ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ କଟକରେ ଓଡିଆ ନାଟକ ଓ ଚଳଚିତ୍ର ମହୋତ୍ସବ

କଟକ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ଵରରେ ଅତି ବର୍ଣ୍ଣାଢ୍ଯ ଢଙ୍ଗରେ ଆୟୋଜିତ ହୋଇଥିବା ବେଳେ ଏହାର ଅଂଶ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଓଡିଆ ନାଟକ ଓ ଚଳଚିତ୍ର ମହୋତ୍ସବ । କାର୍ଯ୍ୟକ୍ରମରେ ଆମ ଓଡିଆ ଚଳଚ୍ଚିତ୍ରର ଇତିହାସ ଓ ଗାରିମାକୁ ନେଇ ନାଚ, ଗୀତ, ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏଥିରେ ଓଡିଆ ଚଳଚିତ୍ରକୁ ଜୀବନବ୍ୟାପୀ ସେବା ଯୋଗାଇଥିବା ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

କଟକରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଝଲକ। ଓଡ଼ିଆ ଚଳଚ୍ଚିତ୍ର ଓ ନାଟକର ଗାରିମା ବୃଦ୍ଧି ପାଇଁ ଉଦ୍ଯମ। ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ୍ ପିଲାର୍ ରେ ପରିବେଷିତ ହୋଇଛି ସୁନ୍ଦର ସୁନ୍ଦର ପୁରୁଣା ଓଡିଆ ଚଳଚିତ୍ରର ଗୀତ ଓ ଏହାରି ଉପରେ  ଆଧାରିତ ନୃତ୍ୟ । ଦୁଇ ଦିନିଆ ଓଡିଆ ନାଟକ ଓ ଚଳଚ୍ଚିତ୍ର ମହୋତ୍ସବର ଦ୍ବିତୀୟ ଦିନରେ କଳାକାର ମାନେ 1936 ମସିହାରୁ 1975 ମଧ୍ଯରେ ହୋଇଥିବା ସୁପରହିଟ ଓଡିଆ ଫିଲ୍ମର ଲୋକପ୍ରିୟ ଗୀତଗୁଡିକୁ ବାଛି ନୃତ୍ୟଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ଚଳଚ୍ଚିତ୍ରରେ ଓଡ଼ିଶା ଭାଷା, ଚଳଣୀ ଓ ସଂସ୍କୃତର ଝଲକକୁ ଅତି ନିଖୁଣଭାବେ ଦେଖାଇବାକୁ ଚେଷ୍ଟା କରିଥିଲେ ଶିଳ୍ପୀ।

କେବଳ ନୃତ୍ୟ ନୁହେଁ ବରଂ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ପରିବେଷଣ କରାଯାଇଥିଲା ସୁନ୍ଦର ସୁନ୍ଦର ଗୀତ । ଯାଯାବର ହେଉ ବା ଅପରାଜିତା, ଅଭିମାନ ହେଉ ବା ଅମଡାବାଟ, ମାଆ ହେଉ ବା ରକ୍ତ ଗୋଲାପ, ସବୁକୁ ଏକାଠି କରି ଓଡିଆ  ଫିଲ୍ମର ରୁଦ୍ଧିମନ୍ତ ଇତିହାସକୁ ରୋମନ୍ଥନ କରିଥିଲେ ଗାୟକଗାୟିକା । ଏହାସହ ରୂପେଲି ପରଦାରେ ପରିବେଷଣ ହୋଇଥିଲା ପୁରୁଣା ଓଡିଆ ଚଳଚିତ୍ର ।