ନନ୍ଦିଘୋଷ ବ୍ୟୁରୋ: ଇରାନ ବିରୋଧୀ ଯୁଦ୍ଧକୁ ନେଇ ଅଡୁଆରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରିପବ୍ଲିକାନ ସାଂସଦମାନଙ୍କ ସହ ବସିଥିବା ବୈଠକରେ ହୋଇଛନ୍ତି ସମାଲୋଚନାର ଶିକାର। ଯୁଦ୍ଧ ଯୋଗୁ ଆମେରିକା ପ୍ରବଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବାରୁ ଟ୍ରମ୍ପଙ୍କ ଉପରେ ଦୋଷାରୋପ କରିଥିଲେ ସାଂସଦ। ଏପରିକି ବୈଠକରେ ସିନେଟର ବିଲ୍ କାସିଡିଙ୍କ ସହ ଟ୍ରମ୍ପଙ୍କ ଯୁକ୍ତିତର୍କ ହୋଇଥିଲା।
ଇରାନକୁ ଆମେରିକା ପ୍ରସ୍ତାବିତ ସହାୟତା ପ୍ରସଙ୍ଗରେ ବି ଟ୍ରମ୍ପଙ୍କୁ ସମାଲୋଚନା କରାଯାଇଛି। ଆମେରିକା-ଇରାନ ମଧ୍ୟରେ ହୋଇଥିବା ରାଜିନାମାରେ ଇରାନକୁ ୩୦୦ ବିଲିୟନ ଡଲାର ସହାୟତା ନେଇ ଟ୍ରମ୍ପ କରିଥିଲେ ଘୋଷଣା। ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଦଳୀୟ ସାଂସଦ। ସେପଟେ ଯୁଦ୍ଧ ପ୍ରସଙ୍ଗରେ ଅଧିକାଂଶ ଆମେରିକୀୟ ଟ୍ରମ୍ପଙ୍କୁ ସମାଲୋଚନା କରୁଥିବା ଦେଖାଯାଉଛି। ଏପରିକି ଶାସନକୁ ପୁନର୍ବାର ଫେରିବା ପରଠାରୁ ତାଙ୍କ ଲୋକପ୍ରିୟତା ଯଥେଷ୍ଟ ହ୍ରାସ ଘଟୁଥିବା ଦେଖାଯାଉଛି।
ଗତକାଲି ଆମେରିକା-ଇରାନ ଯୁଦ୍ଧ ପ୍ରସଙ୍ଗରେ ପୁଣି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଲାଗିଥିଲା ଝଟକା। ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ସିନେଟରେ ପ୍ରସ୍ତାବ ପାରିତ ହୋଇଥିଲା। ସିନେଟରେ ଏହି ପ୍ରସ୍ତାବ ୫୦-୪୮ ଭୋଟରେ ଗୃହୀତ ହୋଇଥିଲା। ଏହା ସହ ଇରାନ ବିରୋଧରେ ମୁତୟନ ସେନାକୁ ପ୍ରତ୍ୟାହାର ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା।

