ଡିଜିଟାଲ ଯୁଗରେ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ । ସଠିକ ସମୟରେ ପାଉନାହାନ୍ତି ଚିକିତ୍ସା ସୁବିଧା

ନନ୍ଦିଘୋଷ ବ୍ୟୁରୋ : ଯୋଗାଯୋଗ ହେବ ସୁଗମ । ସମସ୍ତ ଗାଁରେ ନିର୍ମାଣ ହେବ ପକ୍କା ରାସ୍ତା । ଏହି ନାରା ଦେଇ ସରକାର ନିଜ ଡିଣ୍ଡିମ ପିଟିବାରେ ବ୍ୟସ୍ତ । ହେଲେ ଆଜି ବି ରାୟଗଡା ଜିଲ୍ଲାର ୫୫୩ଟି ଦୁର୍ଗମ ଗାଁକୁ ପକ୍କାରାସ୍ତା ନାହିଁ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ । ଫଳରେ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି । ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଛି । ହେଲେ ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି ।

ଡିଜିଟାଲ ଯୁଗରେ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ । ସଠିକ ସମୟରେ ପାଉନାହାନ୍ତି ଚିକିତ୍ସା ସୁବିଧା । ବଢୁଛି ଜନନୀ ଯନ୍ତ୍ରଣା । ଅନେକ ମହିଳାଙ୍କ ଅକାରଣେ ଯାଉଛି ଜୀବନ । ରାୟଗଡା ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଆଜି ପର୍ଯ୍ଯନ୍ତ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଦୟନୀୟ ଜୀବନ ବିତାଉଛନ୍ତି ଗ୍ରାମବାସୀ  । ଜିଲ୍ଲାର ଉପାନ୍ତ କାଶୀପୁର ବ୍ଲକ ଖମ୍ବାପଦର ଗାଁକୁ ଉଦାହରଣ ଭାବେ ନେଲେ ଆପଣ ସବୁ ବୁଝିପାରିବେ । ସରକାର ନିଜ ଡିଣ୍ଡିମ ପିଟୁଛନ୍ତି ସିନା ହେଲେ କାମ ଘର ଶୂନ । ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କିପରି ଖଟିଆରେ ଗର୍ଭବତୀଙ୍କୁ ବୁହା ହୋଇ ଡାକ୍ତରଖାନା ନିଆଯାଉଛି । ଖାଲି ଏହି ଗୋଟିଏ ଘଟଣା ନୁହେଁ । ଗୁଡାରୀ ବ୍ଲକରେ ଦେଖିବାକୁ ମିଳିଛି ବିକଳ ଚିତ୍ର । ନଦୀ ଉପରେ ପୋଲଟିଏ ନଥିବାରୁ ବିପଦପୂର୍ଣ୍ଣ ଭାବେ ଭରାନଦୀ ପାର ହେଉଛନ୍ତି ଗର୍ଭବତୀ । କାରଣ ଏହି ସବୁ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଆମ୍ବୁଲାନ୍ସ  ଯାଇ ପାରୁନାହିଁ । ଫଳରେ ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳା ମାନେ ସଠିକ ସମୟରେ ସ୍ବାସ୍ଥ୍ୟ ସେବା ନପାଇ ଅକାରଣରେ ମୃତ୍ୟୁବରଣ କରୁଛନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ବଢିଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି ।

ରାୟଗଡା ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି । ହେଲେ ଜମିଜମା ସମସ୍ୟା ଓ ଅନୁଦାନ ଅଭାବ ଯୋଗୁ ଅନେକ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତାଟିଏ ନିର୍ମାଣ କରାଯାଇପାରୁନି । ମିଳିଥିବା ତଥ୍ୟ ମୁତାବକ ଜିଲ୍ଲାର ପ୍ରାୟ ୫୫୩ ଟି ଗାଁକୁ ଏଯାଏଁ ପକ୍କା ରାସ୍ତାଟିଏ ନାହିଁ । ଅନ୍ୟପଟେ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଦୁର୍ଗମ ଅଞ୍ଚଳରେ ଲାଗି ରହିଥିବା ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେବ ତାହା ଦେଖିବାକୁ ବାକି ରହିଲା ।