spot_img

Latest Posts

ବଲାଙ୍ଗୀର ଚାଷୀଙ୍କୁ ଗୁଣ୍ଡିପୋକ ଚିନ୍ତା, ୪୦୦ ହେକ୍ଟରରୁ ଅଧିକ ଧାନ ଫସଲ ନଷ୍ଟ

ନନ୍ଦିଘୋଷ ବ୍ୟୁରୋ : ବର୍ଷ ଆରମ୍ଭରୁ ବର୍ଷାର ଅଭାବ। ଏବେ ଗୁଣ୍ଡିପୋକ ବଲାଙ୍ଗୀର ଚାଷୀଙ୍କ ଚିନ୍ତା ବଢ଼ାଇଛି। ଗୁଣ୍ଡିପୋକ ଆକ୍ରମଣରେ ୪ ଶହ ହେକ୍ଟରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଋଣ ସୁଝିବେ କିପରି, ପରିବାର ପ୍ରତିପୋଷଣ ହେବ କେମିତି—ଏହି ଚିନ୍ତାରେ ମୁଣ୍ଡରେ ହାତ ଦେଇଛି ଚାଷୀ। ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଚାଷରେ ଗୁଣ୍ଡିପୋକ ବ୍ୟାପିବାରେ ଲାଗିଛି। ଧାନଗଛରୁ କେଣ୍ଡା ବାହାରିବା ପୂର୍ବରୁ ଗୁଣ୍ଡିପୋକ ଆକ୍ରମଣ କରିବାରୁ ଗଛର ପତ୍ର ଲାଲ ଓ ହଳଦିଆ ହୋଇଯାଉଛି। ଔଷଧ ପ୍ରୟୋଗ କରିବା ପରେ ମଧ୍ୟ ପୋକ ଦମନ ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଚାଷୀମାନେ ବ୍ଲକସ୍ତରରେ ଥିବା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗ ଶୁଣାଯାଉନଥିବାରୁ ଚାଷୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ନିକଟକୁ ଦୌଡ଼ୁଛନ୍ତି। କିନ୍ତୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଧିକାଂଶ ସମୟରେ କିଛି ନା କିଛି କାମ ଆଳରେ ଅଫିସରେ ଅନୁପସ୍ଥିତ ରହୁଥିବାରୁ ଚାଷୀମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି।

କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷ ମୌସୁମୀଜନିତ ବର୍ଷା ବିଳମ୍ବ ହେବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ଲଗାଣ ବର୍ଷା ଓ ବନ୍ୟାରେ ଚାଷ ନଷ୍ଟ ହୋଇଥିଲା। ତଥାପି କ୍ଷତିଗ୍ରସ୍ତ ଚାଷୀ ଅଣ୍ଟା ସଳଖ କରି ପୁଣିଥରେ ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ଧାନଗଛ ଦେଢ଼ରୁ ଦୁଇ ମାସରେ ପହଞ୍ଚିଥିବା ବେଳେ ଆଉ ୧୫ରୁ ୨୦ ଦିନ ପରେ ଧାନ କେଣ୍ଡା ବାହାରିବାର ସମୟ ଆସିବ। ଏଭଳି ସମୟରେ ଧାନଗଛରେ ଗୁଣ୍ଡିପୋକ ସଂକ୍ରମଣ ଦେଖାଦେଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଜିଲ୍ଲାର ବଲାଙ୍ଗୀର, ଲୋଇସିଂହା, ଦେଓଗାଁ, ପୁଇଁତଳା ବ୍ଲକ ସମେତ ବିଭିନ୍ନ ଅଞ୍ଚଳର ଚାଷଜମିରେ ଧାନ ଫସଲ ଗୁଣ୍ଡିପୋକ ଆକ୍ରାନ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ଗୁଣ୍ଡିପୋକ ଦମନ କରାନଗଲେ ଆଗାମୀ ଦିନରେ ଧାନଗଛର ପତ୍ର ହଳଦିଆ ହେବା ସହ ଚକଡ଼ା ପୋକ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି।

Latest Posts

Don't Miss