ଗନି ଖୋଜୁଛନ୍ତି ଘର, ବିମାନ ଓହ୍ଲାଇବାକୁ ଅନୁମତି ଦେଲା ନାହିଁ ତାଜିକସ୍ତାନ

ମସ୍କଟ: ଆଫଗାନିସ୍ତାନର କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅଶରଫ ଗନି ରବିବାର ଦିନ ଦେଶ ଛାଡିଥିଲେ । ନିଜ ଦେଶ ଛାଡି ଗନି ତାଜିକସ୍ତାନରେ ଶରଣ ନେବେ ବୋଲି ପ୍ରଥମେ କୁହାଯାଉଥିଲା । ପୂର୍ବତନ ରାଷ୍ଟ୍ରପତିଙ୍କୁ ନେଇ ଯାଇଥିବା ବିମାନ ମଧ୍ୟ ତାଜିକସ୍ତାନ ଅଭିମୁଖେ ଉଡ଼ିଥିଲା । କିନ୍ତୁ ତାଜିକସ୍ତାନ ଗନିଙ୍କ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇନଥିଲା । ଏହାପରେ ଗନିଙ୍କୁ ନେଇ ବିମାନ ଓମାନ ଅଭିମୁଖେ ଯାତ୍ରା କରିଥିଲା । ଏବେ ଗନି ଓମାନରେ ଅଛନ୍ତି । ସେ ଆମେରିକାରେ ଶରଣ ନେଇ ପାରନ୍ତି ବୋଲି କୁହଯାଉଛି । ସୂଚନାଯୋଗ୍ୟ ଯେ, ଗନିଙ୍କ ସହିତ ତାଙ୍କର କିଛି ନିକଟତମ ସହଯୋଗୀ ମଧ୍ୟ ଦେଶ ଛାଡିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ମୋହିବ ।

ସୂଚନାଯୋଗ୍ୟ ଯେ, ତାଲିବାନ କାବୁଲକୁ ଘେରିବା ପରେ ରାଷ୍ଟ୍ରପତି ଗନି ଦେଶ ଛାଡିଥିଲେ । ଯାହାକୁ ରାଷ୍ଟ୍ରୀୟ ଶାନ୍ତି ପରିଷଦର ମୁଖ୍ୟ ଅବଦୁଲ୍ଲା ନିନ୍ଦା କରିଥିଲେ । ସେ କହିଥିଲେ ଯେ, ଗନିଙ୍କୁ ଇଶ୍ୱର ଉତ୍ତର ମାଗିବେ ।

ହମିଦ କର୍ଜାଇ କେଉଁଠି ?

୨୦୧୪ରୁ ଦେଶର ରାଷ୍ଟ୍ରପତି ଥିବା ଗନି ଦେଶ ଛାଡି ସରିଛନ୍ତି । ଏହାଭିତରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇ କେଉଁଠି ଅଛନ୍ତି ? ହମିଦ କର୍ଜାଇ ଏବେ ମଧ୍ୟ କାବୁଲରେ ଅଛନ୍ତି । ସେ ତାଲିବାନ ପ୍ରତିନିଧିଙ୍କ ସହିତ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ବାବଦରେ କଥା ହେଉଥିବା ଜଣା ପଡିଛି । ଦେଶରେ ଦୁଇ ପକ୍ଷକୁ ନେଇ ସରକାର ଗଠନ କରିବା କର୍ଜାଇଙ୍କ ଲକ୍ଷ୍ୟ ରହିଛି । ତେବେ ତାଲିବାନ ଏହାକୁ ମାନିବାର ସମ୍ଭାବନା ଖୁବ କମ ଅଛି ।

ଆଜି ଦେଶରେ ପହୁଞ୍ଚୁଛି ତାଲିବାନ ନେତୃତ୍ୱ

ଦେଶ ବାହାରେ ଥିବା ତାଲିବାନର ନେତା ସୋମବାର ଦିନ ଆଫଗାନିସ୍ତାନରେ ପହଂଚୁଥିବା ଜଣା ପଡିଛି । ହାମିଦ କର୍ଜାଇ ତାଲିବାନ ଓ ଅନ୍ୟପକ୍ଷକୁ ନେଇ ସରକାର ଗଠନ ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ତାଲିବାନ ପୂର୍ବରୁ ଏଭଳି କୌଣସି ସମ୍ଭାବନାକୁ ଅସ୍ୱୀକାର କରିଆସିଛି । ତାଲିବାନ କ୍ଷମତାରେ ଆଉ କାହାର ଭାଗିଦାରୀ ଚାହୁଁନାହିଁ ।

Leave a Reply