ହକି ବିଶ୍ବକପ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର: ଶେଷ ହୋଇଛି ହକି ବିଶ୍ବକପ୍‌ ନେଇ ବସିଥିବା ସର୍ବଦଳୀୟ ବୈଠକ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସମସ୍ତ ନେତାଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ବକପ୍‌ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁ ଦଳର ନେତା ପ୍ରଶାଂସା କରିଛନ୍ତି । ଲୋକସେବା ଭବନ କନଭେନସନ ହଲ୍‌ରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ବିଶ୍ୱକପ୍ ଆୟୋଜନ ସମ୍ବନ୍ଧରେ କିଛି କିଛି ପରାମର୍ଶ ଦେଇଥିଲେ ।

କିପରି ଶୃଙ୍ଖଳରା ସହ ବିଶ୍ୱକପ୍ ଆୟୋଜନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଜାନୁଆରୀ ୧୧ ତାରିଖରେ ଉଦଘାଟନୀ ଉତ୍ସବ ହେବ । କଟକ, ରାଉରକେଲା ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ହେବ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ୧୩ ତାରିଖରୁ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।