିବା ବେଳେ ସହରାଞ୍ଚଳରେ ୯୫୦ । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ପ୍ରତି ୧ ହଜାର ବାଳକ ସନ୍ତାନରେ ୭୪୫ ଶୁଶୁ କନ୍ୟା ଜନ୍ମ ହେଉଥିବା ବେଳେ ଝାରସୁଗୁଡାରେ ତାହା ୭୯୩, ପୁରୀରେ ୭୮୨, ସୁନ୍ଦରଗଡ଼ରେ ୮୦୯ ଓ ଖୋର୍ଦ୍ଧାରେ ୮୧୦ ରହିଛି । ତେବେ ସହରାଞ୍ଚଳରେ ସମସ୍ତ ଦମ୍ପତି ଗୋଟିଏ ସନ୍ତାନ, ତାହା ପୁଣି ପୁଅ ହେବାର ମାନସିକତା ରଖୁଥିବା ସ୍ବେଚ୍ଛାସେବୀ କହିଛନ୍ତି ।

ରିପୋର୍ଟ ଅନୁସାରେ ଅଧିକ ବିକଶିତ, ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିପାରୁଥିବା ଜିଲ୍ଲାଗୁଡ଼ିକରେ ଶିଶୁକନ୍ୟା ଜନ୍ମହାର ଅନ୍ୟ ଜିଲ୍ଲାଠାରୁ କମ୍ ରହୁଛି । କିନ୍ତୁ ଯେଉଁଠି ଲୋକମାନେ ଅଧିକ ଶିକ୍ଷିତ ନୁହଁନ୍ତି ସେଠାରେ ଝିଅ ଓ ପୁଅ ଭିତରେ କୌଣସି ଭେଦଭାବ ନାହିଁ । ସେଥିପାଇଁ ରାଜ୍ୟର ଆଦିବାସୀ ଅନ୍ୟୁଷିତ ଜିଲ୍ଲାଗୁଡିକରେ କନ୍ୟା ଶିଶୁ ଜନ୍ମହାର ରାଜ୍ୟହାର ଠାରୁ ଯଥେଷ୍ଟ ଆଗରେ ରହିଛି । ରାଜ୍ୟର ସମ୍ବଲପୁର ଜିଲ୍ଲାରେ ପ୍ରତି ହଜାରେ ପୁତ୍ର ସନ୍ତାନରେ ୧୦୬୧ କନ୍ୟା ଜନ୍ମ ହେଉଥିବାବେଳେ ନୂଆପଡ଼ାରେ ୧୦୨୫, ନବରଙ୍ଗପୁରରେ ୧୦୪୫, କୋରାପୁଟରେ ୧୦୧୪, କେନ୍ଦୁଝରରେ ୯୮୪, ମାଲକାନଗିରିରେ ୯୮୧ ଗଜପତିରେ ୯୯୯ ଶିଶୁ କନ୍ୟା ଜନ୍ମ ହେଉଛନ୍ତି । ଏଭଳି ସ୍ଥିତିରେ ସଚେତନତା ହିଁ ଏକମାତ୍ର ବାଟ ବୋଲି କହିଛନ୍ତି ଶିଶୁ ସୁରକ୍ଷା ବିଶେଷଜ୍ଞ ।

ଜାତୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୪ରେ ଏହି ସଂଖ୍ୟା ୯୩୨ ଥିବା ବେଳେ ସଦ୍ୟ ପ୍ରକାଶିତ ରିପୋର୍ଟରେ ତାହା ୮୯୪ ରହିଛି । ଏହି ତାଲିକାରେ କଟକ, ଝାରସୁଗୁଡା ଓ ପୁରୀ ଜିଲ୍ଲାର ସ୍ଥିତି ସବୁଠାରୁ ଅଧିକ ସଙ୍ଗିନ ରହିଛି ।

Leave a Reply