ଆଫଗାନିସ୍ତାନରେ କାର୍ଯ୍ୟକ୍ଷମ ହେବ ମୃତ୍ୟୁଦଣ୍ଡ, ଅଭିଯୁକ୍ତଙ୍କ ହାତ ଗୋଡ଼ କାଟିଦେବା ପ୍ରକ୍ରିୟା ଆରମ୍ଭ

1 min read

କାବୁଲ: ୧୯୯୦ ଦଶକରେ ଚାଲିଆସିଥିବା ସମସ୍ତ ବର୍ବର ନିୟମ ପୁଣି ଆଫଗାନିସ୍ତାନରେ କାର୍ଯ୍ୟକ୍ଷମ ହେବ । ଇସଲାମିକ ଆଇନ ଅନୁସାରେ ମୃତ୍ୟୁଦଣ୍ଡ, ଅଭିଯୁକ୍ତମାନଙ୍କ ହାତ ଗୋଡ଼ କାଟିଦେବା ଆଦି ପ୍ରକ୍ରିୟା ଆଦି ପୁଣି ଚାଲୁହେବ ବୋଲି କହିଛି ଚାଲିବାନ । ତାଲିବାନର ଜେଲ୍ ବିଭାଗ ମନ୍ତ୍ରୀ ତଥା ପୂର୍ବତନ ଧାର୍ମିକ ପୋଲିସ ମୁଖ୍ୟ ମୁଲ୍ଲା ନୁରଉଦ୍ଦିନ ତୁରାବି କହିଛନ୍ତି ଦେଶରେ କଠୋର ଦଣ୍ଡ ବ୍ୟବସ୍ଥାକୁ ତାଲିବାନ ଆପଣାଇବ । ନିରାପତ୍ତା ଲାଗି ହସ୍ତ ଛେଦନ କରିବା ଜରୁରୀ । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ହସ୍ତକ୍ଷେପ କରିବା ଦରକାର ନାହିଁ ବୋଲି ସେ କହିଛନ୍ତି । ଷ୍ଟାଡିଅମରେ ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦେବା, ହାତ କାଟିଦେବା ଆଦି ପ୍ରକ୍ରିୟାକୁ ଅନେକେ ସମାଲୋଚନା କରୁଛନ୍ତି । ମାତ୍ର ଏହା ଆଫଗାନିସ୍ତାନର ରାଷ୍ଟ୍ରୀୟ ନିୟମ ଏବଂ ଦେଶର ନିୟମ କିପରି ପରିଚାଳିତ ହେବ ସେନେଇ କେହି କିଛି କହିବାର ଆବଶ୍ୟକତା ନାହିଁ ।

କୋରାନ ଅନୁସାରେ ଦେଶରେ ଆଇନ ପ୍ରକ୍ରିୟା ଜାରି ରହିବ ଏବଂ ଇସଲାମ ଧର୍ମର ନିୟମଗୁଡିକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ଗତ ଅଗଷ୍ଟରେ ଆଫଗାନିସ୍ତାନକୁ କବଳ କରିଥିବା ତାଲିବାନୀ ନେତାମାନେ ଆଧୁନିକ ଜୀବନଶୈଳୀ କଟାଉଥିବା ସତ୍ତ୍ବେ ମଧ୍ୟଯୁଗୀୟ ବର୍ବରତାକୁ ଆପଣାଇବା ପ୍ରଶ୍ନ ସୃଷ୍ଟି କରୁଛି । ୧୯୯୦ ଦଶକରେ କାବୁଲର ବିଭିନ୍ନ ସ୍ପୋର୍ଟସ ଷ୍ଟାଡିଅମ ଓ ମସଜିଦ ପଡିଆରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଏହି ଲୋମହର୍ଷକ ଦଣ୍ଡ ଦିଆଯାଉଥିଲା । ତଥାକଥିତ ବିଚାରପତି, ମୁଲ୍ଲାଙ୍କ ନିର୍ଦ୍ଦେଶରେ ଦୋଷୀଙ୍କୁ ଏହି ଦଣ୍ଡ ଦିଆଯାଉଥିଲା । ଏପରିକି ଜଣେ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଯାଇ ଯଦି ଜଣେ ସମ୍ପର୍କୀୟ ନିଜେ ମରିବାକୁ ଚାହୁଁଥିଲା ତେବେ ସେପରି ବି କରାଯାଉଥିଲା । ଅପରାଧୀଙ୍କ ସମ୍ପର୍କରେ ବିଚାର ଓ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ମୁଲ୍ଲା ତଥା ବିଚାରପତିଙ୍କ ଇଚ୍ଛାଧୀନ ଥିଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଛୋଟମୋଟ ଅପରାଧ, ଚୋରି ଘଟାଉଥିବା ଲୋକମାନଙ୍କ ହସ୍ତଛେଦନ ପ୍ରକ୍ରିୟା ଚାଲୁ ରହିଛି ।

ଗତ ସପ୍ତାହରେ କିଛି ବ୍ୟକ୍ତିଙ୍କ ହାତବାନ୍ଧି ଟ୍ରକ ପଛରେ ବାନ୍ଧି ଦିଆଯାଇଥିବାବେଳେ କିଛି ଲୋକଙ୍କ ମୁହଁରେ କଳା ବୋଳି ପରେଡ କରାଯାଇଥିଲା । ୧୯୮୦ ଦଶକରେ ସୋଭିଏତ ବାହିନୀ ଦ୍ୱାରା ନିଜର ଏକ ଗୋଡ ଓ ଏକ ଆଖି ହରାଇଥିବା ତୁରାବି ଏବେ ଅତି ଶକ୍ତିଶାଳୀ ଧାର୍ମିକ ଗୁରୁ ହୋଇଥିବା କୁହାଯାଇଛି । କିଛି ଦିନ ତଳେ ଜଣେ ତାଲିବାନନ ବିଚାରପତି ହାଜି ବାଦ୍ରୁଦ୍ଦିନ କହିଥିଲେ- ସାରିଆ ଅନୁସାରେ ଅବିବାହିତ ଯୁବକ ବା ଯୁବତୀ ଯଦି ଯୌନକ୍ରିୟାରେ ଲିପ୍ତ ରହିବେ ତେବେ ସେମାନଙ୍କୁ ସର୍ବସମ୍ମୁଖରେ ୧୦୦ ପାହାର ଦିଆଯିବ । ଯଦି ବିବାହିତମାନେ ପାପ ପ୍ରଣୟରେ ଲିପ୍ତ ରହିବେ ତେବେ ସେମାନଙ୍କୁ ପଥର ମାଡ କରି ହତ୍ୟା କରାଯିବ । ଯେଉଁମାନେ ଚୋରି କରିବେ ସେମାନଙ୍କ ହାତ କାଟିଦିଆଯିବ ।

Leave a Reply