ପାକ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍,ଅନ୍ୟ ସେଲିବ୍ରିଟିଙ୍କ ଆକାଉଣ୍ଟ ଉପରେ ଲାଗିଲା କଟକଣା

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା । ପହଲଗାମ ଆକ୍ରମଣ ପରେ, ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବଡ଼ ବଡ଼ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି। ଏହି ତାଲିକାରେ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଇମରାନ ଆବାସଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ଏବେ ସସପେଣ୍ଡ କରାଯାଇଛି । ଯାହା ଫଳରେ ସେଲିବ୍ରିଟିଙ୍କ ଫଲୋଅର୍ସରେ ବହୁତ ହ୍ରାସ ପାଇଛି ।

ଇନଷ୍ଟାଗ୍ରାମରେ ଏହି ପାକିସ୍ତାନୀ କଳାକାରଙ୍କ ୟୁଜର ଆଇଡି ସର୍ଚ୍ଚ କଲେ ଲେଖାଯାଉଛି ଯେ  – ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର ସେହି ପାକିସ୍ତାନୀ କଳାକାରଙ୍କ ମଧ୍ୟରେ ଅନ୍ୟତମ  । ଯାହାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ଫିଲ୍ମ ରଇସରେ ଶାହରୁଖ ଖାନଙ୍କ ସହ ନଜର ଆସିଥିବା ମାହିରା ଖାନ, ଫିଲ୍ମ ମମରେ ଶ୍ରୀଦେବୀଙ୍କ ସହ କାମ କରିଥିବା ସଜଲ ଅଲି ଏବଂ ଏ ଦିଲ ହେ ମୁସକିଲରେ ନଜର ଆସିଥିବା ଇମ୍ରାନ ଆବାସ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଏହା ବ୍ୟତୀତ ଅଲି ଜାଫର ସମେତ ଆହୁରି ଅନେକ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ହାନିଆ ଆମିର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ- ‘ସାମ୍ପ୍ରତିକ ଘଟଣା ଦ୍ୱାରା ପ୍ରଭାବିତ ନିରୀହ ଲୋକଙ୍କ ପ୍ରତି ମୋର ସମବେଦନା।’ ଆମେ ସମସ୍ତେ ଯନ୍ତ୍ରଣା, ଦୁଃଖ ଏବଂ ଆଶାରେ ଏକଜୁଟ୍। ଯେତେବେଳେ ନିର୍ଦ୍ଦୋଷ ଲୋକମାନେ ଜୀବନ ହରାନ୍ତି, ସେହି ଯନ୍ତ୍ରଣା କେବଳ ସେମାନଙ୍କର ନୁହେଁ ବରଂ ଆମେ ସମସ୍ତେ ଅନୁଭବ କରୁ। ଆମେ ଯେଉଁଠାରୁ ଆସିଥାଉ ନା କାହିଁକି, ଦୁଃଖ ସମାନ ଭାଷା କହେ। ଆମକୁ ସବୁବେଳେ ମାନବିକତା ବାଛିବା ଉଚିତ।

ସୂଚନା ଅନୁସାରେ, ଏହା ପୂର୍ବରୁ ଭାରତ ସରକାର 16ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରିଥିଲେ  ।  ଏଥିରେ ଜିଓ ନ୍ୟୁଜ୍, ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଏଆରୱାଇ ନ୍ୟୁଜ୍ ସମେତ ଅନେକ ପାକିସ୍ତାନୀ ମିଡିଆ ସାଇଟ୍ ଏବଂ ଚ୍ୟାନେଲ୍ ଅନ୍ତର୍ଭୁକ୍ତ ।