ମାଛଧରା ଜାଲରେ ପଡ଼ିଲା ଅଜଗର, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଜାଲ କାଟି ଅଜଗର ସାପକୁ ଜାଲରୁ ବାହାର କରିଥିଲେ । ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି । ଲୋକ ଚଳପ୍ରଚଳ କରୁଥିବାରୁ ସନ୍ଧ୍ୟା ହେବାପରେ ସାପଟିକୁ ବନ ବିଭାଗ ଉପସ୍ଥିତିରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।