ନନ୍ଦିଘୋଷ ବ୍ୟୁରୋ : ଅଜାଣତରେ ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର। ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଅଜାଣତରେ ଥିମେଟ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ,ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ ସାଙ୍ଗ ହୋଇ ବୋହୂବୋହୂକା ଖେଳୁଥିଲେ। ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ। ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଥିମେଟରେ ଗୋଳେଇ ଖାଇଥିଲେ । ଘରର ପରିବାର ଲୋକେ ଏହି ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ।ଘରକୁ ଫେରିବା ପରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

