ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଇଁ ଯାଇ ପାରୁନଥିବା ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ

ଭୁବନେଶ୍ବର: ରାଜ୍ଯରେ ଆଜି ସୁଦ୍ଧା ୨୧ ହଜାର ୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ବ୍ୟାଙ୍କ ଯିବାକୁ ଅସମର୍ଥ, ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏହାଦ୍ୱାରା ସେମାନଙ୍କ ଘର ଦୁଆରେ ପେନସନ ଦିଆଯାଇରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା କରୁଛନ୍ତି । ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଲାଭ ଦେବ । ୨୦୧୭ ମସିହାରେ ୪୮ ଲକ୍ଷ ହିତାଧିକାରୀ ପେନସନ ପାଉଥିଲେ । ଯେଉଁଥିରେ ୨୮ ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଥିଲେ । ତିନି ଦିନ ତଳେ ଅଧିକ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ୩ ଦଶମିକ ୩୫ ଲକ୍ଷ ପେନସନ ଆବେଦନ କରି ଅପେକ୍ଷା କରିଛନ୍ତି । ୬୫ ହଜାର ଅନଲାଇନ ଆବେଦନ କରିଥିଲେ । ସେମାନେ ଆସନ୍ତା ଫେବୃଆରୀ ୧୫ ତାରିଖରେ ପେନସନ ପାଇବେ । ବର୍ତ୍ତମାନ ପେନସନ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଁଚିଛି ।