spot_img

Latest Posts

ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ିଛି ଲକ୍ଷାଧିକ ମାମଲା, ଏଥିରୁ ଅଧା ମାମଲା ସରକାରଙ୍କ ବିରୋଧରେ..

ଭୁବନେଶ୍ବର : ସବୁ ବିଭାଗରେ ବର୍ଷ ବର୍ଷ ଧରି ପଡ଼ିରହିଛି ଶହ ଶହ ମାମଲା। ନିୟମିତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବିଭାଗ ଗୁଡ଼ିକ ମାମଲା ଉପରେ ଧ୍ୟାନ ଦେଇପାରୁନାହାନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଆଇନ ସହକାରୀ ନିର୍ଦ୍ଦେଶକ । ପୂର୍ବରୁ ଗୃହ ବିଭାଗ ଅଧୀନରେ ଥିବା ବେଳେ ଏବେ ଆଇନ ବିଭାଗ ଅଧୀନକୁ ଆସିଛନ୍ତି । ଏମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାମଲାଗୁଡ଼ିକୁ ଶୀଘ୍ର ତୁଟାଇବାକୁ ବିଭାଗକୁ ଆଇନଗତ ସହାୟତା ପ୍ରଦାନ କରିବେ ସହକାରୀ ନିର୍ଦ୍ଦେଶକମାନେ। ସେହିପରି ରାଜ୍ୟରେ ଥିବା ନୋଟାରୀମାନଙ୍କ କାର୍ଯ୍ୟଧାରା ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ନୋଟାରୀ ମ୍ୟାନେଜମେଣ୍ଟ ସିଷ୍ଟମ। ଆଇନ ମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ନୋଟାରୀମାନଙ୍କ ନିଯୁକ୍ତି, ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଧାରା ଉପରେ ସିଷ୍ଟମ କାମ କରିବ। ସରକାରଙ୍କ ବିଭିନ୍ନ ବିଭାଗରେ ପଡ଼ିରହିଥିବା ମାମଲା ତ୍ବରାନ୍ବିତ କରିବାକୁ ସହକାରୀ ନିର୍ଦ୍ଦେଶକ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ।

ରାଜ୍ୟରେ ଏବେ ୨୦ଲକ୍ଷ ୬୩ ହଜାର ମାମଲା ବିଚରାଧୀନ ରହିଛି । ଏଥିରୁ ୫୦ ପ୍ରତିଶତ ସରକାରଙ୍କ ବିରୋଧରେ ମାମଲା ରହିଛି । ସବୁଠାରୁ ଅଧିକ ମାମଲା ରାଜସ୍ବ ବିଭାଗରେ । ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗରେ ବି ଅନେକ ମାମଲା ବିଚରାଧୀନ ରହିଛି । କେଉଁଠି ଅଦାଲତ ଅବମାନନା ମାମଲା ତ ପୁଣି କେଉଁଠି ଜମିଜମା ସେଟଲ୍ ମାମଲା ବର୍ଷ ବର୍ଷ ଧରି ଗଡିଚାଲିଛି । ଏସବୁ ମାମଲାକୁ ତୁରନ୍ତ ସାରିବାକୁ ଆଇନ ସହକାରୀ ନିର୍ଦ୍ଦେଶକମାନେ କାମ କରିବେ। ମାମଲା ଏତେ ରହିଛି ଯେ, କେଉଁ ମାମଲାର କେବେ ତାରିଖ ଅଛି, ତାହା ବିଭାଗୀୟ ଅଧିକାରୀମାନେ ଜାଣିପାରୁନାହାନ୍ତି । ଏଥିପାଇଁ କେତେବେଳେ ବିଭାଗୀୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଦେବାକୁ ପଡୁଛି ତ କେଉଁଠି ଜରିମାନା ଦେବାକୁ ପଡୁଛି। ଲକ୍ଷାଧିକ ମାମଲା ତଳ କୋର୍ଟରୁ ହାଇକୋର୍ଟ ଯାଏଁ ପଡ଼ିରହିଥିବା ବେଳେ ଏହାର ତୁରନ୍ତ ଫଇସଲା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଜମିଜମା ବନ୍ଦୋବସ୍ତ ମାମଲା ବିଚାର ପାଇଁ ତହସିଲଦାରଙ୍କୁ କ୍ଷମତା ଦିଆଯାଇଛି। କ୍ରିମିନାଲ ମାମଲାର ବିଚାର ପାଇଁ ନୂଆ ଏସଓପି ଆଣିଛନ୍ତି । ଇଣ୍ଟିଗ୍ରେଟେଡ ଲିଗାଲ ମନିଟରିଂ ସିଷ୍ଟମ ସହ ରାଜସ୍ବ ବିଭାଗରେ କୋର୍ଟ କେସ୍ ମନିଟରିଂ ସିଷ୍ଟମ ଆରମ୍ଭ କରାଯାଇଛି।.

Latest Posts

Don't Miss