ନନ୍ଦିଘୋଷ ବ୍ୟୁରୋ : ଚଡ୍ଡି ଗ୍ୟାଙ୍ଗର ଚୋରମାନେ ହାଇଦ୍ରାବାଦରରେ ଆତଙ୍କ ସୃଷ୍ଟି କରିଛନ୍ତି । ହାଇଦ୍ରାବାଦ ମଣିକୋଣ୍ଡା ନେକନାମପୁର ଅଞ୍ଚଳରେ ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଫ୍ଲୋଟିଲା ଆପାର୍ଟମେଣ୍ଟରେ ଭୋର ସମୟରେ ଏକ ଦଳ ଦୁର୍ବୃତ୍ତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ଚୋରମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୩ଟା ୨୦ରେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟ ପରିସରରେ ପ୍ରବେଶ କରିଥିଲେ। ପରେ ସି-ବ୍ଲକ୍ର ସିଡ଼ି ଦେଇ ଏକ ଫ୍ଲାଟ୍ରେ ପ୍ରବେଶ କରି ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିଥିଲେ।
ଚୋରି କରିବା ସମୟରେ ଜଣେ ମହିଳା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଦୁର୍ବୃତ୍ତମାନେ ତାଙ୍କ ଉପରେ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଆପାର୍ଟମେଣ୍ଟରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜରେ ପ୍ରାୟ ୬ ଜଣ ବ୍ୟକ୍ତି ଆପାର୍ଟମେଣ୍ଟ ପରିସରରେ ଘୁରୁଥିବା ଦେଖାଯାଇଥିବା କୁହାଯାଇଛି। CCTV ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଘଟଣା ପରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। CCTV କ୍ୟାମେରା, ଆଲୋକୀକରଣ ଏବଂ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆପାର୍ଟମେଣ୍ଟ ଆସୋସିଏସନ୍ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଚଡ୍ଡି ଗ୍ୟାଙ୍ଗ୍ ଦ୍ୱାରା କରାଯାଇଥିବା ସମ୍ପୂର୍ଣ୍ଣ ଚୋରି ସି-ବ୍ଲକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଚୋରି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚି ଘଟଣା ସହିତ ଜଡିତ ସମସ୍ତ ସୂଚନା ସଂଗ୍ରହ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି।

