spot_img

Latest Posts

ସନ୍ଧ୍ୟା ହେଲେ ଶୂନଶାନ: କିଟମିଟ ଅନ୍ଧାରରେ ଜୀବନ ବିତାଉଛନ୍ତି ଲୋକେ

ସନ୍ଧ୍ୟା ହେଲେ ଶୂନଶାନ । ଚାରିଆଡ଼େ ଅନ୍ଧାର । ତା’ ଭିତରେ ଜୁଳୁଜୁଳୁ ହୋଇ ଜଳୁଛି ଦୀପ ଆଉ କ୍ୟାଣ୍ଡେଲ । ଆପଣ ଭାବୁଥିବେ କରେଣ୍ଟ ପଳାଇଥିବ । ହେଲେ ବାସ୍ତବରେ ଏଠାକୁ ଆଜି ବି ଆସିନି ବିଦ୍ୟୁତ । ପହଞ୍ଚିନି ସରକାରୀ ସୁବିଧା ସୁଯୋଗ । ନିଘୋଡ ନିଦ୍ରାରେ ପ୍ରଶାସନ । ରାତିର ଅନ୍ଧକାରରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଓ ସୋରଡା ବ୍ଲକ ସୀମାରେ ଥିବା ସିଦ୍ଧପୁର ପଞ୍ଚାୟତର ଦନ୍ତାରୀ ନାଳ ଗାଁକୁ ଆଜି ବି ପହଞ୍ଚିନି ବିଦ୍ୟୁତ । ବିଦ୍ୟୁତ ସେବା ନଥିବାରୁ ସନ୍ଧ୍ୟା ହେଲେ ଏଠାକାର ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି । ବିଡ଼ମ୍ବନା ବିଷୟ ସରକାରଙ୍କ ତରଫରୁ ଏମାନଙ୍କୁ କିରୋସିନି ଟୋପାଏ ବି ମିଳୁନି । ଫଳରେ ଲୋକଙ୍କ ଭରସା ସାଜିଛି ତେଲ ଦୀପ । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ବର୍ଷ ଧରି କିଟିକିଟି ଅନ୍ଧାରରେ ଏଭଳି ଜୀବନ ବିତାଉଛନ୍ତି ୧୫ ଗୋଟି ପରିବାର ।

ଦନ୍ତାରୀ ନାଳ ଗାଁରେ ବିଦ୍ୟୁତ ନଥିବାରୁ ଲୋକେ ହ୍ରିଂସ ଜନ୍ତୁ ଭୟରେ ସନ୍ଧ୍ୟା ପରେ ଘରୁ ବାହାରନ୍ତି ନାହିଁ । ମହମବତୀ ଆଲୁଅରେ ପିଲା ପାଠ ପଢନ୍ତି । କେବଳ ବିଜୁଳି କାହିଁକି ଗାଁକୁ ରାସ୍ତା ନଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ବି ରହିଛି । ଏନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କଲେଣି ହେଲେ କେହି ଦୃଷ୍ଟି ଦେଉନାହାନ୍ତି । କେବଳ ପିଇବା ପାଣି ପାଇଁ ହ୍ୟାଣ୍ଡ ପମ୍ପ ଖୋଳି କାମ ସାରି ଦେଇଛି ପ୍ରଶାସନ l ସେପଟେ ଖୁବଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

Latest Posts

Don't Miss