ଭୁଆଁ ବୁଲାଇଲା ଗୁଗଲ ମ୍ୟାପ୍: ଟ୍ରାକିଂ ପାଇଁ ଜଙ୍ଗଲରେ ଫସିଗଲେ ୫ ସଫ୍ଟଓ୍ବେର ଇଞ୍ଜିନିୟର

ନନ୍ଦିଘୋଷ ବ୍ୟୁରୋ: ଗୁଗଲ ମ୍ୟାପର ସଠିକତା ନେଇ ପୁଣି ଉଠିଲା ପ୍ରଶ୍ନ । ଗୁଗଲ ମ୍ୟାପ ଉପରେ ଭରସା କରି ପୁଣି ନାକେଦମ ହେଲେ ଲୋକେ । ଗୁଗଲ ମ୍ୟାପ ଦେଇଦେଲା ଧୋକା । ଟ୍ରାକିଂ ପାଇଁ ଯାଇ ଘଞ୍ଚ ଜଙ୍ଗଲରେ ଫସିଲେ ୫ ଯୁବକ । କୌଣସି ପ୍ରକାରେ ପରିବାର ସହ ଯୋଗାଯୋଗ କରିବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଏମିତି ଘଟଣା ଘଟିଛି ଗୁଜରାଟର ନର୍ମଦା ଜିଲ୍ଲା ଅଞ୍ଚଳରେ ।
ଖବର ଅନୁସାରେ ଆନ୍ଧ୍ରପ୍ରଦେଶ ବାସିନ୍ଦା ଓ ତେଲେଙ୍ଗାନା ହାଇଦ୍ରାବାଦର ୫ ଜଣ ସଫ୍ଟଓ୍ବେର ଇଞ୍ଜିନିୟର ଟ୍ରାକିଂ କରିବାକୁ ନର୍ମଦା ଜିଲ୍ଲାକୁ ଯାଇଥିଲେ । ଯୋଜନା ଥିଲା ଷ୍ଟାଚ୍ୟୁ ଅଫ ୟୁନିଟ ଅଞ୍ଚଳର ଜାରଓ୍ବାନି ବନାଞ୍ଚଳରେ ଟ୍ରାକିଂ କରିବାର ଥିଲା । ଗୁଗଲ ମ୍ୟାପରେ ସେମାନେ ତୁଙ୍ଗାଇ ହିଲ ଲୋକେଶନ ସେଟ୍ କରିଥିଲେ । ହେଲେ ଗୁଗଲ ମ୍ୟାପ ଯେଉଁ ସ୍ଥାନ ଦେଖାଇଥିଲା ତାହା ପ୍ରକୃତ ସ୍ଥାନଠାରୁ ବହୁତ ଦୂରରେ ଥିଲା ।
ସ୍ଥାନ ସେଟ କରିବା ପରେ ୫ ଜଣ ସାଙ୍ଗ ଜାରଓ୍ବାନି ଗାଁର ଭାଙ୍ଗଡା ଫଲିୟାରେ ବାଇକ ରଖି ମ୍ୟାପ୍ ବତାଇବା ରାସ୍ତାରେ ଟ୍ରାକିଂରେ ବାହାରି ଯାଇଥିଲେ । ଦିନ ପ୍ରାୟ ୨.୩୦ରେ ସେମାନେ ଭୁଲ ରାସ୍ତାରେ ଆସିଥିବା ଓ ଗୁଗଲ ମ୍ୟାପ୍ ସେମାନଙ୍କୁ ଠକି ଦେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ଜଙ୍ଗଲରୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ସ୍ଥିତି ଆଉ ସେମାନଙ୍କ ହାତରେ ନଥିଲା । ସେମାନେ ବାହାରକୁ ଆସିବାକୁ ଯେତେ ଚେଷ୍ଟା କରିଥିଲେ ଜଙ୍ଗଲ ଭିତରେ ସେତେ ସେତେ ଫସି ଯାଇଥିଲେ । ଏହାପରେ ଜଣେ ଯୁବକଙ୍କ ତାଙ୍କ ମାଆଙ୍କୁ ଫୋନ୍ ଲଗାଇ ଥିଲେ । ପିଲାଙ୍କ ପାଖରୁ ସବୁ ଶୁଣିବା ପରେ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଙ୍ଘବିଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଥିଲେ । ଘଟଣା ଜଣାପଡିବା ପରେ ପିଲାମାନଙ୍କୁ ଉଦ୍ଧାର କରିବାକୁ ପୋଲିସ ଆକ୍ଟିଭ ହୋଇଯାଇଥିଲା । ପୋଲିସ କର୍ମଚାରୀମାନେ ଜଙ୍ଗଲରେ ସେମାନଙ୍କୁ ଖୋଜିବା ଆରମ୍ଭ କରିବା ସହ ସେମାନଙ୍କୁ ଉଦ୍ଧାର କରିଥିଲା ।