ନନ୍ଦିଘୋଷ ବ୍ୟୁରୋ : ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ । ସଜେଇ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ବେଶ ଆଡମ୍ବରରେ ଆରମ୍ଭ ହୋଇଛି ମାଆଙ୍କ ଚୈତ୍ର ଯାତ୍ରା । ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ । ଭୋରରୁ ମାଆଙ୍କ ଦ୍ଵାରଫିଟା ନୀତି ସହିତ ଅନ୍ଯାନ୍ଯ ନୀତି ପରେ ମାଆ ଭକ୍ତମାନଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଇଥିଲେ । ମାଆଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସିଥିଲେ । ମାନସିକଧାରୀ ମାନେ ନିଜ ପିଲା ମାନଙ୍କ ମୁଣ୍ଡନ କରିଥିଲେ । ଅନେକ ଭକ୍ତ ୯୯୯ ପାହାଚ ଚଢି ମାଆଙ୍କୁ ଦର୍ଶନ କରିଥିଲେ । ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି । ଅନ୍ୟପଟେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।…
ସେପଟେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ପାଇଁ ଚଳଚଞ୍ଚଳ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ପ୍ରଥମ ପାଳିରେ ମାଆଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମାଆଙ୍କ ସ୍ନାନ ମାଜଣା, ସୂର୍ଯ୍ୟ ପୂଜା, ବଲ୍ଲଭ ପରେ ସାଧାରଣ ଦର୍ଶନ ହୋଇଥିଲା । ମାଙ୍କ ନେତ୍ର ଉତ୍ସବରେ ମାଆ ଶାରଳାଙ୍କ ପୀଠରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମାଙ୍କ ମହିମା ପ୍ରଚାର କରିବା ଉଦ୍ଦେଶ୍ଯରେ ବିଭିନ୍ନ ଗାଁକୁ ଯାତ୍ରା କରିଛନ୍ତି । ଆଜିର ଦିନରେ ମାଆଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ କରି କୃତାର୍ଥ ମଣିଛନ୍ତି ଭକ୍ତ । ଚୈତ୍ର ମାସ ମଙ୍ଗଳବାରରେ ମାନସିକଧାରୀ ମହିଳାମାନେ ନିଜ ପରିବାରର ମଙ୍ଗଳ କାମନା କରି ପନ୍ଥେଇ ଓଷା କରିଥାନ୍ତି ।
ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଚଳଚଞ୍ଚଳ ମା’ ତାରାତାରିଣୀ ଓ ମା‘ ମଙ୍ଗଳାଙ୍କ ପୀଠ….

