ଯାଜପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ନବଜାତ ଶିଶୁ ଜନ୍ମ ପରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ଶିଶୁ ଗୁରୁତର ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ଗ୍ରାମର କୈଳାସ ଚନ୍ଦ୍ର ଓଝାଙ୍କ ପତ୍ନୀ ରଶ୍ମିତା ସୁତାରଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା l ରଶ୍ମିତାଙ୍କ ଅପରେସନ ପରେ ଶିଶୁ ଜନ୍ମ ହୋଇଥିଲା l ଶିଶୁ ଜନ୍ମ ନେବା ପରେ ଗୁରୁତର ଥିବାରୁ ଯାଜପୁର ଶିଶୁ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଜଟିଳ ହେବାରୁ ଶିଶୁକୁ କଟକ ଶିଶୁଭବନକୁ ରେଫର କରିଥିଲେ ଡାକ୍ତର l ଶିଶୁ ଜନ୍ମ ପରେ ପରିବାର ଲୋକଙ୍କୁ ନ ଦେଖାଇ କଟକ ନେଇଯିବାକୁ କହିବାରୁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା l ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିବା ପରେ ଘଟଣାସ୍ଥଳରେ ଯାଜପୁର ପୋଲିସ ପହଂଚି ବୁଝାସୁଝା କରିଥିଲେ l ପରେ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଥିଲା l ଡାକ୍ତରଙ୍କ ଚିକିତ୍ସା ଅବହେଳା ଅଭିଯୋଗ କରି ଉତେଜନା ସୃଷ୍ଟି କରିଥିଲେ ପରିବାର ଲୋକେ l ଅନ୍ୟପଟେ ଚିକିତ୍ସାରେ କୌଣସି ଅବହେଳା ହୋଇନଥିବା କହିଛନ୍ତି ଚିକିତ୍ସା ଅଧିକାରୀ। ଶିଶୁକୁ ସଠିକ ଚିକିତ୍ସା ଦିଆଯାଇଥିବା ସେ କହିଛନ୍ତି।

