ଭିନ୍ନ ଏକ ସଂସ୍କୃତିର ମାଆ ବସ୍ତରେନ ଦେବୀଙ୍କ ନିଆରା କୃଷି ଭିତ୍ତିକ ପର୍ବ ଆଷାଢ଼ କେନା ଯାତ୍ରା

1 min read

ନନ୍ଦିଘୋଷ ବ୍ୟୁରୋ  : ଆଦ୍ଯ ବର୍ଷାର ଭିଜା ମାଟିରେ ବିଭୋର ଚାଷୀ କୂଳ । ହଳଲଙ୍ଗଳ ଧରି କରୁଛନ୍ତି ଜମି ପ୍ରସ୍ତୁତ । ବିଭିନ୍ନ ସ୍ଥାନରେ ଧାନ ମଧ୍ଯ ବୁଣା ସରିଲାଣି । ହେଲେ କଳାହାଣ୍ଡି କୋକସରା ବ୍ଲକ ଟେମରା ଗାଁରେ ରହିଛି ନିଆରା ପରମ୍ପରା । ଗାଁ ଅଧିଷ୍ଠାତ୍ରୀ ଦେବୀ ମାଆ ବସ୍ତରେନ ଦେବୀଙ୍କ କୃଷି ଓ ସଂସ୍କୃତିର ଆଦ୍ୟ ପର୍ବ ଆଷାଢ଼ କେନା ଯାତ୍ରା ପରେ ଚାଷ କାମ ଆରମ୍ଭ ହେବାର ରହିଛି ପରମ୍ପରା । ଆଷାଢ଼ କେନା ଯାତ୍ରା ଏକ କୃଷି ଭିତ୍ତିକ ପର୍ବ l କୃଷି ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ପ୍ରାଚୀନ ପାର୍ବଣ । ଯେତେବେଳେ ଜଗତର ନାଥ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ବାହୁଡା଼ ଯାତ୍ରା ଶେଷ ହୋଇଯାଏ ତାପରେ ଏହି ଯାତ୍ରାର ଆୟୋଜନ ହୁଏ। ବାହୁଡା ପରର ଶୁକ୍ରବାର ଦିନ ବେଶ ଧୁମଧାମରେ ପାଳନ ହୁଏ ଏହି ଯାତ୍ରା ।

ଆଷାଢ଼ କେନା ଯାତ୍ରା ପଡୋଶୀ ଛତିଶଗଡ ରାଜ୍ୟ ସହିତ ଜଡିତ l ଯାତ୍ରାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ା ରାଜାଙ୍କ ଲାଠି ଯାତ୍ରା ବାହାରି ଗାଁ ଗୌନ୍ତିଆ ଓ ପୂଜକ ଘରକୁ ଆସିଥାଏ l ପରେ ବସ୍ତରେନ୍ ମାଉଳିଙ୍କ ଲାଠି ଯାତ୍ରା ସହିତ ମିଶି ମନ୍ଦିରକୁ ଯାଏ  l ପ୍ରାଥମିକ ପୂଜାର୍ଚ୍ଚନା ପରେ କାଳିଶି ଲାଗିଥାଏ। ଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହୋଇ ମାଆଙ୍କୁ ନିଜର ଦୁଃଖ ଜଣାନ୍ତି l ଶେଷରେ ମାନସିକଧାରୀ ମାନେ ବୋଦା କୁକୁଡ଼ା ବଳି ଦେଇଥାନ୍ତି l ଏହି ଯାତ୍ରା ଦ୍ବାରା ଚାଷ ଭଲ ହେବା ସହ ଗାଁରୁ ରୋଗ ବ୍ୟାଧି ଦୂର ହେବାର ବିଶ୍ବାସ ରହିଛି। ଏହି ଯାତ୍ରା ଅଞ୍ଚଳରେ ଭାଇଚାରା ସୃଷ୍ଟି କରିଥାଏ ତେଣୁ ଏହାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରନ୍ତି।