ଇଂଲଣ୍ଡକୁ ହରାଇ ଭାରତ ପୁଣି ବନିଲା u-19 ବିଶ୍ବକପ୍ ଚାମ୍ପିଅନ
ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର ୧୯ ବିଶ୍ବକପ କ୍ରିକେଟରେ ପୁଣି ଭାରତ ଚାମ୍ପିଅନ୍ । ଫାଇନାଲରେ ଇଂଲଣ୍ଡକୁ ଶହେ ରନରେ ହରାଇ ଷଷ୍ଠ ଥର ପାଇଁ ଟାଇଟଲ ହେତେଇଲା ଟିମ୍ ଇଣ୍ଡିଆ । ଭାରତୀ ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ରିୟୁ ବାହିନୀ । ୪୦ ଓଭର ୨ଟି ବଲରେ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହେଲା ଇଂଲଣ୍ଡ ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ସ୍କୋର । ୮୦ ବଲରେ ୧୭୫ ରନ କରିଥିଲେ ବୈଭବ । ୧୫ଟି ଛକା ଓ ୧୫ଟି ଚୌକା ସହାୟତାରେ ମାତ୍ର ୮୦ ବଲରେ ସଂଗ୍ରହ କଲେ ୧୭୫ ରନ୍ । ଜିମ୍ବାୱେ ହରାରେ ସ୍ପୋର୍ଟ୍ସକ୍ଲବ ଠାରେ ଆୟୋଜିତ ଫାଇନାଲରେ ବୈଭବଙ୍କ ଶତକ ଓ ଅଧିନାୟକ ଆୟୁଷ ମୋହାତ୍ରେଙ୍କ ଅର୍ଦ୍ଧ ଶତକ ବଳରେ ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।
ମ୍ଯାଚରେ ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିଥିଲା ବ୍ଲୁ ବ୍ରିଗେଡ୍ । ଦଳ ପକ୍ଷରୁ ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ ଅରୁଣ ଜର୍ଜ ଓ ବୈଭବ ସୂର୍ଯ୍ୟବଂଶୀ । ଅରୁଣ ୯ ରନ କରି ଆଉଟ ହେବାପରେ ତାଙ୍କୁ ସାଥ ଦେବାକୁ ଆସିଥିଲେ ଅଧିନାୟକ ଆୟୁଷ ମୋହାତ୍ରେ । ଉଭୟଙ୍କ କେମେଷ୍ଟ୍ରି ପଡ଼ିଆରେ ବେଶ ଜମିଥିଲା । ତେବେ ୪୧୨ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ୨୦ ଓଭରରେ ବେନ ଡନକନଙ୍କ ବିସ୍ଫୋରକ ୮୮ ରନ ବଳରେ ୨ ୱିକେଟ ହରାଇ ୧୭୦ ରନ କରିଥିଲା । ଏହାପରେ ୭ ରନ ଭିତରେ ୫ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା ଇଂଲଣ୍ଡ ଟିମ୍ । ତେବେ ପାଳିକୁ ସମ୍ଭାଳିଥିଲେ ଫାଲକୋନର । ସେ ୬୭ ବଲରେ ୧୧୫ରନ କରି ଆଉଟ ହେବା ପରେ ଦଳ ପରାଜୟ ଦ୍ବାର ଦେଶକୁ ଚାଲି ଆସିଥିଲା । ଶେଷରେ ଦଳ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହୋଇଥିଲା । ଅଧିନାୟକ ଥୋମାସ ରିୟୁ ୩୧ ରନ କରିଥିଲେ ।
ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର ନାଇଣ୍ଟିନ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । ପୂର୍ବରୁ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଚାମ୍ପିଅନ ହୋଇଛି ଭାରତ । ୧୯୯୮ ମସିହାରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଟାଇଟଲ ହାତେଇଥିଲା ।

