କରୋନା ରୋଗୀଙ୍କ ସେବା କରୁଥିବା ଅଭିନେତ୍ରୀଙ୍କୁ ପକ୍ଷାଘାତ, ଡାକ୍ତରଖାନାରେ ଭର୍ତ୍ତି

1 min read

ମୁମ୍ବାଇ: ନିଜ ଜୀବନକୁ ଖାତିର ନ କରି କରୋନା ପୀଡ଼ିତଙ୍କ ସେବା କରିବା ପାଇଁ ନର୍ସ ହୋଇଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ଏବେ ଅସୁସ୍ଥ। କରୋନା ସହ ଲଢ଼େଇରେ ଜିତିବା ପରେ ସେ ପକ୍ଷାଘାତର ଶିକାର ହୋଇଯାଇଛନ୍ତି। ଯାହାପରେ ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବର୍ତ୍ତମାନ ସେ ମୁମ୍ବାଇର କୁପର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଶିଖାଙ୍କ ମ୍ୟାନେଜର ଅଶ୍ୱିନ୍ ଶୁକ୍ଲା ସୋଶାଲ୍ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଶିଖାଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଶିଖା ମଲହୋତ୍ରା ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସହ ଲଢେଇରେ ଜିତିବା ପରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ତାଙ୍କୁ ପକ୍ଷାଘାତ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବର୍ତ୍ତମାନ ସେ କଥାବାର୍ତ୍ତା କରିବାରେ ସମ୍ପୂର୍ଣ୍ଣ ଅକ୍ଷମ। ଶେଷରେ ସେ ତାଙ୍କର ଶୀଘ୍ର ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ସୂଚନା ମୁତାବକ ୧୦ ତାରିଖ ରାତିରେ ଶିଖାଙ୍କୁ ପ୍ରଥମେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ମହଙ୍ଗା ହେବା କାରଣରୁ ପରେ ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଶିଖା ୨୦୧୯ରେ ରିଲିଜ୍ ହୋଇଥିବା ସଞ୍ଜୟ ମିଶ୍ରଙ୍କ ଫିଲ୍ମ ‘କାଞ୍ଚଲି’ରେ ଅଭିନୟ କରିଥିଲେ। ଏହାପରେ ସେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ‘ରଙ୍ଗିନ ଶାଦୀ’ରେ ମଧ୍ୟ କାମ କରିଥିଲେ। ଏହାବ୍ୟତୀତ ସେ ଶାହାରୁଖଙ୍କ ଫିଲ୍ମ ‘ଫ୍ୟାନ୍’ରେ ମଧ୍ୟ ଅଭିନୟ କରିଥିଲେ। ଶିଖା ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ନର୍ସିଂ ପାଠ ପଢ଼ିଥିଲେ। ଲକଡାଉନବେଳେ ସେ ନିଜ ଜୀବନକୁ ଖାତିର ନ କରି କରୋନା ପୀଡ଼ିତଙ୍କ ସେବା କରିବା ପାଇଁ ପୁଣିଥରେ ନର୍ସ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ମୁମ୍ବାଇର ଯୋଗେଶ୍ୱରୀ ଇଷ୍ଟସ୍ଥିତ ‘ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଟ୍ରମା ହସ୍ପିଟାଲ୍’ରେ ସ୍ୱଚ୍ଛାସେବୀ ଭାବେ ନିୟୋଜିତ ଥିଲେ। ପାଖାପାଖି ୬ ମାସ କରୋନା ରୋଗୀଙ୍କ ସେବା କରିବା ପରେ ସେ ଗତ ଅକ୍ଟୋବରରେ ନିଜେ କରୋନା ସଂକ୍ରମିତ ହୋଇଥିଲେଓ ୨୨ ଅକ୍ଟୋବରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

 

Leave a Reply