ଦେଶରେ ୱାକଫ ଆଇନ ଲାଗୁ ପରେ ସବୁଠି ପ୍ରତ୍ୟାହାର ଦାବି, ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ୍ତ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ସାରା ଦେଶରେ ୱାକଫ ଆଇନ ଲାଗୁ ହୋଇଥିବା ବେଳେ ଏହାର ପ୍ରତ୍ୟାହାର ଦାବିରେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ସାରାଦେଶରେ ପ୍ରତିବାଦ ଜାରି ରହିଛି । ସଂଖ୍ଯାଲଘୁ ସଂପ୍ରଦାୟର ଭାଇମାନେ ରାଜରାସ୍ତାକୁ ଓହ୍ଲାଇ ଆସି ଆଇନ ପ୍ରତ୍ୟାହାର ପାଇଁ ପ୍ରତିବାଦ କରୁଛନ୍ତି । ତେବେ ଆଜି ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ୍ତ ହୋଇଛି । ମୁର୍ସିଦାବାଦ ଜିଲ୍ଲା ରଘୁନାଥଗଞ୍ଜର ଉମରପୁରରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ୩ଟି ପୋଲିସ ଗାଡ଼ି ପୋଡ଼ିଦେଇଛନ୍ତି ଆନ୍ଦୋଳନକାରୀ ।
ଉମରପୁରରେ ୱାକଫ ଆଇନ ପ୍ରତ୍ୟାହାର ଦାବି ବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିବା ମାତ୍ରେ ଆନ୍ଦୋଳନକାରୀ ଉଗ୍ରରୂପ ଧାରଣ କରିଥିଲେ । ପୋଲିସ ଉପରକୁ ଇଟା ଏବଂ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଲୁହ ବୁହା ଗ୍ୟାସ ମଧ୍ୟ ମାଡ଼ କରାଯାଇଥିଲା। ଏହି ହିଂସାତ୍ମକ ସଂଘର୍ଷରେ ଏପର୍ଯ୍ୟନ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଜାଙ୍ଗିପୁର ପୋଲିସ ଜିଲ୍ଲାର ଏସପି ଆନନ୍ଦ ରାୟଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ ଦୁଇ ଦିନ ଧରି, ମୁର୍ସିଦାବାଦ ଜିଲ୍ଲାର ସୁତି, ସମସେରଗଞ୍ଜ ଏବଂ ରଘୁନାଥଗଞ୍ଜ ଭଳି ଅନେକ ଅଞ୍ଚଳରେ ୱାକଫ ଆଇନ ବିରୋଧରେ ନିରନ୍ତର ପ୍ରତିବାଦ ଜାରି ରହିଛି । ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ।