ଇଂଲଣ୍ଡ ଗସ୍ତରେ ଯିବାକୁ ମନା କଲେ ଗମ୍ଭୀର, ବିସିସିଆଇକୁ ଜଣାଇଲେ କାରଣ
1 min read
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ପରେ ଇଂଲଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ଚାମ୍ପିୟନ୍ସ ଟ୍ରଫି ପରେ ଭାରତୀୟ ଦଳର ପ୍ରଥମ ଗସ୍ତ ରହିଥିବାବେଳେ ଏହା ଟିମ ପାଇଁ ବଡ଼ ପରୀକ୍ଷା ରହିବ । ତେବେ ଗସ୍ତ ପୂର୍ବରୁ ସାମ୍ନାକୁ ଆସିଛି ବଡ଼ ଖବର । ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ଗସ୍ତରେ ଯିବେ ନାହିଁ ବୋଲି ବିସିସିଆଇକୁ ଜଣାଇଛନ୍ତି । ତେବେ ତାଙ୍କ ବଦଳରେ ଦଳକୁ କିଏ ପ୍ରଶିକ୍ଷଣ ଦେବ ଏହାକୁ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବ କହି ରଖୁଛୁ କି, ରୋହିତଙ୍କ ଟିମ ସହ ନଯାଇ ଗମ୍ଭୀର ଟିମ ଇଣ୍ଡିଆର ଏ ଟିମ୍ ସହ ଯିବେ । ଏନେଇ ସେ ବିସିସିଆଇକୁ ଜଣାଇଛନ୍ତି ।
କୁହାଯାଉଛି କି, ଗମ୍ଭୀର ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ୨୦୨୬ ଟି-୨୦ ବିଶ୍ବକପ ଏବଂ ୨୦୨୭ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ସେ ଏବେଠାରୁ ଯୋଜନା ଆରମ୍ଭ କରିଥିବା ଖବର ମିଳିଛି । ତେବେ ଇଣ୍ଡିଆ ’ଏ’ ଟିମ ସହ ଗମ୍ଭୀର ଯାଇ ଏମାନଙ୍କ ଖହଳ ଉପରେ ନଜର ରଖିବେ । କାରଣ ଆଗକୁ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ରହିଥିବାବେଳେ ଅଭିଜ୍ଞଙ୍କ ସହ କେଉଁ ଯୁବ ଖେଳାଳି କିଭଳି ପ୍ରଦର୍ଶନ କରୁଛନ୍ତି ଏହାକୁ ନେଇ ନୂଆ ଟିମ ଗଠନ ହେବ । ଜୁନ ୨୦ରେ ଭାରତ ଇଂଲଣ୍ଡ ଗସ୍ତରେ ଯିବ । ମାତ୍ର ଏହା ପୂର୍ବରୁ ଏ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଗମ୍ଭୀର ଏଭଳି ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି । ତେବେ ଏହା କେତେ ସଫଳ ହେଉଛି ତାହା କେବଳ ସମୟ କହିବ ।