ବିବାହ, ହନିମୁନ୍ ଏବଂ ହତ୍ୟା ; ହନିମୁନ୍ରେ ଡାକିନେଇ ସ୍ବାମୀକୁ ମାରିଦେଲା ସ୍ତ୍ରୀ…
1 min read
ନନ୍ଦିଘୋଷ ବ୍ୟୁରୋ: ୧୧ ମେ ୨୦୨୫… ମଧ୍ୟପ୍ରଦେଶର ରାଜା ରଘୁବଂଶୀ ସୋନମଙ୍କ ସହ ବିବାହ କରିଥିଲେ। ଉଭୟ ପରିବାର ଏହି ବିବାହକୁ ନେଇ ଅତ୍ୟନ୍ତ ଖୁସି ଥିଲେ। ବିବାହ ପରେ ଅନ୍ୟ ଦମ୍ପତିଙ୍କ ପରି ରାଜା ଓ ସୋନମ ମଧ୍ୟ ହନିମୁନ୍ ଯିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ନିଷ୍ପତ୍ତି ହୋଇଥିଲା ଯେ ସେମାନେ ଅସମର କାମାକ୍ଷା ଦେବୀ ମନ୍ଦିର ଯିବେ, ଏବଂ ସେଠାରୁ କଶ୍ମୀର । ୨୦ ମେ’ରେ ଦୁହେଁ ଆସାମର କାମାକ୍ଷା ଦେବୀ ମନ୍ଦିର ପହଞ୍ଚିଥିଲେ। ତା’ପରେ ସେମାନେ କଶ୍ମୀର ବଦଳରେ ମେଘାଳୟ ଯିବାକୁ ଯୋଜନା କରିଥିଲେ। ୨୦ ମେ’ରେ ହିଁ ଦୁହେଁ ମେଘାଳୟ ପହଞ୍ଚିଥିଲେ। କିନ୍ତୁ ମେଘାଳୟରେ ସେମାନଙ୍କ ସହ ଯାହା ଘଟିଥିଲା, ତାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ପୋଲିସ ଅନୁସାରେ ୨୨ ମେ’ରେ ଏହି ଦମ୍ପତି ଭଡ଼ା ସ୍କୁଟରରେ ମାଭଲଖିୟାତ ଗାଁ ପହଞ୍ଚିଥିଲେ ଏବଂ ସେଠାରୁ ନୋଙ୍ଗରିୟାତ ଗାଁରେ ପ୍ରସିଦ୍ଧ ‘ଲିଭିଙ୍ଗ ରୁଟ୍ ବ୍ରିଜ୍’ ଦେଖିବା ପାଇଁ ପାଖାପାଖି ୩୦୦୦ ସିଡ଼ି ଓହ୍ଲାଇଥିଲେ। ସେମାନେ ସେହି ରାତି ଏକ ହୋମଷ୍ଟେ’ରେ ରହିଥିଲେ। ୨୩ ମେ’ ସକାଳେ ସେମାନେ ସେଠାରୁ ବାହାରି ଯାଇଥିଲେ। କିଛି ଘଣ୍ଟା ପରେ ଦୁହେଁ ନିଖୋଜ ହୋଇଯାଇଥିଲେ।
ଗାଇଡ୍ ଭାକୁପାର ଓ୍ୱାଂଶାଇଙ୍କ ବୟାନ:
ମାଭଲୟାତରୁ ନୋଙ୍ଗରିୟାତ ପହଞ୍ଚିବାକୁ ପାଖାପାଖି ତିନି ଘଣ୍ଟା ଲାଗେ, ଯେଉଁଥିରେ ପ୍ରାୟ ୩୦୦୦ ସିଡ଼ି ଓହ୍ଲାଇବାକୁ ପଡ଼େ। ଏହି ଦମ୍ପତି ୨୨ ମେ’ରେ ମୋତେ ଫୋନ୍ କରିଥିଲେ, ସେତେବେଳେ ଅପରାହ୍ନ ୩:୩୦ ବାଜିଥିଲା। ମୁଁ ମନା କରି ନଥିଲି ଏବଂ ସେମାନଙ୍କୁ ନୋଙ୍ଗରିୟାତ ନେଇଯିବା ପାଇଁ ନିଷ୍ପତ୍ତି ନେଇଥିଲି। ସେମାନଙ୍କୁ ଶିପାରା ହୋମଷ୍ଟେ’ରେ ଛାଡ଼ିବା ପରେ ମୁଁ ଚାଲିଯାଇଥିଲି। ଆଉ ଜଣେ ଗାଇଡ୍ ଆଲବର୍ଟ ପଡେ ମଧ୍ୟ ସେମାନଙ୍କ ସହ ଥିଲେ। ଓ୍ୱାଂଶାଇ କହିଛନ୍ତି, ପରଦିନ (୨୩ ମେ’) ମଧ୍ୟ ଆମେ ସେବା ଦେବା ପାଇଁ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ସେମାନେ (ଦମ୍ପତି) ମନା କରିଥିଲେ। ସେମାନେ କହିଥିଲେ ଯେ ସେମାନେ ରାସ୍ତା ଜାଣିଛନ୍ତି। ଓ୍ୱାଂଶାଇ ପୁଲିସକୁ କହିଛନ୍ତି ଯେ ସୋନମ ଅଧିକାଂଶ ସମୟ ଇଂରାଜୀରେ କଥା ହେଉଥିଲେ।
ଶେଷଥର ପାଇଁ ଉଭୟଙ୍କୁ ଦେଖିଥିଲେ ଗାଇଡ୍
୨୩ ମେ’ ସକାଳ ୬ଟାରେ ଦମ୍ପତି ହୋମଷ୍ଟେ’ରୁ ବାହାରି ଯାଇଥିଲେ। ଆଲବର୍ଟ ପଡେ ହେଉଛନ୍ତି ସେମାନଙ୍କୁ ଦେଖିଥିବା ଶେଷ ବ୍ୟକ୍ତି। ସେ ସକାଳ ୧୦ଟାରେ ଦମ୍ପତିଙ୍କୁ ମାଭଲଖିୟାତ ଗାଁ ଆଡ଼େ ୩୦୦୦ ସିଡ଼ି ଚଢ଼ୁଥିବା ଦେଖିଥିଲେ। ସେମାନଙ୍କ ସହ ତିନି ଜଣ ବ୍ୟକ୍ତି ଥିଲେ, ଯାହାଙ୍କୁ ସେ ପର୍ଯ୍ୟଟକ ଭାବିଥିଲେ। ଏହାପରେ ସୋନମ ଓ ରାଜା ଦୁହେଁ ନିଖୋଜ ହୋଇଯାଇଥିଲେ। ପଡେଙ୍କ ଅନୁସାରେ, ଯେତେବେଳେ ସେ ରାଜା ଓ ସୋନମଙ୍କୁ ଦେଖିଥିଲେ, ଚାରି ଜଣ ପୁରୁଷ ଆଗରେ ଚାଲୁଥିଲେ ଏବଂ ମହିଳା ପଛରେ ଥିଲେ। ଚାରି ଜଣ ପୁରୁଷ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ମୁଁ ବୁଝି ପାରିନଥିଲି କାରଣ ମୁଁ କେବଳ ଖାସି ଓ ଇଂରାଜୀ ଜାଣେ। ଗାଇଡ୍ ଦାବି କରିଛନ୍ତି, ଯେତେବେଳେ ମୁଁ ମାଭଲଖିୟାତ ପହଞ୍ଚିଲି, ସେମାନଙ୍କ ସ୍କୁଟର ସେଠାରେ ନଥିଲା।
ହନିମୁନ୍ ହେଇଗଲା ମର୍ଡର ମିଷ୍ଟ୍ରୀ
୧୧ ମଇ ୨୦୨୫ରେ, ୨୯ ବର୍ଷୀୟ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ୨୫ ବର୍ଷୀୟ ସୋନମ ବିବାହ କରିଥିଲେ। ବିବାହର ମାତ୍ର ୯ ଦିନ ପରେ, ୨୦ ମଇରେ, ନବବିବାହିତ ଦମ୍ପତି ସେମାନଙ୍କର ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ୨୨ ମଇରେ, ଉଭୟ ଶିଲଂର ଏକ ହୋମଷ୍ଟେରେ ରହିଥିଲେ। ପରଦିନ, ଅର୍ଥାତ୍ ୨୩ ମଇରେ, ସେମାନେ ଚେରାପୁଞ୍ଜି ନିକଟସ୍ଥ ନଙ୍ଗ୍ରିଟ୍ ଗାଁରେ ଡବଲ୍ ଡେକର୍ ଲିଭିଂ ରୁଟ୍ ବ୍ରିଜ୍ ଦେଖିବାକୁ ଯାଇଥିଲେ, କିନ୍ତୁ ଏହିଠାରୁ କାହାଣୀର ମୋଡ଼ ବଦଳିଥିଲା । ନିଜ ସିନ୍ଦୂର ପୋଛିବା ପାଇଁ ଆରମ୍ଭ ହୋଇଥିଲା ଯୋଜନା ।
ସୋନମଙ୍କ ଶାଶୁଙ୍କ ସହ କଥାବାର୍ତ୍ତା:
ଦୁହିଁଙ୍କୁ ଖୋଜା ଜାରି ଥିବା ବେଳେ ସୋନମ ଓ ତାଙ୍କ ଶାଶୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡ଼ିଓ ସାମ୍ନାକୁ ଆସିଥିଲା। ଶାଶୁ ପଚାରିଥିଲେ, “କିଛି ଖାଇଛ?” ସୋନମ ଉତ୍ତର ଦେଇଥିଲେ, “ଏଠାରେ କିଛି ମିଳୁନାହିଁ। ଗୋଟେ ଜାଗାରୁ ଦୁଧ ନେଇଥିଲି,କିନ୍ତୁ ତାହା ପାଣି ମିଶା ଥିଲା । କଫି ନେଇଥିଲି, ତାହା ମଧ୍ୟ ଖରାପ ଥିଲା, ମୁଁ ଫୋପାଡ଼ି ଦେଇଥିଲି।” ସୋନମ ଆହୁରି କହିଥିଲେ ଯେ ସେମାନେ ଝରଣା ଦେଖିବାକୁ ଯାଉଛନ୍ତି। ଏହାପରେ ଫୋନ୍ କଟ୍ ହୋଇଯାଇଥିଲା।
ସ୍କୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଲା
୨୩ ମଇ ଦିନ ଅପରାହ୍ନରେ, ସୋନମ ତାଙ୍କ ଶାଶୁଙ୍କୁ ଫୋନ୍ କରିଥିଲେ। ଫୋନ୍ରେ କଥା ହେବା ସମୟରେ ସେ ଭୟଭୀତ ଥିଲେ ଏବଂ ଶାଶୂଙ୍କୁ କହିଥିଲେ, ‘ଆମେ ଜଙ୍ଗଲରେ ଅଛୁ।’ ଏବଂ ମୁଁ ଗ୍ୟାରସ ବ୍ରତ ରଖିଛି ଯାହା ଭାଙ୍ଗିବି ନାହିଁ । ଏହା ଶେଷ ଥର ପାଇଁ ଦୁହେଁ ସେମାନଙ୍କ ପରିବାର ସହିତ କଥା ହୋଇଥିଲେ। ଏହା ପରେ, ରାଜା ଏବଂ ସୋନମ ଉଭୟଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ସୋନମଙ୍କ ଭାଇ ଏବଂ ସମ୍ପର୍କୀୟମାନେ ସେମାନଙ୍କୁ ଖୋଜିବା ପାଇଁ ଶିଲଂ ଯାଇଥିଲେ। ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଖୋଜାଖୋଜି ସମୟରେ, ୨୪ ମଇ ଦିନ ଦୁହିଁଙ୍କ ଭଡା ସ୍କୁଟରଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା।
ରାଜାଙ୍କ ମୃତଦେହ ମିଳିଲା, ସୋନମ ନିଖୋଜ ଥିଲେ
୮ ଦିନର ସନ୍ଧାନ ପରେ, ୨ଜୁନ ୨୦୨୫ରେ ମେଘାଳୟ ପୋଲିସ ୱେଇ ସାଡୋଙ୍ଗ ଜଳପ୍ରପାତ ନିକଟରେ ଏକ ଗଭୀର ଖାତରୁ ରାଜାଙ୍କ ପଚିଯାଇଥିବା ମୃତଦେହ ପାଇଲା। ତାଙ୍କ ଡାହାଣ ହାତରେ ଲେଖାଯାଇଥିବା ଟାଟୁ ଦ୍ୱାରା ରାଜାଙ୍କୁ ଚିହ୍ନଟ କରାଯାଇଥିଲା। ଜଣେ ମହିଳାଙ୍କ ଧଳା ଟି-ସାର୍ଟ ମଧ୍ୟ ଅଳ୍ପ ଦୂରରେ ମିଳିଥିଲା। ପୋଷ୍ଟମର୍ଟମରୁ ଜଣାପଡିଲା ଯେ ରାଜାଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା। କିନ୍ତୁ, ସୋନମର କୌଣସି ସନ୍ଧାନ ମିଳିନଥିଲା। ପୋଲିସ, ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ପେଶାଲ ଅପରେସନ୍ସ ଦଳ ଜଙ୍ଗଲ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ। ଏକ କଳା ରେନକୋଟ୍ ଉପରେ ରକ୍ତ ଦାଗ ମିଳିଥିଲା, କିନ୍ତୁ ଏହା ସୋନମର କି ନୁହେଁ ତାହା ନିଶ୍ଚିତ ହୋଇନଥିଲା। ପରେ ରାଜାଙ୍କ ମୃତଦେହ ଇନ୍ଦୋର ଅଣାଯାଇଥିଲା। ଶେଷକୃତ୍ୟ କରାଯାଇଥିଲା। କିନ୍ତୁ ପରିବାର ଲୋକେ ହତ୍ୟା ସନ୍ଦେହ କରି ଏକ ପୋଷ୍ଟର ଲଗାଇଥିଲେ ଯେଉଁଥିରେ ଲେଖାଯାଇଥିଲା, ‘ମୁଁ ମରିନାହିଁ, ମୋତେ ହତ୍ୟା କରାଯାଇଛି!’ । ରାଜାଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଥିଲେ ଏବଂ ସନ୍ଦେହ କରିଥିଲେ ଯେ ସୋନମଙ୍କୁ ଅପହରଣ କରାଯାଇଥିଲା।
ସୋନମଙ୍କ ଅପହରଣର ନାଟକ, ତା’ପରେ ଆଶ୍ଚର୍ଯ୍ୟଜନକ ମୋଡ଼
ସୋନମଙ୍କ ଭାଇ ଗୋବିନ୍ଦ ଏବଂ ରାଜାଙ୍କ ଭାଇ ବିପିନ ମେଘାଳୟରେ ଖୋଜାଖୋଜିରେ ଲାଗିଥିଲେ। ଗୋବିନ୍ଦ କହିଥିଲେ, ‘ମୋ ଭଉଣୀ ଜୀବିତ ଅଛି, ତାକୁ ଅପହରଣ କରାଯାଇଥିଲା। ପୋଲିସ କେବଳ ମୃତଦେହ ଖୋଜୁଛି, କିନ୍ତୁ, ତାକୁ ଜୀବିତ ଭାବେ ଖୋଜିବା ଉଚିତ।’ ପରିବାର ଦାବି କରିଥିଲେ ଯେ ସେହି ଅଞ୍ଚଳ ବାଂଲାଦେଶ ସୀମା ନିକଟରେ, ହୁଏତ ସୋନମଙ୍କୁ ସେଠାକୁ ନିଆଯାଇଥିଲା, କିନ୍ତୁ ୮ ଜୁନ୍ ୨୦୨୫ ରାତିରେ ଏହି ମାମଲାରେ ଏପରି ମୋଡ଼ ଆସିଥିଲା, ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଥିଲା। ମେଘାଳୟ ପୋଲିସ ଘୋଷଣା କରିଥିଲା ଯେ ସୋନମ ରଘୁବଂଶୀଙ୍କୁ ଗିରଫ କରାଯାଇଛି। ଡିଜିପି ନୋଙ୍ଗରାଙ୍ଗ କହିଛନ୍ତି ଯେ ସୋନମଙ୍କ ସହିତ ଆଉ ତିନି ଜଣଙ୍କୁ ଅଟକ ରଖାଯାଇଛି। ସୋନମ ତାଙ୍କ ଭାଇ ଗୋବିନ୍ଦଙ୍କୁ ଫୋନ୍ କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ, ଯାହା ପରେ ପୋଲିସ ତାଙ୍କୁ ଧରିଥିଲା। ରାଜାଙ୍କ ବଡ଼ ଭାଇ ବିପିନ ମଧ୍ୟ ଏହାକୁ ନିଶ୍ଚିତ କରିଥିଲେ।
ଏପର୍ଯ୍ୟନ୍ତ ତଦନ୍ତରେ କ’ଣ ପ୍ରକାଶ ପାଇଛି ?
ସିସିଟିଭି ଫୁଟେଜର ରହସ୍ୟ: ମେ ୨୨ ତାରିଖରେ ସିସିଟିଭି ଫୁଟେଜରେ ରାଜା ଏବଂ ସୋନମଙ୍କୁ ସିଲଂର ହୋମଷ୍ଟେରେ ସାଧାରଣତଃ ଦେଖାଯାଉଥିଲା। ସୋନମ ପିନ୍ଧିଥିବା ଧଳା ଟି-ସାର୍ଟ ରାଜାଙ୍କ ମୃତଦେହ ପାଖରେ ମିଳିଥିଲା।
ସୋନମଙ୍କ ଶେଷ ଫୋନ୍: ସୋନମଙ୍କ ଶାଶୁ ତାଙ୍କ ସହିତ କଥା ହେବା ସମୟରେ କ୍ଳାନ୍ତ ଏବଂ ବିରକ୍ତ ମନେ ହେଉଥିଲେ। ସେ ଜଙ୍ଗଲ ଏବଂ ଖରାପ ଖାଦ୍ୟ ବିଷୟରେ ଅଭିଯୋଗ କରିଥିଲେ।
ମିଳିଥିବା ଛୁରୀ : ପୋଲିସ ପାଇଥିବା ଧାରୁଆ ଛୁରୀ ନୂଆ ଥିଲା ଏବଂ କେବଳ ହତ୍ୟା ପାଇଁ କିଣାଯାଇଥିବା ପରି ମନେ ହେଉଛି।
ସୋନମ କିପରି ଗାଜିପୁରରେ ପହଞ୍ଚିଲେ: ପୋଲିସ ୟୁପିର ଗାଜିପୁରରୁ ସୋନମଙ୍କୁ ଗିରଫ କରିଛି। ତଥାପି, ସୋନମ କିପରି ଗାଜିପୁରରେ ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏବେବି ରହସ୍ୟଘେରରେ ବହୁ ପ୍ରଶ୍ନ :
୧. ସୋନମ ରାଜାଙ୍କୁ କାହିଁକି ହତ୍ୟା କଲେ କିମ୍ବା ତାଙ୍କୁ ହତ୍ୟା କରାଇଲେ?
୨. ଏହା କ’ଣ ବ୍ୟକ୍ତିଗତ ଶତ୍ରୁତା ଥିଲା ନା ଡକାୟତି ମାମଲା ଥିଲା?
୩. ଅନ୍ୟ ତିନି ଜଣ କିଏ ? ସେମାନେ ସ୍ଥାନୀୟ ଲୋକ ଥିଲେ ନା ସେମାନଙ୍କର ଇନ୍ଦୋର ସହିତ କୌଣସି ସମ୍ପର୍କ ଥିଲା ?
୪. ଯଦି ସୋନମ ନିଖୋଜ ହୋଇନଥିଲେ, ତେବେ ଏତେ ଦିନ ସେ କେଉଁଠି ଥିଲେ ? ସେ କ’ଣ ନିଜକୁ ଲୁଚାଇ ରଖିଥିଲେ?
୫. ପରିବାର ଲୋକଙ୍କ ଅପହରଣ ସନ୍ଦେହ କେବଳ ଭ୍ରମିତ କରିବା ପାଇଁ ଥିଲା କି ?
ପରିବାରର ଯନ୍ତ୍ରଣା
ରାଜାଙ୍କ ଭାଇ ସଚିନ କହିଛନ୍ତି, “ମୁଁ ମୋ ଭାଇକୁ ହରାଇଛି, କିନ୍ତୁ ମୁଁ ସୋନମଙ୍କୁ ଜୀବିତ ଚାହୁଁଛି।” କିନ୍ତୁ ଏବେ ସୋନମଙ୍କ ଗିରଫଦାରୀ ପରିବାରକୁ ଆହୁରି ମର୍ମାହତ କରିଛି।
ଆଗକୁ କଣ ?
ମେଘାଳୟ ପୋଲିସର SIT ଏହି ମାମଲାର ଆହୁରି ଗଭୀର ତଦନ୍ତ କରୁଛି। ସୋନମ ଏବଂ ଅନ୍ୟ ସନ୍ଦିଗ୍ଧଙ୍କୁ ପଚରାଉଚରା ସମୟରେ ଉଦ୍ଦେଶ୍ୟ ଏବଂ ଷଡ଼ଯନ୍ତ୍ର ଖୁବ୍ ଶୀଘ୍ର ଜଣାପଡିପାରେ ବୋଲି ଆଶା କରାଯାଉଛି ।