କାବୁଲ ବିମାନବନ୍ଦର ସାମ୍ନାରୁ ୧୫୦ ଭାରତୀୟ ନାଗରିକଙ୍କୁ ଉଠାଇନେଲେ ତାଲିବାନୀ: ରିପୋର୍ଟ

1 min read

ନୂଆଦିଲ୍ଲୀ: ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫୦ ଜଣ ଭାରତୀୟ ନାଗରିକଙ୍କୁ ତାଲିବାନୀ ମାନେ କାବୁଲ ବିମାନବନ୍ଦର ଫାଟକ ବାହାରେ ଅପହରଣ କରି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣା ଉପରେ ନଜର ରଖିଛି ଏବଂ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ମନ୍ତବ୍ୟ ଆସିନାହିଁ ।

ଏକ ଭାରତୀୟ ବାୟୁସେନା C-130J ପରିବହନ ବିମାନ କାବୁଲରୁ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହେବାର କିଛି ଘଣ୍ଟା ପରେ ଏହି ଅପହରଣ ଘଟଣା ଘଟିଛି । ବିମାନଟି ତାଜିକିସ୍ତାନର ଦୁଶାନବେ ଠାରେ ନିରାପଦରେ ଅବତରଣ କରିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଆଉ ଏକ ବିମାନ ଅଧିକ ସ୍ଥାନାନ୍ତର ପାଇଁ ଷ୍ଟାଣ୍ଡବାଇରେ ରହିଥିବା ସୂଚନା ରହିଛି । ଶନିବାର ସକାଳେ ସୂତ୍ରରୁ ପ୍ରକାଶ ଯେ, ସରକାର ଯେତେ ସମ୍ଭବ ଭାରତୀୟଙ୍କୁ କାବୁଲର ବିମାନବନ୍ଦରକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଭାରତ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ସ୍ଥାନାନ୍ତର କରିଛି କିନ୍ତୁ ପ୍ରାୟ ୧୦୦୦ ଭାରତାୟ ନାଗରିକ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି । ଏହି ସମସ୍ତ ଭାରତୀୟ ନାଗରିକ ନିଜ ପରିଚୟ ଦୂତାବାସରେ ପଞ୍ଜିକରଣ କରିନଥିବାରୁ ସେମାନଙ୍କର ଅବସ୍ଥାନ ଏବଂ ସ୍ଥିତି ଜାଣିବା ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି । ଏହି ଭାରତୀୟଙ୍କ ମଧ୍ୟରେ ୨୦୦ ଜଣ ଶିଖ୍ ଏବଂ ହିନ୍ଦୁ ଅଛନ୍ତି ଯେଉଁମାନେ କାବୁଲର ଏକ ଗୁରୁଦ୍ୱାରରେ ଆଶ୍ରୟ ନେଇଛନ୍ତି।

ତେବେ ଅପହରଣ ଅଭିଯୋଗକୁ ଖଣ୍ଡନ କରିଛି ତାଲିବାନ । କୌଣସି ଲୋକଙ୍କୁ ଅପହରଣ କରାଯାଇନାହିଁ ବୋଲି ତାଲିବାନ ସୂତ୍ରରୁ କୁହାଯାଇଛି ।

Leave a Reply