ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘଷାଷଣା କରିଛନ୍ତି ଭାରତ ରତ୍ନ ସମ୍ମାନ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ଚୌଧୁରୀ ଚରଣ ସିଂ, ବୈଜ୍ଞାନିକ ଏମଏସ ସ୍ବାମୀନାଥନ ପାଇବେ ଭାରତ ରତ୍ନ ସମ୍ମାନ । ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରି ମୋଦି ଲେଖିଛନ୍ତି, ‘ଆମ ସରକାରର ଏହା ସୌଭାଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛୁ । ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଓ ସମର୍ପଣର ଉପହାର ହେଉଛି ଏହି ସମ୍ମାନ । ସେ କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ । ରାଷ୍ଟ୍ର ନିର୍ମାଣକୁ ଏକ ଦିଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ । କୃଷକଙ୍କ ପାଇଁ ସମର୍ପଣ ଭାବ ଓ ଜରୁରୀ ପରିସ୍ଥିତି ବେଳେ ଲୋକତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ପ୍ରତିବଦ୍ଧତା ସବୁ ବେଳେ ପ୍ରରଣା ଦେଇଥାଏ । ସୂଚନାଯୋଗ୍ୟ, ଆରଏଲଡି ମୁଖିଆ ଜୟନ୍ତ ସିଂଙ୍କ ଜେଜେ ଓ କୃଷକଙ୍କ ଉଦ୍ଧାରକର୍ତ୍ତା ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ନରସିଂହଙ୍କୁ ନେଇ ସେ କହିଛନ୍ତି, ‘ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା ।

ସେହିପରି ପ୍ରତିଷ୍ଠିତ ବୈଜ୍ଞାନିକ ଡ. ଏମ.ଏସ. ସ୍ବାମୀନାଥନ ଭାରତୀୟ କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ସେ ଲେଖିଛନ୍ତି, ‘ଏହା ଖୁସିର କଥା ଭାରତ ସରକାର କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବାମୀନାଥଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି । ଜଟିଳ ସମୟରେ ସେ ଭାରତୀୟଙ୍କୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାସହ ଭାରତୀୟ କୃଷିକୁ ଆଧୁନିକ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।