କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ

ନନ୍ଦିଘୋଷ ବ୍ୟୁରୋ: କଟକ ଲିଙ୍କରୋଡରେ ବିଳମ୍ବିତ ରାତିରେ ରାସ୍ତା ଉପରେ ଜଣେ ଫୁଲ ବ୍ଯବସାୟୀ ଗୋଡ କଟା ଅବସ୍ଥାରେ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଆକ୍ରମଣ ନୁହେଁ ଦୁର୍ଘଟଣା ଯୋଗୁଁ ବ୍ଯବସାୟୀ ଗୋଡ଼ ହରାଇଥିବା ସ୍ପଷ୍ଟ କଲେ ଡିସିପି । ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁର୍ବୁତ୍ତମାନେ ବିଚ ରାସ୍ତାରେ ହାଣି ଗୋଡ ଅଲଗା କରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ମଦପିଇ ବ୍ଯବସାୟୀ ଜଣକ ଦୁର୍ଘଟଣା ଘଟାଇଥିଲେ । ଡିଭାଇଡରରେ ବାଡ଼େଇ ହୋଇ ତାଙ୍କ ଗୋଡ଼ କଟିଥିବା କହିଛନ୍ତି ଡିସିପି ।

କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ । ଗଣ୍ଡଗୋଳ ନୁହେଁ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା ପୋଲିସ୍ । ମଦ ନିଶାରେ ଗାଡ଼ି ଚଳାଉଥିଲେ ବ୍ଯବସାୟୀ । ଶୁକ୍ରବାର ରାତିରେ ଘଟିଥିଲା ଘଟଣା । କଟକ ଲିଙ୍କ ରୋଡ ନିକଟସ୍ଥ ଅରୁଣୋଦୟ ମାର୍କେଟ ଅଂଚଳରେ ରାସ୍ତା ଉପରେ ଜଣ ଫୁଲ ବ୍ଯବସାୟୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ତାଙ୍କର ଗୋଡ଼ କଟି ଯାଇଥିଲା । ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ହସିପିଟାଲରେ ଭର୍ତ୍ତି କରିଥିଲା । ଗୁରୁତରଙ୍କୁ ପରେ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଗୋଡ଼ କାଟି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।

ଅଭିଯୋଗ ପରେ କଟକ ଡିସିପି ନିଜେ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ । ଆଖପାଖ ସିସିଟିଭି ଯାଞ୍ଚ ପରେ ପ୍ରକୃତ ଘଟଣା ପଦାକୁ ଆସିଛି । ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ମୋଟର ସାଇକେଲରେ ଦ୍ରୁତ ଗତିରେ ଯାଇ ଦୁର୍ଘଟଣା ଘଟାଇଛନ୍ତି । ବାଇକ ଡିଭାଇଡରରେ ବାଡ଼େଇ ହେବା ପରେ ସାଇଲେନ୍ସରରେ ତାଙ୍କ ଗୋଡ଼ କଟି ଯାଇଥିଲା । ଦୁର୍ଘଟଣାର ୮ ମିନିଟ ପରେ ଆଉ ଏକ ଗାଡି ସେଠାରେ ପହଚି ପୋଲିସକୁ ଖବର ଦେଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ତେବେ ସେ ସୁସ୍ଥ ହେବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ ।