ଖୁବଶୀଘ୍ର ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ ହେବ ଘୋଷଣା, ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ନୂଆ ରାଷ୍ଟ୍ରପତି

1 min read

କାବୁଲ: ଖୁବ୍ ଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ଦେଶର ହୋଇପାରନ୍ତି ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ ସଂଗଠନର ରାଜନୈତିକ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ବରଦାର ଜଣାଶୁଣା ।

ଓମାରଙ୍କୁ ୨୦୧୦ରେ ଗିରଫ କରାଯାଇଥିଲା ଏବଂ ୨୦୧୮ରେ ତାଙ୍କୁ ଖଲାସ କରି ଦିଆଯାଇଥିଲା । ସେପଟେ ଦେଶଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି କହିଛନ୍ତି ରକ୍ତପାତ ଏଡାଇବା ଲାଗି ସେ ଏହି ପଦକ୍ଷେପ ନେଇଛନ୍ତି । ଦେଶରେ ବନ୍ଧୁକ ଓ ଖଣ୍ଡାର ବିଜୟ ଘଟିଛି । ତାଲିବାନ ଏବେ ଦେଶବାସୀଙ୍କ ଦାୟିତ୍ୱ ନେବ । ଏକ ସ୍ୱତନ୍ତ୍ର ବିମାନରେ ନିଜର ପରିବାର ଓ ବିଶ୍ୱସ୍ତ କର୍ମଚାରୀଙ୍କ ସହ ଘନି ତାଜାକିସ୍ତାନ ଚାଲିଯାଇଥିବା କୁହାଯାଇଛି । ଦେଶକୁ କବଜା କରିବା ପରେ ଦେଶର ପ୍ରାୟ ସମସ୍ତ ବିମାନବନ୍ଦରକୁ ଅଧିକୃତ କରିଛି ତାଲିବାନ ।

କାବୁଲ ବିମାନ ବନ୍ଦରରେ କେବଳ ବିଦେଶୀମାନଙ୍କୁ ନେବା ଲାଗି ଆବଶ୍ୟକ ବିମାନ ସେବାକୁ ଅନୁମତି ଦିଆଯାଇଛି । ଭାରତୀୟମାନଙ୍କୁ ଆଣିବା ଲାଗି ଏକ C17 ଗ୍ଲୋବମାଷ୍ଟର ସାମରିକ ବିମାନ ରଖାଯାଇଛି । ଭାରତୀୟଙ୍କ ଜୀବନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କୁ ନିରାପଦରେ ଭାରତ ଅଣାଯିବ ବୋଲି କୁହାଯାଇଛି । ଅନ୍ୟପଟେ ଆଫଗାନିସ୍ତାନ ସ୍ଥିତି ନେଇ ଆଜି ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ।

ସେପଟେ ୨୦ ବର୍ଷ ତଳେ ଯେଉଁ ସରକାରୀ କର୍ମଚାରୀ ଯେଉଁଠି କାର୍ଯ୍ୟରତ ଥିଲେ ସେହି ସ୍ଥାନକୁ ଫେରିଆସିବା ଲାଗି ତାଲିବାନ ନିର୍ଦ୍ଦେଶ ଦେଇଛି । ଲାଞ୍ଚ, ଦୁର୍ନୀତି, ପ୍ରିୟାପ୍ରୀତି, ଔଦ୍ଧତ୍ୟ, ଅବହେଳା ଆଦିଠାରୁ ଦୂରରେ ରହିବା ଲାଗି କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । କାବୁଲସ୍ଥିତ ରାଷ୍ଟ୍ରପତି ଭବନରେ ବିପୁଳ ତାଲିବାନୀ ମୁତୟନ ହୋଇଛନ୍ତି । ୧୯୯୬ରୁ ୨୦୦୧ ତାଲିବାନ ଶାସନ କାଳରେ ମହିଳାମାନଙ୍କୁ କାମ କରିବାର ଅଧିକାର ଦିଆଯାଉ ନଥିଲା ଏବଂ ସର୍ବସାଧାରଣରେ ଦୋଷୀଙ୍କ ଉପରକୁ ପଥର ଫିଙ୍ଗିବା, ମାଡ ମାରିବା, ଫାଶୀ ଦେବା ଆଦି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଏସବୁ କିଛି ଘଟିବ ନାହିଁ ବୋଲି ତାଲିବାନ ପକ୍ଷରୁ ପରୋକ୍ଷ ଭାବେ କୁହାଯାଇଛି ।

Leave a Reply