ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବେଞ୍ଜାମିନ ନେତନ୍ୟାହୁ

ନନ୍ଦିଘୋଷ ବ୍ୟୁରୋ: ଲିକୁଡ ପାର୍ଟିର ନେତା ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦେଶରେ ଲାଗିରହିଥିବା ରାଜନୈତିକ ଅସ୍ଥିରତା ଏବେ ଥମିବ ବୋଲି ଆଶା କରାଯାଉଛି । କାରଣ ୨୦୧୯ରୁ ଏପର୍ଯ୍ୟନ୍ତ ଏଠାରେ ପାଞ୍ଚଟି ସାଧାରଣ ନିର୍ବାଚନ ହୋଇସାରିଲାଣି । ୭୩ ବର୍ଷୀୟ ନେତନ୍ୟାହୁ  ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ସେ ଇସ୍ରାଏଲରେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ନେତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ନେତନ୍ୟାହୁ ଇସ୍ରାଏଲର ସଂସଦ ନେସେଟରେ ବିଶ୍ୱାସ ମତ ମଧ୍ୟ ଜିତିଛନ୍ତି । ମିଡିଆ ରିପୋର୍ଟ ମୁତାବିକ ମୋଟ ୧୨୦ ସାଂସଦ ମାନଙ୍କ ମଧ୍ୟରୁ ୬୩ ନୂଆ ସରକାର ପକ୍ଷରେ ଭୋଟ ଦେଇଥିଲେ । ୫୪ ସାଂସଦ ବିପକ୍ଷରେ ଭୋଟ ଦେଇଥିଲେ । ନେତନ୍ୟାହୁ ନିଜ କ୍ୟାବିନେଟରେ ୩୧ ମନ୍ତ୍ରୀ ଏବଂ ତିନି ଉପମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ସେ ୫ ମହିଳାଙ୍କୁ ମଧ୍ୟ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ।