ଭୁବନେଶ୍ଵର ଶିଖରଚଣ୍ଡୀ ଅଞ୍ଚଳର ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଠାବ। ସେ ଆତ୍ମହତ୍ଯା କରିଥିବାର ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶ୍ୱାସ ସ୍ୱାଇଁ। ଛାତ୍ରଙ୍କ ମୃତ୍ୟୁକୁ ନେଇ କ୍ୟାମ୍ପସ ଅଶାନ୍ତ। ପିଲାମାନେ ହଙ୍ଗାମା କରିବା ସହିତ ଭଙ୍ଗାରୁଜା କରିଥିବା ବି ଜଣାପଡ଼ିଛି। ଅଭିଯୋଗ ହୋଇଛି ସେହି ଛାତ୍ରଙ୍କୁ ରାଗିଂ କରାଯାଇଥିଲା। ତେଣୁ ସେ ଆତ୍ମହତ୍ଯା କରିଛନ୍ତି। ଏହାକୁ କ୍ୟାମ୍ପସରେ ଦେଖା ଦେଇଥିଲା ଉତ୍ତେଜନା। ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛନ୍ତି। ଇନ୍ଫୋସିଟି ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସହପାଠୀଙ୍କ ବୟାନ ରେକର୍ଡ କରିଛି । ଯାହାର ବି ଦୋଷ ତ୍ରୁଟି ଥିବ, ତାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।
ସେପଟେ ପରିବାର ଲୋକେ ପହଞ୍ଚିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ପୁଅକୁ ରାଗିଂ କରାଯାଉଥିଲା । ଏ ସଂପର୍କରେ ସେ ପରିବାରକୁ ଜଣାଇଥିଲା। ସିନିୟରଙ୍କ ଭୟରେ ସେ କ୍ୟାଣ୍ଟିନକୁ ବି ଆସୁନଥିଲା। ରାତିରେ ଛତୁଆ ପିଇ ରହୁଥିଲା ବୋଲି କାନ୍ଦି କାନ୍ଦି କହିଛନ୍ତି ମୃତ ଛାତ୍ରଙ୍କ ବାପା ଓ ମା’ । ତେବେ ରାଗିଂ ଅଭିଯୋଗ ର ସତ୍ୟତା ନଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ ।
ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ, ମୃତ୍ୟୁ ପରେ କ୍ୟାମ୍ପସରେ ପ୍ରବଳ ହଙ୍ଗାମା

