କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଘଟିଛି ଅଭାବନୀୟ ଘଟଣା। ମୃତକ ୫ ମାସର ଭାଇଭଉଣୀ।ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଶ୍ରଦ୍ଧା । ଉଭୟଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ । ପରେ ଘରକୁ ଆସି ଛୁଆଙ୍କୁ ଦେଖିବାକୁ ପାଇନଥିଲେ । ଘରର ଲାଇଟ ବନ୍ଦ ଥିବାବେଳେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ବି ପିଲାଙ୍କୁ ଦେଖିବାକୁ ପାଇନଥିଲେ । ପରେ ବାଡ଼ିପଟେ ଖୋଜାଖୋଜି କରିବା ପରେ କୂଅରେ ଏକ ଶିଶୁ ଭାସୁଥିବା ଦେଖିବାକୁ ପାଇଥିଲେ । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାଆ କ୍ଷୀର ପାଇ ବାହାରକୁ ଯାଇଥିବାବେଳେ କେହି ବାଡ଼ିପଟୁ ଘରେ ପଶି ଶିଶୁଦୁଇଟିକୁ କୂଅରେ ପକାଇଦେଇଥିବା ଅଭିଯୋଗ ହୋଇଛି । ତେବେ ଛୁଆମାନେ ଘରୁ କୂଅ ନିକଟକୁ କେମିତି ଗଲେ। କିଏ ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେନେଇ କୌଣସି ସୂଚନା ମିଳିପାରିନି ।