ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ। ଓଡ଼ିଶାର ବନ୍ଦରଗୁଡ଼ିକୁ ରେଳ ଓ ସଡ଼କ ପଥରେ ସଂଯୁକ୍ତ କରିବାର ପ୍ରକଳ୍ପର ଷ୍ଟାଟସ୍ କଣ ? ଲଜିଷ୍ଟିକସ ପାର୍କ ଓ ବହୁୁମୁଖୀ ଯୋଗାଯୋଗ ସଂପର୍କିତ ଯୋଜନା କେମିତି ଚାଲିଛି ଏବଂ ଓଡ଼ିଶାରେ ଆହୁରି କୋଷ୍ଟାଲ ବର୍ଥ ଓ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ଅଣତାରକା ପ୍ରଶ୍ନ ପଚାରିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ଏହାର ଉତ୍ତରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଓଡି଼ଶାର ବନ୍ଦରଗୁଡ଼ିକୁ ସଡ଼କ ଓ ରେଳପଥରେ ସଂଯୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଜାତୀୟ ରାଜପଥକୁ ପ୍ରଶସ୍ତ କରିବା ସହିତ ଏହାକୁ ଅପଗ୍ରେଡ୍ କରାଯାଉଛି। ନୂଆ ଓ ଆହୁରି ରେଳପଥ ନିର୍ମାଣ କରାଯାଉଛି। ରେଳ ଓଭର ବ୍ରିଜରେ ଅଟୋ ସିଗନାଲ, ଜଳପଥ ପ୍ରକଳ୍ପ ଓ ବହୁମୁଖୀ ମୋଡାଲ ଲଜିଷ୍ଟିକ୍ସ ପାର୍କ କରାଯାଉଛି। ପାରାଦୀପ ବନ୍ଦରର ୧୦୦ ଏକର ଜମିରେ ଏକ ମଲଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରାଯାଉଛି ୨୬୦ କୋଟି ଟଙ୍କାରେ। ଏଥିରେ ରହିଛି ସଡ଼କ ନିର୍ମାଣ, ୭ଟି ସାଇଡିଂ, ଗୋଦାମ ନିର୍ମାଣ କରାଯାଇଛି। ବନ୍ଦରଗୁଡ଼ିକର ବିକାଶ ପାଇଁ ସାଗରମାଳା ପ୍ରକଳ୍ପ ଚାଲିଛି। ଏଥିରେ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି ଆର୍ଥିକ ସାହାଯ୍ୟ। ପାରାଦୀପ ବନ୍ଦର, ଧାମରା ବନ୍ଦର ଓ ଗୋପାଳପୁର ବନ୍ଦର ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପର ଏକ ତାଲିକା ବି କେନ୍ଦ୍ରମନ୍ତ୍ରୀ ପ୍ରଦାନ କରିଛନ୍ତି।

