ପ୍ରତିଷ୍ଠା ଦିବସଠାରୁ ଗାଁକୁ ଯିବ ବିଜେଡି

1 min read

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଦଳକୁ ୨୪ ପୂରି ୨୫ ଚାଲିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ବିଜେଡି ଏହା ମଧ୍ୟରେ ସାରା ଦେଶରେ ଗ୍ରହଣୀୟ ହୋଇସାରିଛି । ଏବର୍ଷ ଦଳର ପ୍ରତିଷ୍ଠା ଦିବସରେ ଫୋକସ୍‌ରେ ରହିବ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା । ଏଥିପାଇଁ ପଞ୍ଚାୟତ ସ୍ତରରେ ଲୋକଙ୍କ ସହ ପ୍ରତିଷ୍ଠା ଦିବସ ପାଳନ କରାଯିବ ।

ପୁଣି ପ୍ଲାନିଂ ହେବ ଭବିଷ୍ୟତ କାର୍ଯ୍ୟପନ୍ଥା । ସରକାରୀ ଯୋଜନା କାର୍ଯ୍ୟକାରିତାର କରାଯିବ ସମୀକ୍ଷା । ନୂଆ ବୈଷୟିକ ଜ୍ଞାନକୌଶଳରେ ଲୋକଙ୍କ ପାଖରେ ପହଞ୍ଚିବ ସେବା । ଜନ୍ମରୁ ମୃତ୍ୟୁ ଯାଏଁ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ 5T ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।

ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି ଏହି ଆଞ୍ଚଳିକ ଦଳ । କେବଳ ନିଜ ସହ ହିଁ ଚାଲିଛି ପ୍ରତିଦ୍ବନ୍ଦ୍ବିତା । ଏଥର ଜନ୍ମଦିନରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି , ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନକୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବ ।

ଗାଁରୁ ବ୍ଲକ ଯାଏଁ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ବଖାଣିବ ଦଳ । କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ସମସ୍ୟାକୁ ଘରେ ଘରେ ପହଞ୍ଚାଇବେ ମହିଳା ବ୍ରଗେଡ୍ । ବେକାରୀ ଓ ନିଯୁକ୍ତି ନାଁରେ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଟାର୍ଗେଟ କରିବେ ଯୁବ ଓ ଛାତ୍ର ବିଜେଡି ବାହିନୀ । ଗାଁ ଗାଁରେ ବାଜିବ ବିଜୁ ଆଦର୍ଶର ବାର୍ତ୍ତା ।

ଆପଣମାନେ ପଞ୍ଚାୟତ ସମ୍ଭାଳନ୍ତୁ, ମୁଁ ସଚିବାଳୟ ସମ୍ଭାଳୁଛି । ପ୍ରଥମ ଥର କ୍ଷମତାକୁ ଆସିବା ସମୟରେ ତୃଣମୂଳ ସ୍ତରରୁ ରାଜ୍ୟର ବିକାଶ ପାଇଁ ଏହି ଆହ୍ବାନ ଦେଇଥିଲେ ନବୀନ ପଟ୍ଟନାୟକ । ଗାଁ ଗାଁରେ ବିକାଶର ଧ୍ବଜା ନବୀନ ସରକାରଙ୍କ ସଫଳତାର ମୂକସାକ୍ଷୀ । ଆଗକୁ ପଞ୍ଚାୟତ ନିର୍ବାଚନ । ପ୍ରତିଷ୍ଠା ଦିବସରୁ ହିଁ ଦଳ ଆରମ୍ଭ କରିବ ପଞ୍ଚାୟତ ଦଖଲ ଅଭିଯାନ ।

Leave a Reply